Unknown

ଚାରଣ ଚର୍ଯା

ଗିରିଜା କୁମାର ବଳୀୟାରସିଂହ

ଉତ୍ସର୍ଗ

ଛୋଟବୟସର ଛାଇସଂଜ

ନାଆଁ ମନେନଥିବା ସେଇ ଜିପ୍‌ସୀ ଝିଅଟିର

ସ୍ୱପ୍ନାଭ ସ୍ମୃତିରେ...

 

ଚର୍ଯା-ଚରିତ

ଦି' ନଈର ଏ ସାନ ସହରକୁ ଦିନେ ଆସିଥିଲେ ଦଳେ ବାରବୁଲା ମଣିଷ । ମନେଅଛି, ଏଇଠି ସେମାନେ ରହୁରହୁ ରହିଯାଇଥିଲେ ଦେଢ଼ବର୍ଷ ।

 

ଚାରିପାଂଚବର୍ଷ ବୟସବେଳୁ ମୋ ବାଳୁତ ବାୟାମନଟାକୁ ଛାୟାଚ୍ଛନ୍ନ କରିରଖିଥିଲା କଟକର କାୟାକଳ୍ପ । କଟକ ... ଅଧାସଦର ଅଧାମଫସଲର ମାମୁଲି ମିଶାଣଟାଏ ମାତ୍ର ସେତେବେଳେ। କଚେରିହତାରୁ କ୍ୟାଂଟନ୍‌ମେଂଟ୍‌ ରୋଡ଼୍‌ - କଲେଜଛକରୁ କଟକ ଷ୍ଟେସନ୍‌ - ମାତାମଠରୁ ମଣିସାହୁଛକ - ମସ୍‌ଜିଦଗଳିରୁ ମାରୁଆଡ଼ିପଟି - ଲାଲ୍‌ବାଗରୁ ମଂଗଳାବାଗ - ମାଛୁଆବଜାରରୁ ମାଲଗୋଦାମ - ତୁଳସୀପୁରରୁ ତେଲଂଗାପେଂଠ - ଯାଉଁଳିଆପଟିରୁ ଯୋବ୍ରା - ରାଜାବଗିଚାରୁ ରାଣୀହାଟ - ଚାଂଦିନୀଚୌକରୁ ଚାଉଳିଆଗଂଜ... ଅଳ୍ପକେଇଟା ସରକାରୀ ଅଫିସ୍‌ ଆଉ କଂପାନୀ କାରଖାନାର କାରବାର ଭିତରେ ସେଦିନର କଟକ ଥିଲା ଗୋଟାଏ ସହଜ ସହରର ସିଲହଟ୍‌ । କା' ଡାକର ସକାଳ ଆଉ ଚା' କପ୍‌ର ସଂଜ ସମେତ, ମନେଅଛି ରୁଟି ଓ ଚଂଦ୍ରର ଚୁକ୍ତିନାମା ତୟାର୍‌ କରୁଥିବା ତରାତରଳା କଟକୀ ରାତିର ସେ ଚାଉଁଚାଉଁ ଚାଂଦମଣି ଚେହେରାଟି ।

 

କଟକରେ ସଂଜ ଆସେ ସେତେବେଳେ -

ଦେଉଳରେ ଦୀପ ଜଳେ ଯେତେବେଳେ, ଷ୍ଟେସନ୍‌କଡ଼ର କୁଢ଼କୁଢ଼ କୋଇଲାସଂଧିରୁ ଧୂଆଁ ଉଠୁଥିବାବେଳେ ।

ରାତି ରୁଗୁରୁଗୁ ହୁଏ ସେତେବେଳେ -

ଚୁଡି ରୁଣୁଝୁଣୁ ଶୁଣୁଶୁଣୁ ଆଖିର ପତାରେ ନରମ ସ୍ୱପ୍ନର ଗୁଣୁଗୁଣୁ ନିଦ ନେସୁଥିବାବେଳେ ।

 

ଭିନ୍ନ ଭୂଚିତ୍ର ଏ ଉଦ୍ଭିନ୍ନ ଆଶାର ସହର - କଟକ।

ତାର ସେଦିନର ନିଷ୍ପ୍ରଦୀପ ନିଷ୍ପାପତା, ମନେଅଛି, ନିର୍ବାଣ ନିଏ ଯେମିତି - ରାସ୍ତାକଡ଼ର ବତିଖୁଂଟରେ ନିଶୁଣିଟେ ଆଉଜାଇସାରି ଆରୋହୀ ଆରକ୍ଷୀ ଯେତେବେଳେ ଅଗିଲାର ଚଉକୋଣୀ କାଚବାକ୍‌ସଟାର କୁନିକବାଟି ଖୋଲି, ତୈଳାକ୍ତ ସଳିତାରେ ଜଳାଇଦେଇଯାଏ ଚେନାଏ ଚିତ୍ରାଗ୍ନି ! ଦିକିଦିକି ଜଳୁଥାଏ ଦିନଶେଷର ସହର – ଚଉପହର ।

 

ବିଦ୍ୟୁତ୍‌-ବିରଳ ବେଳକାଳ ସିଏ । ସଂଜବେଳ। ରାତ୍ରିକାଳ ।

 

ଶବ୍ଦ କହିଲେ କେବଳ ଷ୍ଟେସନ୍‌ ଛାଡ଼ି କାହିଁକୁଆଡିକି ଚାଲିଯାଉଥିବା ରେଳଗାଡ଼ିର ହ୍ୱିସିଲ୍‌ ଆଉ ପିଚୁରାସ୍ତାରୁ କଚାରାସ୍ତାଆଡ଼େ ଗଡ଼ିଯାଉଥିବା ଟମ୍‌ଟମ୍‌ର ଟପ୍‌ଟପ୍‌ । ପ୍ଲାଟଫର୍ମ୍‌ରୁ ପାସେଂଜର୍‌ ପାଛୋଟିଆଣେ କଚୁଆନ୍‌ । ରାତିର କଟକ ରାସ୍ତାରେ ସେତେବେଳେ ମସ୍ତାନ୍‌ମାନଂକ ଅଂଧାରିବିଜେ ବଦଳରେ ଦେଖିବାକୁ ମିଳୁଥିଲା ମଦୁଆ କି ମାଈଚିଆମାନଂକୁ । ସେମାନଂକ ଉ”ତ କିଂତୁ ଥିଲା ଉଗ୍ରତାହୀନ । ବରଂ ଉଷୁମ୍‌ ଲାଗୁଥିଲା ଅଂଧାର ସେମାନଂକ ସାନ୍ନିଧ୍ୟରେ । ସେଦିନର କଟକୀ ମଦୁଆର ନିଶା ସୀମିତ ଥିଲା କେବଳ - ନୈଶ ଆଗଂତୁକକୁ କେଇମୁହୂର୍ତ ଅଟକାଇ କୁଶଳ ପୁଛିବାର କର୍ତବ୍ୟ ପର୍ଯଂତ । ମାଈଚିଆର ମୃଦୁଆଳାପରେ ଥିଲା, ପଥଚାରୀ ପ୍ରତି ସାଂଗୀତିକ ସଂଭାଷଣୀ – “ପରଦେଶୀ ପଥିକ, ରହିଯାଅ ରାତିକ” - ନହେଲେ, “ବାଟ ଛାଡ଼, ସୁହଟନାଗର, ଯୋବରା ଯିବି ମୁଁ ଯାତ ଦେଖିବି” ଇତ୍ୟାଦି ।

 

କଟକ ସେଦିନ ଘୋଡ଼ାଗାଡ଼ି ଆଉ ଶୂନଗାଡ଼ିର ଶୁନ୍‌ଶାନ୍‌ ସହର ।

 

ବାଉନ ବଜାର ବଜାଉଥିଲା ବାଜା, ତେପନଗଳି ଦେଉଥିଲା ତାଳ। ବାରଜାତି ତେରଗୋଲାଂକ କୀର୍ତନର କଟକରେ ଆଜିପରି ଏତେ ପ୍ରବଚନର ପ୍ରଦୂଷଣ ନ ଥିଲା କି ଭାଷଣର ଭୀଷଣତା । ମାଇକ୍‌ର ମାର୍କାମରା ମତ୍ତତା ଅପେକ୍ଷା ହାର୍‌ମାନିୟମ୍‌ର ହାୱାଉତଳା ହାର୍ଦିକତାରେ ବେଶ୍‌ ସାବଲୀଳ ଥିଲା ସେଦିନର ସେ ସାନ ସହରଟି । ପ୍ରାୟ ପ୍ରତ୍ୟେକ ମଧ୍ୟବିତ୍ତର ସାୟଂତନୀ ସଂସାରରେ ଝିଅମାନଂକୁ ଗୀତ ଶିଖାଇବାକୁ ଆସୁଥିବା ମାଷ୍ଟର୍‌ମାନେ ଥିଲେ ନିୟମିତ ନିମଂତ୍ରିତ । କଲେଜଛକର “ବୀରଉତ୍କଳ” କି ଷ୍ଟେସନ୍‌ବଜାରର “ବୁଲିବାୟାଣୀ” - କେବଠୁ ଏଠୁ ଯାଇ ମଧ୍ୟସ୍ୱର୍ଗରେ ହାଜର ହେବେଣି - ମୋ ସାନଦିନର ସ୍ମରଣଯୋଗ୍ୟ ଦୁଇ ଦୁର୍ବାର ଚରିତ୍ର । ହଁ, ଚରିତାତ୍ମକ ଚରିତ୍ରର ଚୁଂବକୀୟ କ୍ଷେତ୍ରଟିଏ ଥିଲା କଟକ । କଟକକୁ ମୁଁ ତେଣୁ କଟକ କହେନା, କହିଥାଏ – “କଟାକ୍ଷ” !

 

କଟକକୁ ସେତେବେଳେ ଆସୁଥାଂତି ଯୂଥବଦ୍ଧ ଯାଯାବର, ଯାବତୀୟ ଜାଦୁକର, ଫୁଂଗୁଳା ଫକିର, ନଂଗଳାମୁକୁଳା ନାଗାସନ୍ନ୍ୟାସୀ, ଶାଂତଶିଷ୍ଟ ଶରଣାର୍ଥୀ, ପୁଣି ପଉଷର ଫେରିବାଲା ପରି ଶୀତକପଡ଼ାର ନେପାଳୀ ବିକାଳି ଦଳ - ସର୍ବୋପରି ନାନା ଦୂରାଗତ ଚରିତ୍ରମାନଂକ ଛିନ୍ନସ୍ରୋତ ସହ ସାମିଲ୍‌ ନ ହୋଇ ସୁଦ୍ଧା କୁଆଡୁ କେଜାଣି ଚାଲିଆସୁଥାଂତି ଭିନ୍ନ କିସମର ଭ୍ରାମ୍ୟମାଣ ବର୍ଗ - ପିଲାକବିଲାଂକୁ ନେଇ ପରଦେଶୀ ପଟୁଆରମାଳ। ରାଜସ୍ଥାନୀ ପାହାଡ଼ିମୁଲକ ନା ବୁଂଦେଲଖଂଡର ବଂଜରଭୂଇଁରୁ - କେଉଁଠୁ ଆସଂତି ଏମାନେ ଏ କଟକକୁ ? ବୋଲାଂତି – ବଂଜାରା । ଏ ବଂଜାରା ଜାତିର ପୁଅଂକ ପଗଡ଼ି କି ଝିଅଂକ ଘାଘରା ଆମ ପରି କଟକୀ କିଶୋରମାନଂକ ପାଇଁ ସେତେବେଳେ ମନେହେଉଥାଏ କେଉଁ କୁହୁକଟାପୁର କୌତୂହଳପ୍ରଦ ପହରଣ ଯେମିତି !

 

୧୯୬୨ ଚୀନ୍‌ ଚଢ଼ଉବେଳେ କଟକକୁ ଚାଲିଆସିଥିଲା ଏମିତି ଗୋଟାଏ ବାରବୁଲା ବଂଜାରା ବାହିନୀ । ଏଇ ବାହିନୀର ବ୍ୟୂହ ଭିତରୁ ଭାଇଭଉଣୀର ଗୋଟେ ଯୋଡ଼ି ସହ ଜମିଉଠିଥିଲା ମୋ ସାନଦିନର ସୁମିଷ୍ଟ ସୌହାର୍ଦ୍ୟ । ଭାଇଟିର ବୟସ ସାତଆଠ । ଐତିହ୍ୟର ଅସମତା ଆଉ ଭାଷାର ଭିନ୍ନତା ସତ୍ତ୍ୱେ ସାବଲୀଳ ସମବୟସ୍କତା ସମେତ ସେଦିନର କିଶୋରସୁଲଭ ସରଳତା ଆମ ଦୁହିଂକୁ ଦେଇଥିଲା ଦମ୍‌ଦାର୍‌ ଦୋସ୍ତି । ଭଉଣୀଟି ଆମଦୁହିଂକଠୁ ଚାରିପାଂଚବର୍ଷ ବଡ଼ । ସୁଶ୍ରୀ ସାବନୀଟେ ସିଏ । ବଂଜାରାମାନଂକ ପଟୁଆରରେ ଏ ଦିହେଁ ବାପମାଆ, ପାହାଡ଼ବନସ୍ତ ଛାଡ଼ି ଦୂର ଦୂରାଂତରୁ ଚାଲିଆସିଥିଲେ ଏଇ ଛୋଟ ସହରକୁ । ରହୁରହୁ ରହିଗଲେ ବର୍ଷେ କେଇମାସ ।

 

ଭଡ଼ାଘରେ ରହୁଥିଲୁ ଆମେ - କଲେଜଛକରୁ ବଂବେହୋଟେଲ କଡ଼ଦେଇ ଯୋବ୍ରାଆଡ଼େ ଲଂବିଯାଇଥିବା ପିଚୁରାସ୍ତାର ବାଆଁପଟେ, ଯେଉଁଠି ଗଢ଼ିଉଠିଥିଲା ସେଦିନ ହୋମ୍‌ପାଇପ୍‌ କଂପାନୀଟେ, ଠିକ୍‌ ତାର ଡାହାଣ କଡ଼ରେ ସେଇ ଭଡ଼ାଘର । ଆଖପାଖ ପାଟରାସାହିରୁ ସମାଧିପାଟଣା, ମେହଂତରବସ୍ତିରୁ ମଝିସାହି, ଭୀମା ବରଫକଳରୁ ବୁଢ଼ୀମଂଗଳା ବିଦ୍ୟାପୀଠ, ହୋମ୍‌ପାଇପ୍‌ କଂପାନୀରୁ ଚମଡ଼ାଗୋଦାମ, ବଂବେହୋଟେଲ୍‌ରୁ ମାଲ୍‌ଗୋଦାମ, ପୋଷ୍ଟଅଫିସ୍‌ରୁ ଷ୍ଟେସନ୍‌ବଜାର, ଦେଉଳପଡ଼ିଆରୁ ଧର୍ମଶାଳା, ତାଳଦଂଡା କେନାଲ୍‌ରୁ ମହାନଦୀଯାଏଁ କଟକର ସେ ଅରାକ ଥିଲା ଆମ ଅଧୀନସ୍ଥ ଆୟତନ - ମୋର ଓ ମୋ ବଂଜାରା ବଂଧୁଟିର । ରଜାପୁଅ ମଂତ୍ରୀପୁଅ ପାରିଧି କରିଯିବା ପରି ଆମେ ଖେଦିବୁଲୁଥିଲୁ ସେ ଖଂଡମଂଡଳ । ବେଳେବେଳେ ମହାନଦୀ ରେଳପୋଲ ବାଟେ ପହଂଚୁଥିଲୁ ଯାଇ ନଈପଠାପାଖେ କୋଳି ଖାଉଥିଲୁ ସେଠି ଦିପହରେ । ସଂଜସରିକି ଲେଉଟିଆସୁଥିଲୁ କଲେଜଛକର ମେଢ଼ଘରପାଖାପାଖି ବସିଥିବା ଚୀନାବାଦାମବାଲାଂକ ଖୋଲାବଜାରକୁ । ହରେକ୍‌ ମାଲ୍‌ ଛଅଣା ଦିପଇସାର ସେ ଅଦ୍ଭୁତ କଟକରେ, ସାଉଁଟା ସଂଜସବୁକୁ ଆମେ ସମର୍ପିଦେଇଆସୁଥିଲୁ କାଠଯୋଡ଼ୀକୂଳ ସତୀଚଉରାରେ କି ଖାଁ ଖାଁ ଖାନ୍‌ନଗରର ବତିଖୁଂଟପାଖେ । କାଳିଆବୋଦାର କାଚକେଂଦୁ କାକରରେ କଟକର ମୁଲାଏମ୍‌ ମୁହଁସଂଜ ମାଜଣା ସାରିବା ମାତ୍ରେ ଆମେ ଫେରୁଥିଲୁ ହାତରେ ହାତ ଛଂଦି ପରସ୍ପରର । ମୁଁ ଫେରୁଥିଲି ଭଡ଼ାଘରକୁ, ସେ ତା' ତଂବୁକୁ ।

 

ଫି ଫେରଂତାସଂଜରେ ଭଉଣୀଟି ତା' ଭାଇର ବାଟ ଚାହିଁଚାହିଁ ଅପେକ୍ଷାରେ ଅନାଇବସିଥାଏ ମତେ ବି । ଆମ ଦିହିଂକି ଏକାସାଂଗେ ଦେଖି ସେ ହସେ ଚୁପ୍‌ଚାପ୍‌ । ଏକଲା ମୁଁ ଘରକୁ ଫେରିବାପାଇଁ ରାସ୍ତା ଆରପଟକୁ ଯିବାପୂର୍ବରୁ ସ୍ୱଚ୍ଛଂଦ ସ୍ନେହାଦରର ସସ୍ମିତ ସଂତକ ପରି ତା' ସୁଂଦର ଚୁମାଟିଏ ଥିଲା ମୋ ସକାଶେ ଫି ସଂଜର ଉଷୁମ୍‌ ଉପହାର । ମୁଁ ଫେରୁଥିଲି ... ଫେରିଆସୁଥିବାବେଳେ ସେ ଭାଇଭଉଣୀଯୋଡ଼ିଟି ଦି'ହଳ ଦରଦୀ ଆଖିରେ ମତେ ଚାହିଁରହୁଥିଲେ ବିଦାୟକାଳୀନ ଭାବଭଂଗିମାରେ ।

 

ଦେଢ଼ବର୍ଷ ଏଇ ନିୟମିତ ନିୟତିକୁ ଅଂଗେ ନିଭାଇଛି ସେଇ ସାନଦିନସବୁ ।

 

ଯେଉଁ ହଳଦିଆ କୋଠାର କେଇଟା କୋଠରି ଥିଲା ଆମ ଭଡ଼ାଘର, ତା' ମାଲିକ ଥିଲେ ଜଣେ ମାରୱାଡ଼ି ମହାଶୟ - ନାଆଁ ବୋଧେ କଲ୍ୟାଣ ରାୟ ନା କ'ଣ । ତାଂକର ସେ ପ୍ରାୟ ପଚାଶ ବଖୁରିଆ ଲଂବାଚୌଡ଼ା ହଳଦିଆ କୋଠାଖଂଡିକ ଥିଲା ବକଟେ ଭାରତବର୍ଷ ଯେମିତି । ସେଠି ଭାଗଭାଗ ଭଡ଼ାଘରେ ରହୁଥିଲେ ଭିନ୍ନ ଭିନ୍ନ ବର୍ଗର ବାସିଂଦା - ଓଡ଼ିଆ, ବଂଗାଳି, ତେଲଂଗା, ଗୁଜୁରାତି, ମାରୱାଡ଼ି, ମୁସଲମାନ, ଖ୍ରୀଷ୍ଟାନ୍‌ ଓ କଲେଜପଢ଼ୁଆ କେଇଜଣ ଛାତ୍ର । ବିଭିନ୍ନ ଜିଲ୍ଲାରୁ ଆସି ଏକାଠି ରହୁଥିବା ଛାତ୍ରମାନଂକର ସେ ଭଡ଼ାଘରଟିର ସାଇନବୋଡ୍‌ର୍ ଥିଲା “ନ୍ୟାସ୍‌ନାଲ୍‌ ମେସ୍‌” । ଏଇ ମେସ୍‌ କଡ଼କୁ ଲାଗି ମୁଂଡ ଟେକିଥିଲା ଆଳୁପିଆଜ, ଅଟାଚାଉଳ, ଡାଲିଘିଅ, ତେଲଲୁଣ, ମିଶ୍ରିଚିନି ଇତ୍ୟାଦିର ଖୁଚୁରା ଦୋକାନଘରଟେ ବି । ମସ୍ତବଡ଼ ବରଗଛଟାଏ ଲୋକକଥାର କେଉଁ ପ୍ରକାଂଡ ପ୍ରହରୀ ମୁଦ୍ରାରେ କାହିଁ କେଉଁକାଳୁ ଅସ୍ତିତ୍ୱ ଘୋଷଣା କରିଥିଲା ଏଇ ଭଡ଼ାଘର ସାମ୍ନାସାମ୍ନି । ସେ ବରଗଛମୂଳେ ଗଂଧିଆବୁଢ଼ାର ନାତେଈ ଗାଈଠୁ ଆରଂଭ କରି ଲକ୍ଷ୍ମୀ ବେହେରାଣୀର ଲେଂଗେଡ଼ୀ ଛେଳି ପର୍ଯଂତ - ସମସ୍ତଂକ ସକାଶେ ଥିଲା ଅଯାଚିତ ଆଶ୍ରୟର ଆଶ୍ୱାସନା ।

 

ଅନାବନା ଅନେକଅନେକ ସ୍ମୃତିର ଶୀର୍ଷକ - ସେଦିନର ସେ କୈଶୋରର କଟକ । ଖଇରରଂଗର ଖରା ଗୁଆରଂଗର ଗୋଧୂଳିଯାଏଁ ଅବାଧ୍ୟ କୈଶୋରକୁ ଏଇଠି କରିରଖେ ନିରୁଦ୍ଦେଶ୍ୟ । ପାନରଂଗର ସାନସାନ ସଂଜସବୁ ଚୂନଧଉଳା ଦେଉଳର ଦଧିନଉତିରେ ଯେତେବେଳେ ନେସିହୋଇଯାଏ ଛାଇ ଲେପିଦେଇ, ଚଢ଼େଇମାନଂକ ଘରବାହୁଡ଼ାର ଘୋଷା ଚପଳଚଂଚଳ କୈଶୋରକୁ ସେତେବେଳେ କଢ଼େଇଆଣେ ଚିହ୍ନାଚୌହଦିକୁ । ପାଂଚଶହ ପଚାଶ ସରିକି ଧୁଉଧୁଉ ଦିପହର ସହ ମିଶିଯାଇଥିବା ମୁହଁସଂଜକୁ ନେଇ, ଏମିତି ସେ ପ୍ରିୟ କୈଶୋରର କଟକରେ, ମୁଁ ପୋତିଦେଇଚି ଗୋଟିଏ ଗହୀରମନର ମଂଜି । ସେଇ ବଂଜାରା ଭାଇଭଉଣୀ ଯୋଡ଼ିଟି କୁଆଡ଼ୁ ଆସି କୁଆଡ଼େ ଦିନେ ବତାସ-ବର୍ଷା ପରି ନିଖୋଜ୍‌ ହୋଇଗଲେ, ମନେପଡ଼ୁନି ଆଉ । ମାତ୍ର ସେ ଦିହିଁକି ମୁଁ କେବେକେବେ ଖୋଜିପାଇଚି ମୋ ସାନଦିନର ଶୂନ୍ୟମୁହୂର୍ତମାନଂକରେ ।

 

ସ୍ମୃତିଚାରଣ ନୁହେଁ କୈଶୋରର ଏ କିୟଦଂଶ। ବରଂ ଦୂରାଂତରୀ ଦୁଇ ଚରିତ୍ରକୁ ନେଇ ଏକ ଚର୍ଯା-ଚାରଣ ଇଏ ।

 

ସକାଳ ହେଲେ ତଂବୁରୁ ବାହାରି କଟକର ବିଭିନ୍ନ ସାଇର ଗଳିରାସ୍ତାଆଡ଼େ ମୁହାଁଇଯାଆଂତି ଦୂରାଗତ ସେଇ ବଂଜାରା ଦଳର ମାଇପିଏ । ସେମାନେ ବିକୁଥାଂତି ମହୁ, ମାଟିମୂର୍ତି, ତଂବାର ତାବିଜ୍‌ ଆଉ ଷ୍ଟୀଲ୍‌ ବାସନକୁସନ କିଛି । ବଦଳରେ ଘରୁଘରୁ ଯୋଗାଡ଼ କରଂତି ପୁରୁଣା ପୋଷାକ, ଜାମାପଟା, ଶାଢ଼ିଲୁଂଗିସବୁ । ଦହିବାଲୀ ପରି ଏଇ ମହୁବାଲୀ ବି ଦିନେ ଥିଲା ହଜିସାରିଥିବା ସେଇ କଟକୀ ସକାଳର ଚଳଂତି ଚରିତ୍ରଟିଏ । ଦହିବାଲୀକୁ ନେଇ ସୁହାଗିଆ ସୁଆଂଗଗୀତ ମୁଁ ଶୁଣିଚି ସେଦିନର ଯାତ୍ରାମଂଚରେ – “ଦେଇ ଯା ଦହିବାଲୀ ଦହି...ଛଇଳୀ ଚାଂଦମୁହୀଁ” ଇତ୍ୟାଦି । ମହୁବାଲୀ କଥା କିଂତୁ ମିଳାଇଯାଇଚି ମେଘବତାସରେ । “ଚାରଣଚର୍ଯା”ର କେତୋଟି ଛତ୍ରରେ ଅଛି ମହୁବାଲୀର ମୃଦୁମୂର୍ଛନା ।”

 

ଭାଇକୁ ଛାଡ଼ି ଭଉଣୀଟି ସବୁଦିନ ସକାଳୁ ସକାଳୁ ବାହାରିଯାଉଥିଲା ବଂଜାରା ଦଳର ମହୁବାଲୀ ମାଇପି ମେଳରେ । ଦିନ ବାରଟାଗୋଟାଏ ବେଳକୁ ସାଇସବୁ ପରିକ୍ରମା ସାରି ଫେରିଆସୁଥିଲା ତଂବୁଘେରକୁ । ଫେରିବାବେଳକୁ ସାଂଗରେ ନେଇଆସୁଥିଲା ରୁଟି ଦଶବାରପଟ ଆଉ ତିନିପ୍ଲେଟ୍‌ ମଟନ୍‌ଫ୍ରାଇ - କଲେଜଛକର ହୋଟେଲ ଅଂବରରୁ । ସକାଳୁଆ ସ୍କୁଲ୍‌ ଛୁଟି ହେବା ପରେ ମୁଁ ଘରେ ପହଂଚୁପହଂଚୁ ଏଗାରରୁ ବାର । ପ୍ରତିଦିନ ଦି’ଟା ଆଗରୁ ମୋ ବଂଜାରା ବାଳୁତବଂଧୁ ଆସି ଘରୁ ମତେ ପାଛୋଟି ନେଇଯାଏ ତାଂକ ତଂବୁଆଡ଼େ । ତଂବୁ ଭିତରେ ସେ ଭାଇଭଉଣୀ ସମେତ ମୁଁ - ଏମିତି ତିନିଜଣଯାକ ମଜଗୁଲ୍‌ ହୋଇଉଠୁ ମଧ୍ୟାହ୍ନଭୋଜନରେ । ଦେଢ଼ବର୍ଷକାଳ ଏମିତି ମୁଁ ଥିଲି ସେ ଦିହିଂକର ନିତ୍ୟନୈମିତ୍ତିକ ନିମଂତ୍ରିତ “ଅତିଥି”। ଥରେ ଚାରିପାଂଚଦିନ ଜରରେ ପଡ଼ିଯାଇଥିବା ଯୋଗୁ ଘରର କଡ଼ା କଟକଣାକୁ ଫାଂକି ଯାଇପାରିନଥିଲି ଯାହା । ମନଦୁଃଖରେ ଭାଇଟି କିଂତୁ ଫେରିଯାଉଥାଏ ମୋ କଥା ପଚାରିସାରିଲା ପରେ, ସେଇ କେଇଦିନ । ପରେ ଜାଣିଲି ଯେ କେମିତି ମୁଁ ଶୀଘ୍ର ଭଲ ହେଇଯାଏ ବୋଲି ଭାଇଟିକୁ ବରାବର ପଠାଇଦେଉଥିବା ଭଉଣୀଟି ଖାଡ଼ା ଉପାସ ପାଳିଥିଲା ପୂରା ଦିନଟାଏ । ସେଦିନ ସେ ମହୁ ବିକିବାକୁ ବି ଯାଇନଥିଲା କେଉଁ ସାଇଆଡ଼େ । ମଜାକଥା ମନେଅଛି, ଯେଉଁଦିନ ମୁଁ ଏକବାରେ ସୁସ୍ଥ ହେଲି, ସ୍କୁଲରୁ ଫେରିଆସିଲା ପରେ ଘରୁ ଲୁଚି, ହଠାତ୍‌ ଯାଇ ହାଜର ହେଲି ତଂବୁ ଭିତରେ । ଭାଇଭଉଣୀ ଦିହେଁଯାକ ମୌନାହତ ମହମମୂର୍ତି ପରି ବସିରହିଥିଲେ ସେଠି । ମତେ ଦେଖି ଦିହେଁଯାକ ଖୁସିରେ କି ଚୂର୍‌ ! ସେଦିନର ସେ ହସ, ସେ ଖୁସି ମୋ ସାନଦିନର ଚକାଭଉଁରି ବାହାରେ ସଂସାରର ସବୁଠୁ ସୁଂଦର ଆମିୀୟତା ପରି ମନେହୁଏ ମୋର ।

 

ଚାରି/ପାଂଚ ଦଶକ ପୂର୍ବର କୁଳୀନ କଟକ ଥିଲା କୁଣିଆମାନଂକ କୁନିସହର । ଏଠି ଅଂକୁରିଉଠିଥିବା ସାଇଭାଇଚାରା ସହ ବସ୍ତିବିରାଦରି ଫୁଟାଇସାରିଥିଲା, ପରକୁ ଆପଣେଇପାରିବାର ପରାର୍ଥପର ପରଂପରାଟିଏ, ସଂଗତ ସଂସ୍କୃତିଟିଏ । କୁଣିଆଏ ଆସୁଥିଲେ କାହିଁକୁଆଡ଼ୁ । ଘରେ ଚୁଡ଼ାମୁଢ଼ି, ଚା’, ଚକୁଳି, ଆରିସା, କାକରା, ମାଲପୁଆ, ମିଠାଠୁ ମାଛମାଂସ, କ୍ଷୀରିପୁରି, ଭାତ, ଭର୍ତା, ଭଜା, ରାଇ, ପୋସ୍ତ, ପୋଡ଼ା, ସଂତୁଳା, ଡାଲମା, ତୁଣଯାଏଁ ଆଉ ବାହାରେ ବରା, ଗୁଗୁନି, ପିଆଜି, ପକଡ଼ି, ଚପ୍‌, ଚନାଚୂରଠୁ ଦହିବରା ଆଲୁଦମ୍‌ଯାଏଁ - ପୁଣି ଗୁଜରାତି ସେଉଗାଂଠିଆରୁ ମାଲୱାର ଦୋସା, ସିଂଗଡା, ହାଲୁଆ, ଉପମା, ବିହାରୀ ଚପାତି, ପଂଜାବୀ ପରଟା କି କାଲକାଟା ସୁଇଟସ୍‌ ପର୍ଯଂତ - କି କି ଖାଦ୍ୟ ସେତେବେଳେ ମହଜୁଦ ନ ଥିଲା କୁଣିଆଚର୍ଚା ପାଇଁ ? ମଠ, ଦେଉଳର ପ୍ରସାଦ ପ୍ରସ୍ତୁତି ସହିତ ବେଶ୍‌ ଚାଲିଥିଲା ବଂଗାଳୀ ରାଂଧଣା, ମୁସଲିମ୍‌ ପାକ, ଖ୍ରୀଷ୍ଟିଆନ୍‌ କେକ୍‌ର କାଟ୍‌ତି । କିସମ କିସମ ଖାଦ୍ୟଶୈଳୀ ଅଲକ୍ଷିତ ଓ ଅଲିଖିତ ଭାବରେ ନଥିଭୁକ୍ତ ହୋଇସାରିଥିଲା କଟକର ଯୌଥଜୀବନଶୈଳୀରେ । ଆଦର୍ଶ ହିଂଦୁ ଭୋଜନାଳୟରେ ଶସ୍ତାରେ ସୁସ୍ୱାଦ ଖାଦ୍ୟ ସୁଲଭ ଥିଲା ଯେମିତି, କିଛି କିଛି ଧର୍ମଶାଳାରେ ଭରପୂର୍‌ ଭୂରିଭୋଜନର ଦାତବ୍ୟ ବ୍ୟବସ୍ଥା ବି ଦୁର୍ଲଭ ନ ଥିଲା ସେମିତି । ସେଦିନ ଥିଲା ଏମିତି ଦିନ । କଟକ କେବେ କୃପଣ ନ ଥିଲା ଅତିଥି ଆପ୍ୟାୟନ ପାଇଁ ।

 

ମାତ୍ର ଯେଉଁ ଅନବଚ୍ଛିନ୍ନ ଆତିଥେୟତା ଏଇ କଟକରେ ମତେ ମିଳିଥିଲା ଦେଢ଼ବର୍ଷକାଳ - ଦିନ ଦିପହରଯାକ – ତା’ କୌଣସି କଟକୀ କୁଟୁଂବର କୃପା କି କରୁଣାରୁ ନୁହେଁ, ମିଳିଥିଲା ସେଇ ବଂଶପରିଚୟହୀନ ବଂଜାରା ଭାଇଭଉଣୀ ଯୋଡ଼ିଟି ପାଖରୁ । ସେ ଚର୍ଚା ତୁଳନାତୀତ। ଭଉଣୀଟିର ମହୁବିକା ମଜୁରିରୁ ସବୁଦିନେ କିଣାହୋଇ ଆସୁଥିଲା ରୁଟି ଆଉ ମାଂସ, ଭାଇଟି ଆସି ନିୟମିତ ଡାକିନେଉଥିଲା ମତେ । ଭଡ଼ାଘରର ଲୁହାରେଲିଂଥିବା କବାଟଉପର ଫାଂକବାଟେ ସବୁଦିନ ଦି’ଟା ଆଗରୁ ମୁଁ ଲୁଚିଛପି ପଳାଇଆସୁଥିଲି - ଭଉଣୀଟି ଅପେକ୍ଷାରେ ବସିଥିବା ତଂବୁ ଭିତରକୁ, ବୋଉ ଦିବାନିଦ୍ରା ଯାଇଥିବାବେଳେ । ତିନିହେଁ ତୃପ୍ତିରେ ନିଃଶେଷ କରିଦେଉଥିଲୁ ସେ ସ୍ୱାଦିଷ୍ଟ ସୁଖାଦ୍ୟ ।

 

ଦିନେ ନୁହେଁ, ମାସେ ନୁହେଁ, ବର୍ଷେ ନୁହେଁ – ଦେଢ଼ବର୍ଷ ।

 

କେବଳ ସତେଜ ସୁଖାଦ୍ୟରେ ନୁହେଁ, ସ୍ୱଚ୍ଛଂଦ ସୌହାର୍ଦ୍ୟରେ ବି ସାବ୍ୟସ୍ତ ସେ ସାବଲୀଳ ସମୟର ସ୍ପର୍ଶ ।

 

ସେ ବଂଜାରା ଭାଇଭଉଣୀଂକ ନାଆଁ ମନେନାହିଁ ମୋର । ମନେଅଛି କିଂତୁ, ମହୁମହକର ସେ ମାୟାମମତା । ସାନଦିନର ସେ ସୁବାସିତ ସ୍ମୃତି । ରକ୍ତରେ ସ୍ୱାକ୍ଷରିତ ସଂପର୍କଠୁ ରସରେ ରସାଣିତ ସେ ସଂସର୍ଗ ନ୍ୟୂନତର ନୁହେଁ ମୋ ପକ୍ଷରେ ।

 

ସୁରୁଖୁରୁ ସମୟଟା ସୁଖକୁ ଶୁଆଇଦିଏ ସୁଅରେ । ସରିଯାଏ ସେ ସୁଅ, ସଂଚରିଯାଇଥାଏ କିଂତୁ ସ୍ନେହ - ସାରା ଜୀବନ –

 

ଦିନର ମଜରା ଛଡ଼ାଇବାକୁ ସଂଜପହରରୁ ରାତିଅଧଯାଏଁ ଚାଲେ ମଜଲିସ୍‌ । କାଠିକୁଟା, ଡାଳପତ୍ର ଗଦେଇସାରି ନିଆଁ ଧରାଇଦିଆଯାଏ ସେଥିରେ । ନିଆଁ ନଲିଭିବାଯାକେ ଚାଲୁଥାଏ ନାଚର ଆସର । ବଂଜାରାର ବାରପ୍ରକାର ବାଜାବାଜଣାରେ ବିଚିତ୍ର ବେପଥୁ ଯେତିକି, ତା' ବହଳ ଗୀତର ସ୍ୱରରେ ବିବ୍ରତ ବ୍ୟଥା ବି ସେତିକି । ନିଆଁ ଚାରିପଟେ ଆଗକୁ ପଛକୁ ଅଂଟା ବାଂକି ବଂଜାରା ବଧୂ ଓ ବାଳିକାମାନଂକ ନୃତ୍ୟମଂଡଳ ରଚନା ଏକ ଅପୂର୍ବ ଅତୃପ୍ତିରେ ଆଂଦୋଳିତ କରେ ଅଂତଃସତ୍ତା । କଅଁଳ କାଂଦର କଇଁପାଖୁଡ଼ାରେ ଗୁଂଥା ହୋଇଥାଏ ଗୀତଗୁଡ଼ା ଯେମିତି - ବୁଝିହୁଏନି କିଛି - ସ୍ୱର କିଂତୁ ସ୍ନାୟୁଗୁଚ୍ଛକୁ ଶୁଣାଇଯାଏ ସ୍ୱତଃସ୍ଫୂର୍ତ ସ୍ୱଗତଭାଷ ! ଅନୁମାନ କରିହୁଏ ଯେ ସେମାନଂକ ସ୍ୱରରେ ଥାଏ ସୁଦୂର-ପ୍ରେମର ପୀଡ଼ା - ଯାଯାବର ଯୌବନର ଯାତନା - ମରୁମେଘର ମାୟା । ମୋ ସାନଦିନସବୁ ଦିନଦିନ ମାସମାସ ଏଇ ଉତ୍ତପ୍ତ ଉତ୍ତାଳତାରେ ଉଚ୍ଛ୍ୱସିତ। ଅଜଣାଅଚିହ୍ନା ଶବ୍ଦର ଟୁକୁରାସବୁ ସୁକୁମାର ସ୍ୱରସ୍ପଂଦନ ପାଲଟୁଥିବାବେଳେ ଅଂତଃସ୍ଥଳରେ ଛଳଛଳ ହୋଇଉଠେ ଛଟପଟ ଛଂଦ । ସେ ଛଂଦକୁ ଅନେକସମୟରେ ସଂବୋଧନ କରେ ସାନଦିନର କିଛିକିଛି କବିତା - ଅଝଟ, ଅବୁଝା, ଅସ୍ତବ୍ୟସ୍ତ ।

 

ବେଣୀ ବାଂଧୁଥିଲା ବର୍ଷାଋତୁ ବୋଧେ । ସେତେବେଳେ ବର୍ଷା ଆସିଗଲେ ଆଂଠୁଏପାଣିରୁ ବେକେପାଣିଯାଏଁ ଉବୁଟୁବୁ ହୁଏ କଟକସହର । ଛତା ଆଉ ଛାତ ଉପରେ ବାଡ଼େଇକଚାଡ଼ି ହୁଏ ବାଇଆଣୀ ବର୍ଷା । କୁଆଡ଼ୁ ଆସି କୁନିକୁନି କୁଦ କୁଢ଼େଇଯାଆଂତି କୁଆପଥରସବୁ । କଟକ ଦିଶେ କୁବୁଜୀ କୁବୁଜୀ । ପନିପରିବାରୁ ଫୁଲଫଳ ଦୋକାନ ପର୍ଯଂତ - ସବୁଆଡ଼କୁ ସରୁସରୁ ସଡ଼କସବୁ ପାଣିକାଦୁଅରେ ପଚରପଚର । ରାସ୍ତାରେ ପଖିଆ କି ତାଳପତ୍ରଛତା ତଳେ ତଥାପି ମାମୁଲି ମଣିଷର ପଟୁଆର, ସେଦିନର କଟକରେ ମନେହେଉଥାଏ ଝଡ଼ିବର୍ଷା ବିରୋଧରେ ଯେମିତି ଜୀବନର ଜିଦ୍‌ଖୋର ଜେହାଦ୍‌ ଘୋଷଣା ! ଏଇ ମଜଭୁତ ମାମୁଲିମଣିଷ ଏବେ ମୂଳପୋଛ । ସେ କୁଦାମରା କୁଆପଥର ଏବେ ମିଳେଇଯାଇଚି କୁଆଡ଼େ । ବାଇମୁଂଡିର କୈଂବଦଂତିକ କଟକ ବୋଧହୁଏ କବର ନେଇସାରିଚି ପଥରବଂଧ ତଳେ ନୁହେଁ, ଠିକାଦାରୀ ଠାପୁଆମିର ଠା’ପିଢ଼ା ତଳେ ।

 

ସେଭଳି ଲୁତୁପୁତୁ ଲଗାଣବର୍ଷା ବି କେବଠୁ ଫେରାର୍‌ ।

ସେ ବର୍ଷ କଟକରେ ବର୍ଷା ବିଜେ ହେଲାବେଳକୁ ବାଟ-ବାହୁଡ଼ା ପାଇଁ ସଜ ହେଉଥାଏ ବଂଜାରା ଦଳଟି ।

 

ସେ ଭାଉଭଉଣୀ ଯୋଡ଼ିଟି ସହିତ ସୁଦୀର୍ଘ ସଂପର୍କ, ମତେ ବଂଜାରା ଦଳର ପ୍ରିୟ “ବଚ୍ଚାବାବୁ”ରେ ପରିଣତ କରିସାରିଥାଏ ସେତେବେଳକୁ । ଭାବର ଅଭାବ ନ ଥିଲା କେବେ, ସେଇସବୁ ଭିନ୍ନଭାଷୀ ବାରବୁଲା ମଣିଷଂକ ପାଖେ । ଯେଉଁଦିନ ସେମାନେ କଟକ ଛାଡ଼ିବେ, ସେଦିନ ମୁଁ ଦିପହରୁ ସେଠି ଯାଇ ହାଜର୍‌ । ହଠାତ୍‌ ବଦଳିଯାଇଥିଲା ଦେଢ଼ବର୍ଷର ଦୁନିଆଟା । ସବୁତକ ତଂବୁ ଖୋଲାସରିଥିଲା ପ୍ରାୟ । ସବୁ ସରଂଜାମ ଆଉ ଆସବାବପତ୍ର ଛୋଟବଡ଼ ଗୁଡ଼ିଏ ଗଂଠିଲି ଭିତରେ ବଂଧା । ସେମାନଂକ ସଚଳ ସଂସାରର ସାମାନ୍ୟ ସଂଚୟ ସେସବୁ । ଏ ସହର ଛାଡ଼ି ସେମାନେ ଚାଲିଯିବେ ଆଉକେଉଁ ସମତଳ କି ମାଳମୁଲକକୁ । ଚିରକାଳର ଏଇ ଅଚିହ୍ନିତ ଚଲାପଥୁକିମାନଂକୁ କିଏ ବା ପଚାରିପାରିବ-କେଉଁଠି ସେମାନଂକ ପ୍ରଥମ କଦଂବର ଗହନ-କାନନ-ବନ ? କେଉଁଠି ଶ୍ୟାମଳ ମେଘର ମାନଚିତ୍ର ଆରପଟେ ବାଲୁଚରପାରି ସେମାନଂକ ଶେଷଗାଆଁ ?

 

ସେଇ ସମ୍ମିଳିତ ଶେଷଦିନର ଖାଦ୍ୟ ସେମିତି ଥୁଆହୋଇଥିଲା ଆମ ତିନିଂକ ଆଗରେ । ପାଣିଗିଲାସେ ଖାଲି ପିଇଥିଲା ଯାହା ବଂଜାରୁଣୀ ଭଉଣୀଟି-ତା’ ଭାଇକୁ ଆଉ ମତେ କିଂତୁ ବଳେଇବଳେଇ ଖୁଆଇଦେଇଥିଲା, ପଟେ ରୁଟିକୁ ଦି’ଫାଳ କରିଦେଇ । ଯେତେ ବାଧ୍ୟ କଲେ ବି କାହିଁକି କେଜାଣି ଖଂଡିଏ ବି ମାଂସ ପାଟିକୁ ନେଇପାରିନଥିଲୁ ଦି’ ଦୋସ୍ତ୍‌ । ବାହାରର ବତାସରେ ବୋଧେ ବତୁରିଆସୁଥିଲା ଭିତରର ହାହୁତାଶ...

 

ରାତିର ଟ୍ରେନ୍‌ ଆସିବାକୁ ଆଉ ଅଧଘଡ଼ି । କଟକ ଷ୍ଟେସନର ପ୍ଲାଟ୍‌ଫର୍ମରେ ନିଜନିଜ ବୁଜୁଳାଟିମାନ ବିଛାଇ ବସିପଡ଼ିଥିଲେ ବାରବୁଲା ବଂଜାରାବାହିନୀ । ଭାଇଭଉଣୀ ଯୋଡ଼ିଟି ସାଂଗରେ ମୋ ଶେଷସାକ୍ଷାତ ଥିଲା ନିତାଂତ ନିଃଶବ୍ଦ । କେହି ବି କାହା ଆଖିକୁ ଅନାଇପାରୁନଥିଲୁ ଆଉ । ଶେଷଆଡ଼ିକି ଭଉଣୀଟି ମୋ ହାତକୁ ଜୋର୍‌ରେ ଚାପିଧରିଥାଏ ପାପୁଲିରେ । ତା’ ଆଖିରେ ପାଣି - ଭାଇର ମୁହଁରେ ଯେମିତି ମେଂଚାଏ ବରଫ - ମୋ ଭିତରେ ବାଂଫ !

 

ଟ୍ରେନ୍‌ ଆସି ରାତାରାତି ସେଦିନ ଅପହରଣ କରିନେଇଗଲା ମୋର ଦେଢ଼ବର୍ଷର ଅପାପବିଦ୍ଧ ଅତୀତକୁ । ଏକ ବାଧ୍ୟତାମୂଳକ ବିଦାୟବେଦନାକୁ ବରଦାସ୍ତ କରିବା କ'ଣ ଏତେ ସହଜ ? କାହିଁକି ସେଦିନ ମତେ ଜାବୁଡ଼ିଧରି ସେଦିହେଁ କାଂଦୁଥିବାବେଳେ ବୁଂଦାଏ ବି ଲୁହ ନ ଥିଲା ମୋ ଆଖିରେ ? ରେଳଧାରଣା ଉପରେ ଟ୍ରେନ୍‌ ଯେତେବେଳେ ଚାଲିବାରୁ ଦଉଡ଼ିବା ଭଂଗୀଟାଏ ନେଲା, ଦରଜାରେ ଛିଡ଼ାହୋଇ ହାତ ହଲାଉଥିଲା ମୋ ଦୋସ୍ତ୍‌-ହାତ ଟେକିଦେଇଥିଲି ମୁଁ ବି-ମାତ୍ର ଅଳ୍ପଟିକିଏ ବି ହଲାଇପାରୁନଥିଲି ମୋଟେ । ଟ୍ରେନ୍‌ଖିଡ଼ିକିରୁ ମତେ ଦିଶୁଥିଲା ଗୋଟିଏ ଡହଳବିକଳ ମୁହଁ, ଦୁଇଟି ଆକୁଳ-ଆତୁର ଆଖି- ଘୂରାଣିର ଘନଅଂଧାରରେ ଗୋଟାଏ ନିଗୂଢ଼ ସଂପର୍କ ଅଧାଲେଖା ଠିକଣା ପାଲଟିଯାଉଥିବାବେଳେ ।

 

ଷ୍ଟେସନରୁ ସେଦିନ ଚୁପ୍‌ଚାପ୍‌ ମୁହଁ ପୋତି ଫେରିଆସୁଥିବାବେଳେ ମୁଁ ମୋ ଭିତରେ ଅନୁଭବ କରିଥିଲି ନିଜ କାଂଦୁଥିବା କୈଶୋରର ଆକସ୍ମିକ ଅପମୃତ୍ୟୁ ! ନିଜ ନୀଳନକ୍ଷତ୍ରର ନିର୍ଜନତମ ନିର୍ବାକ୍‌ ନିର୍ବାଣ !

 

ଏ ଘଟଣାର କେଇବର୍ଷ ପରେ ମୋ କୈଶୋରୋତ୍ତର କଟକକୁ ଆଉ ଦି' ତିନି ଦଳ ବାରବୁଲା ବଂଜାରା ବି ଆସିଛଂତି ଆଉ ଫେରିଯାଇଛଂତି ଅବଶ୍ୟ । ମାତ୍ର ସେ ଦି' ଭାଇଭଉଣୀଂକି ମୁଁ ଯେତେ ଖୋଜିଲେ ବି ଆଉ ପାଇପାରିନି କେବେ କେଉଁଠି ।

 

ଇଏ ଗୋଟେ ନାଆଁ-ନଜଣା ନିଆରା ସଂପର୍କ - ଯାହା ମତେ ଉପହାର ଦେଇଗଲା ଶୂନ୍ୟତାକୁ ସ୍ୱରଶବ୍ଦ କରିବାର ସଂକଳ୍ପ... ଦୁଃଖକୁ ଡଉଲଡାଉଲ ଫୁଲଟିଏ କରିଦେବାର ସତ୍ୟ ।

 

ଏ “ଚାରଣଚର୍ଯା”କୁ ମୁଁ ଉତ୍ସର୍ଗ କରିଛି ସେଦିନର ସେଇ ବାଟୁଆଣୀ ବଂଜାରୁଣୀ ବାଳିକାର ସ୍ୱପ୍ନାଭ ସ୍ମୃତିରେ ।

 

ଗିରିଜା କୁମାର ବଳୀୟାରସିଂହ

 

ସୂଚୀ ଓ ସୂଚନା

 

୧. ଦୁଇଧାଡ଼ିକା ଦୁଃଖ

୨. ଦୂବଘାସ

୩. ସୋରିଷଫୁଲ

୪. ସେ ଏକ ସ୍ୱପ୍ନ

୫. ହେ ମେଘ, ହେ ତରା

୬. ଏକ୍‌ଲାତାରାର ଏକ୍‌ତାରା

୭. ସେଇସବୁ ରାତି:ଏଇସବୁ ତାରା

୮. ରୁବାୟତ୍‌

୯. ଏଠି ତମ ପାଇଁ

୧୦. ସ୍ୱପ୍ନାଂତ

୧୧. କୁଆପଥର : ନୂଆପଥର

୧୨. ସହୃଦୟାସୁ

୧୩. ହୃଦୟ ହଜିଲେ ହଜିବାକୁ ଦିଅ

୧୪. ହଂସରାଳୀର ହ୍ରଦ

୧୫. ଅନ୍ୟଥା

୧୬. ଭାଟିଆରୀ

୧୭. ନଦୀ-ଉପନଦୀ

୧୮. ଏଇଠାରେ

୧୯. ରାଗବୈରାଗ

୨୦. ମରୁମୃଗୟା

୨୧. ନୈଶନାମା

୨୨. ଅଧୁରା

୨୩. ଅବାଟ

୨୪. ଯାଯାବର

୨୫. ଏକପଦୀ

୨୬. ଚଉପଦୀ

୨୭. ସେ ହାତହଳକ

୨୮. ପ୍ରାଚୀନ ପ୍ରେମ

୨୯. ବିହଂଗାବଲୋକନ

୩୦. ଗୀତ ଗାଇଲେ

୩୧. ଅସତୀଚଉରା

୩୨. ଗୋପଗୋପନ

୩୩. ପଳାତକ

୩୪. ଦୁଃଖ

୩୫. ଶେଷସିଂଦୂରା

୩୬. ଛାତି ଭିତରେ

୩୭. ଆଜି ସଂଧ୍ୟା

୩୮. କହିଦେଇଗଲି

୩୯. ପଦପୂର୍ତି

୪୦. ସବୁ ଶବ୍ଦ ତ ଶୋଷ

୪୧. ବାଇଚଢ଼େଇ

୪୨. ଦେଶାଂତର

୪୩. ମରୁମଲ୍ଲାର

୪୪. ଋତୁସଂହାର

୪୫. ଦ୍ୱିତୀୟଋତୁର ଦୁଃଖ

୪୬. ବର୍ଷାବାହୁଡ଼ା

୪୭. ସଂଗୀ-ସଂଗୀତ

୪୮. ବିଷାଦବୃତ୍ତ

୪୯. ପ୍ରତିଜନ୍ମରେ

୫୦. ଧ୍ୱଂସାବଶେଷ

୫୧. ହୁକିଟୋଲା

୫୨. ଫୁକୁଶିମା : ୧୧ ମାର୍ଚ୍‌ '୧୧

୫୩. ଜାପାନ୍‌

୫୪. ଦଂତପୁର

୫୫. ଓଡ଼ିଶା

 

ଦୁଇଧାଡ଼ିକା ଦୁଃଖ

 

ମୁଁ ଏକ ଦିବା

ସ୍ୱପ୍ନ କିବା

ଗତଗୋଧୂଳି ଗ୍ରାମେ

ମୁଁ ଅକାରଣ

ପାଗଳପଣ

ବେଜାଏ ବଦନାମେ !

 

ତମେ ତମର

ସଂଜ ସଦା

ତମେ ଅଧୁରା

ମୁଉଁ ବି ଅଧା

ନହେଲେ ଧର

ନିଜ ନିଜର

ନିର୍ଜନତା ଆମେ !!

 

ମୁଁ ମିଠାମାୟା

ମୋହରେ ବାୟା

ଭଲପାଇବା ଗୋଟେ

ମୁଁ ଅମାନିଆ

ନିଆରା ନିଆଁ

ଲୁଣି ଲୁହରେ ଲୋଟେ !

 

ତମେ ତରଳ

ସରଳରେଖା

ତମେ ଏକ୍‌ଲା

ମୁଉଁ ବି ଏକା

ବର୍ଷା ବିନା

ବାଦଲ ସିନା

ମାନେ କି ମନ ମୋଟେ ?

 

ମୁଁ ମ୍ରିୟମାଣ

ରାତିର ରାଣ

ମୌନାବତୀ ମୁହେଁ

ମୁଁ ଅତିବେଶି

କୃଷ୍ଣକେଶୀ

କଥା କାହିଁକି କୁହେ ?

 

 

ତମେ ତଥାପି

କି ଚୁପ୍‌ଚାପ୍‌

ତମେ ଏଲିଜି

ମୁଁ ଏପିଟାଫ୍‌

ଛାଡ଼ି ଛାଡ଼ିକା

ଦୁଇ ଧାଡ଼ିକା

ଦୁଃଖଟିଏ ଦୁହେଁ !

 

ଦୂବଘାସ

 

ଘାସଫୁଲ ଗୋ

ଦୂବଟିଏ ମୁଁ

ଦୁଃଖୀ - ଅତି ଦୀନ

ଭୋଗିନି ଭୋର୍‌

ତମର୍‌ ମୋର୍‌

ପ୍ରେମର ପ୍ରତିଦିନ !

 

କାଂଦେ କିଛି

କାକରଥୋପା

ତମେ ଗୋହିରି

ଗାଆଁର ଗୋପା

ଆଉ ଆମ୍ର

ପଲ୍ଲୀରେ ମୁଁ

ଅବାକ୍‌ ଗତିହୀନ !

 

ଥରକୁଥର

ମୁଁ ପଥର

ଫାଟରେ ବାଟବଣା

ଛୁଉଁ ନଛୁଉଁ

ତମ୍‌କୁ ମୁଉଁ

କେତିକି କଟକଣା !

 

ଘେନ ଗୁହାରି

ଘାସଫୁଲ ଗୋ

ବନବାସର

ମାସ ଭୁଲ ଗୋ

ଦି' ଦିହର

ଦ୍ୱିପ୍ରହର

ଗୋଟେ ଦୁର୍ଘଟଣା !

 

ଏଠି ଆମର

ଚିରା ଚାମର

ଆଲଟ ଆଖେପାଖେ

ମାୟାମଦିର

ଶ୍ରୀମଂଦିର

ଛାୟାସ୍ୱପ୍ନ ମାଖେ !

 

 

ତମେ ବି ଏଠି

ବୁଣିଲେ କାଲି

ସୋରିଷ ନୁହେଁ -

ଶରଧାବାଲି

ବନଦେବୀକି

ମନ ଦେବି କି

ବଂଚିଥିବାଯାକେ ?

 

ସୋରିଷଫୁଲ

 

ଦୀର୍ଘ ହୁଏ ମୋ ଦୁଃଖ ଯେଉଁଠି

ଦେବଦାରୁଗଛ ପରି

ସେଇଠି ସୁଖର ସୋରିଷଫୁଲ ଗୋ

ପଉଷରେ ପଡ଼ଝରି !

 

ମଲାପତ୍ରର

ମହରଗ ମୁଲକରେ

ମହକ ତମର

ମତୁଆଲା ମତେ କରେ

 

ଜଂବୁଦ୍ୱୀପକୁ ଜାଣିନି ଯିବାକୁ

ଅଛି କି ନଅଛି ତରୀ

ଅଟକିବି ତମ ଅଟବୀରେ ଏଠି

ଆଶାକୁ ଆଶ୍ରା କରି !

 

ସେ ଏକ ସ୍ୱପ୍ନ

 

ଶଂଖନଦୀର ଶରଧାବାଲିରେ

ଶାମୁକାଟେ ହେବା ପାଇଁ

ସେ ଏକ ସ୍ୱପ୍ନ ଯାହାକୁ କଦାପି

କାହାକୁ ମୁଁ କହିନାଇଁ !

 

ସ୍ୱାକ୍ଷରଟିଏ

ସାରୁ କି ନସାରୁ

ସ୍ୱାତୀ

ରଂଗରେ ତାର

ହଳଦିଆ ହୁଏ

ରାତି

 

ଆଉ ସେ ରାତିର ରକ୍ତଚିତାକୁ

ଚଂଦ୍ର ଚମକେ ଚାହିଁ

ସେ ଏକ ସ୍ୱପ୍ନ ଅଧା ରହିଯାଏ

ପହର ଗଲେ ବି ପାହି !

 

ହେ ମେଘ, ହେ ତରା

 

ମୁଁ ଯେଉଁଠି ଅଛି,

ତମେ ସେଠି ନାହଁ

ହେ ମେଘ, ମୁଁ ତମ

ବର୍ଷଣପ୍ରାୟ

ବେପଥୁରେ ବ୍ୟଥାଭରା

 

ମୁଁ ଯେଉଁଠି ନାହିଁ,

ତମେ ସେଠି ଉଅଁ

ହେ ତରା, ମୁଁ ତମ

ଅଳ୍ପ ଆଲୁଅ

ଅଂଧାରେ ଅଧାମରା !

 

ଏକ୍‌ଲାତାରାର ଏକ୍‌ତାରା

 

ଏକ୍‌ଲା ତାରାର

ଏକ୍‌ତାରା

ବନବାସିନୀଠୁ

ବନ୍‌ଜାରା !

 

ହେ ଭୁଲ୍‌ଭୁଲେୟା

ଭଲପାଇବା,

ଠିକ୍‌ କି ତୋ ଗୀତ

ମୁଁ ଗାଇବା ?

 

ତତେ ଦୂର କରି

ପାରିବି କି ମରି ?

ଦିଶା ଦିଶୁନାଇଁ

ଦିନସାରା !

 

 

 

ଏକ୍‌ଲାତାରାର

ଏକ୍‌ତାରା

ଜାହାନ୍ନାରାଠୁ

ରୋଶନାରା !

 

ହେ ଭାରିଖରାପ୍‌

ଭଲପାଇବା,

ଭଲ କ'ଣ ହେଲା

ତୁ ଥାଇ ବା ?

 

ମତେ ପର କରି

ପାରିଲୁ କିପରି ?

ସାରାରାତି ସେଇ

ସାୟୋନାରା !

 

ସେଇସବୁ ରାତି : ଏଇସବୁ ତାରା

 

ସଂଧ୍ୟାତାରାର

ସାକ୍ଷାତକାର

ସତରେ କି ସ୍ୱପ୍ନିଳ

ମତେ ମାଗିଆସେ

ସ୍ୱପ୍ନ ସକାଶେ

ନୟନତାରାଠୁ ନୀଳ !

 

ସେଇସବୁ ରାତି

ଏଇସବୁ ତାରା

ଜାଳୁଥିବେ ମତେ

ଜୀବନଟା ସାରା

ଚିତ୍ରମେଘରେ

ଚୋରାବାଲିଘରେ

ଚଂଦ୍ର ଚଳନଶୀଳ !

 

 

 

ରୁଦାଲୀ ରୁଦାଲୀ

ରାତ୍ରି ରୂପାଲୀ

ଦୀପାଳୀ କି ଦୟନୀୟା

ଉଦାରା ମୁଦାରା

ଉସ୍‌ମାନ୍‌ ତାରା

ଉଦାସିନୀ ଏକ ପ୍ରିୟା !

 

ଉହୁଁ ମୋ ଉଆଁସେ

ନୁହେଁ ସେ ଅନ୍ୟା

ଉଏଁ ଉବୁଟୁବୁ

ଉଆଁସୀକନ୍ୟା

ପ୍ରତିପଦା ପରେ

ଦ୍ୱିତୀୟାର୍ଧରେ

ଅଦିତି ଅଦ୍ୱିତୀୟା !

 

ରୁବାୟତ୍‌

ଚିରକୁମାରୀର ଚିତ୍ରକୂଟରେ

ଛପନ ଛତ୍ରଭଂଗ

ଅଭିସାରିକାର ଅକ୍ଷକୂଟରେ

ଅନେକ ଅସ୍ତରଂଗ !

 

ଚମେଲିରେ ଚୁମା

ଚଂପାରେ ଚିନି

ଷୋଡ଼ଶିନୀ ଯଦି

ହୁଏ ପଡ଼ୋଶିନୀ

ସକାଳ ଚାହିବ ଚା’କପେ ଆଉ

ସଂଜ ମାଗିବ ସଂଗ !

ଅନୁରାଗିଣୀର ଅନୁମୋଦନରେ

ଅନୁକଂପିତ ଅଂଗ

ଅଭିମାନିନୀର ଅଳ୍ପ ଓଠରେ

ଆଳାପର ଅନୁଷଂଗ !

 

ଛଂଦଚପଳା

ଛଦ୍ମବେଶିନୀ

ବୟସିନୀ ଯଦି

ହୁଏ ବିଦେଶିନୀ

ରାତି ଭରୁଥିବ ପାନପାତ୍ରରେ

ଭୋର୍‌ଆକାଶର ରଂଗ !

 

ଏଠି ତମ ପାଇଁ

 

ଖଜୁରିବଣକୁ ଖରା ଲେଉଟୁଚି

ଘାସପତ୍ରରେ ଘୁମି

ଏଠି ତମ ପାଇଁ

ବଢ଼ୁ ବନ୍‌ସାଇ

ଛୋଟଛୋଟ ଛାଇ ଚୁମି !

 

ବଡ଼ ବେଦରଦୀ

ବେଦୁଇନ୍‌ ବାଟ

ବାଲିରେ ଭାଂଗ

ପଥରରେ ଫାଟ

 

ମାନଚିତ୍ରର ମରୀଚିକା ମୋଡ଼େ

ମପାହୁଏ ମରୁଭୂମି

ମତେ କରିଦିଏ ମୂର୍ଛା ଟିକିଏ

ମଦାଳସୀ ମୌସୁମି !

 

 

ଗଳିର ଗୋଧୂଳି ଗହୀରଗୁଳାର

ଲୋଧିରେଣୁରେ ଲୋଟେ

ଏଠି ତମ ପାଇଁ

ଜିଏଁ ଯଦି ଜାଇ

ନମରୁ ମରୁଆ ମୋଟେ !

 

ବୟସୀ ନହେଉ

ବର୍ଷାରେ ବଣା

ପାଗଳୀ ପାଲଟୁ

ପାହାଡ଼ୀଝରଣା

 

ମରୁର ସେ ମଧୁଶଯ୍ୟା ସଜାଉ

କାକ୍‌ଟସ୍‌ କଢ଼ଗୋଟେ

ଶବ୍ଦ ମୋ ଯାଇ ଶେଷଚୁଂବନ

ଆଂକୁ ତମର ଓଠେ !

 

ସ୍ୱପ୍ନାଂତ

 

ପଦ୍ମପାଖୁଡ଼ା ପତାରେ ପତାରେ

ପଲାସ ପଲସ୍ତରା

ଜବରୀ ଜବାର ଜଲ୍‌ସାରେ ଜଳେ

ଯଯାତି ଯୁଗର ଜରା !

 

ଲାଜକୁଳୀ ଲାଗି

ଛି’ ଛଅ ଛୁଆଁ

ଫି' ଫିରିକିରେ

ଫୁଲର ଫତୁଆ

 

ରୁମାଲ୍‌କନାର ରେଖାଚିତ୍ରରେ

ରଂଗଣୀ ରଫୁକରା

ନୁହେଁ ମୁଁ ଗରବୀ ରକ୍ତକରବୀ,

ଧୂଳିଘରେ ଦେବି ଧରା !

 

 

 

ତମେ ଖୋଜ ଘର । ମୁଁ ଖୋଜେ ବଗିଚା

ଆମକୁ ଜୁଟୁନି ଜମି

ଆମ କ୍ୟାମେରାର କାଚଝର୍କାରେ

ଆକାଶ ଆସୁଛି କମି !

 

ଗୋଲାକାର ଗ୍ରହ

ଗଢ଼େ କି ଗାରଦ ?

ପତ୍ରରେ ପଡ଼େ

ପାଣିର ପାରଦ

 

ନିଆଁନିଭା ସବୁ ନିଦର ସହରେ

ସ୍ୱପ୍ନ ଯାଉଛି ଥମି

କେଶମୁକୁଳା ଏ ଶେଷରାତ୍ରିର

ବେଶ ବଡ଼ ବେସରମୀ !

 

କୁଆପଥର : ନୂଆପଥର

ଅନ୍ନକୁ ଅବା ହଂସଗୀତିରେ

ଆବାହନ କରେ - ଆ'

ହଳଦୀହାତର ସିଂଦୂରସଜା

ସରୁ ଅରୁଆର ଗାଁ !

 

କାକର କୁଢ଼ାଏ

କଦଳୀପତ୍ର

ସାରୁପତ୍ର କି

ସରଳ ଛତ୍ର ?

ବରପତ୍ରକୁ ବରାଦ ବତାଏ

ଓସ୍ତପତର ନାଁ !

ଅନତିଦୂରରେ ଅଂଗନବାଡ଼ି

ଅନା ଲୋ ଅନାରକଳି,

ସିଲ୍‌କ୍‌ ସୀତାର ସିଲ୍‌ହଟ୍‌ ସେଠି

ସରାବୀ ସହରତଳି !

 

ଖରିବଣ ଖାଲି

ଖରକୁଚି ଖରା

ତରଳି ତରଳି

ତରକୁଚି ତରା

ଆଉ ଜାମୁକୋଳି ରଂଗର ଗୋଟେ

ଜହ୍ନ ଯାଉଚି ଜଳି !

 

ଛାଡ଼ିଆସିଚି ମୁଁ ଛାୟାଚଂଦ୍ରିକା

ମାୟାମମତାର ମୋଡ଼େ

ଯୋଡ଼ିଏ ନଈର ଗୋଟିଏ ସହର

ପାଣି ପାଇଁ ମଥା କୋଡ଼େ !

 

ଫୁଲବର୍ଷାକୁ

ଫେରାଦ କରିଛି

କୁଆପଥରରୁ

ଫେରାଇଦେ କିଛି

ମୁଁ ଯେପରି ସବୁ ଜଉଘର ସେଇ

ନୂଆପଥରରେ ଯୋଡ଼େଁ !

 

ସହୃଦୟାସୁ

 

ହୃଦୟ କିଏ

ହଜାଇଦିଏ

ହୃଦୟ ପାଇଁ

ହୃଦୟ ବିନା

ହୃଦୟହୀନା

ହସେ କି ନାଇଁ ?

 

କାଂଦେ - ଯଦି

ହଜାଏ ମୁଦି

କୁଆଡ଼େ କାଇଁ

ହସଠୁ ତାର

ଲୁହର ଧାର

ଲଜ୍ଜାଦାୟୀ !

 

 

 

 

ହୃଦୟ କିଏ

ହରାଇଦିଏ

ହାତରେ ପାଇ

ହାତକୁ ହାତ

ଛଂଦିବା ତ ?

ହୃଦୟ କାହିଁ ?

 

କେତେ ଦ୍ୱିତୀୟା

ଯାମିନୀ ପ୍ରିୟା,

ଯାଇଚି ପାହି

ରାଜଗୃହେ

ହୃଦୟ ହୁଏ

ଶଯ୍ୟାଶାୟୀ !

 

ହୃଦୟ ହଜିଲେ ହଜିବାକୁ ଦିଅ

ହଜାର ହଜାର

ହାଟ ନା ବଜାର

କେଉଁଠି ହୃଦୟ ହଜେ ?

ମନ ମୁହାଁଇଲେ

ମଥୁରାନଗ୍ର

ବଜ୍ରପାତ ଏ ବ୍ରଜେ !

ଦ୍ୱାରକାର ଦିନ

ଦଂଶେ ଦ୍ୱାପର

ସମୟ ସମେତ

ସବୁ ସାତପର

କେଉଁଠି ପ୍ରଭାସ ?

ସବୁ ତ ପ୍ରବାସ !

ଭ୍ରଥଖଂଡ ମୁଁ ଭଜେ

ପଥିକପ୍ରିୟା ଗୋ

ପୁରୀର ଏ ପଥ

ପୂରିନାଇଁ ପଦରଜେ !

ଗତରାତ୍ରିର

ଗୀତଗୋବିଂଦ

ପଢ଼ିଚ ପଦ୍ମାବତୀ ?

ସବୁଠି ସକାଳ

ସାକ୍ଷୀଗୋପାଳ

ସବୁଠି ସଂଜ ସତୀ !

ଗ୍ରାମଦେବତୀର

ଗୋଧୂଳିରାଗରେ

ଏଇଠି ଅସ୍ତ

ସୂର୍ଯ ଆଗରେ

ମୁଁ ଦେଖୁଚି ତମ

ପାଂଡୁରତମ

ପୌଷର ପରିଣତି

ପଥର ଆଖିର

ପରଳ ବି ମତେ

ଅଶ୍ରୁଳ କରେ ଅତି !

ଏ ଶୋକର ସ୍ୱର

ଶୁଭେ ହୃଦୟର

ସ୍ପଂଦନ ସମତୁଲ

ହୃଦୟ ହଜିଲେ

ହଜିବାକୁ ଦିଅ

କାହିଁକି ବା ଖୋଜିବୁଲ ?

ଏଠି ଅଛି କ୍ଷୁଧା

ସେଠି ଥାଉ କ୍ଷେତ

ପାଗଳ ମୁଁ ତମ

ପାଖୁଡ଼ା ପାଖେ ତ

ନ ହୁଅ ନହୁଲି

ମହୁଲି ମହୁଲି

କରୁଣ କଂଟାଫୁଲ,

ଆସ ମୋ ବେକର

ଫାଶୀଖୁଂଟରେ

ନମରିବାଯାଏଁ ଝୁଲ !ହଂସରାଳୀର ହ୍ରଦ

 

ହଂସରାଳୀର ହ୍ରଦ

 

ହୃଦୟ ହୁଏତ

ହଂସରାଳୀର ହ୍ରଦ

ପବନ ପହଁରେ

ଅଣଚାଶ ଅଶବଦ।

 

ବରଫ ବର୍ଷେ

ଜମାଟ ବାଂଧେ ପାଣି

ଆହା ଜେମାଦେଈ,

ଆହା ଅନେଶୋତ ରାଣୀ

 

ଦିନ ଗଡ଼ିଯାଏ

ଦରହୀନ - ଏ ଦରଦ

ଧୁଏ କି ଧୂମାଳ

ଗୋଧୂଳିର ଗୋଷ୍ପଦ !

 

 

 

ହୃଦୟ ହୁଏତ

ହଂସରାଳୀର ହ୍ରଦ

ସନ୍ନ୍ୟାସୀ ସେଠି

ପ୍ରବାସୀ ପ୍ରେମାସ୍ପଦ।

 

ଏ କୂଳରେ ପାତେ

ଫାଲ୍‌ଗୁନ ଯଦି ଫାଶ

ସେ କୂଳରେ ହୁଏ

ଉଦାସ ଚୈତ୍ରମାସ

 

ଛାଇ ଛାଡ଼ିଯାଏ

ସଂଜର ସରହଦ

ନିଆଁଠାରୁ ନୁହେଁ

ନିଃଶ୍ୱାସ ନିରାପଦ !

 

ହୃଦୟ ହୁଏତ

ହଂସରାଳୀର ହ୍ରଦ

ବେଳ ବୁଡ଼ିଯାଏ

ରହିଯାଏ ରାତିଅଧ।

 

କୁହୁଡ଼ିକୁ କୁହେ

କାକର କି କୁଳୁକୁଳୁ

ଜଳବୁଂଦାରେ

ଜୁଇଟିଏ ଜୁଳୁଜୁଳୁ

 

କାକଜ୍ୟୋତ୍ସ୍ନାକୁ

କଂଦାଏ କୋକନଦ

ବତାସ ଆଗରେ

ବୟସ ବଶଂବଦ !

 

ଅନ୍ୟଥା

 

ଏଇ ସଂଧ୍ୟାର

ଆକାଶ ଇଂଦ୍ରନୀଳ

ଏଇ ଅଂଧାର

ଅଦ୍ଭୁତ ଅନାବିଳ।

 

ଅତଏବ ଏଇ

ସଂଧ୍ୟା ଯେତିକି ପ୍ରିୟ

ଏଇ ଅଂଧାର

ସେତିକି ଆଦରଣୀୟ

 

ସର୍ବୋପରି ଏ

ସଂଯୋଗ ସାବଲୀଳ

ଅଥଚ ଅତିଥି

ଅଜ୍ଞାତକୁଳଶୀଳ।

 

 

 

ଏଇ ସଂଧ୍ୟାର

ସମ୍ମତିଟିଏ ସ୍ମିତ

ଏଇ ଅଂଧାର

ଏମିତି ଆଲୁଳାୟିତ !

 

ଅତଏବ ଏଇ

ସଂଧ୍ୟା ଯେତିକି ପ୍ରିୟ

ଏଇ ଅଂଧାର

ସେତିକି ଅତୁଳନୀୟ

 

ସର୍ବୋପରି ଏ

ସମୟ ସମ୍ମୋହିତ

ଅଥଚ ଅତିଥି

ଅଳ୍ପ ଅପରିଚିତ।

 

ଏଇ ସଂଧ୍ୟାର

ସ୍ପର୍ଶରେ କାତରତା

ଏଇ ଅଂଧାର

ଅସ୍ତରାଗର ବ୍ୟଥା।

 

ଅତଏବ ଏଇ

ସଂଧ୍ୟା ଯେତିକି ପ୍ରିୟ

ଏଇ ଅଂଧାର

ସେତିକି ଅକଥନୀୟ

 

ସର୍ବୋପରି ଏ

ସଂଶୟ ସାରକଥା

ଅଥଚ ଅତିଥି

ଅନାହୂତ ଅନ୍ୟଥା ।

 

ଭାଟିଆରୀ

ଗୋଟିଏ ଗୋଟିଏ

ଗୋଧୂଳି ଗଣୁଚି

ଗଂଗାଚିଲର ଗାଆଁ

କୋଉକାଳୁ କାହିଁ

ନାଇଁ ଫେରିନାଇଁ

ନଂଦାବତୀର ନାଆ !

ନାଇଁ ସେ ନାଆର

ନାଇଁ ନାଉରିଆ

ହେଲେ ତେରନଈ

ଡାକେ ତାକୁ କିଆଁ ?

ଅଝାଲକୁ ତାର

ଓଳଗିହୁଏ ବି

ଅଂଧବତାସ ବାଆ

ଚଂଦ୍ରଭାଗାରେ

ମୁଁ ହତଭାଗାରେ

ମାଝିଆଣୀ, ମତେ ଚାହାଁ !

 

ନଦୀ-ଉପନଦୀ

ଉଷୁମ୍‌ ଅଶ୍ରୁ

ଉତ୍ତାଳ ହୁଏ

ଅନୋମାରେ ଆହା ଯଦି

ନିରଂଜନାର

ନୀର ତ ନୀରବ

ନିଦ୍ରିତ ନିରବଧି !

କେତେ ଯେ କରୁଣ

ବର୍ଷାଋତୁରେ

ଉପାସୀ ଆଶାର

ଉଆଁସ ଉତୁରେ

ଅଂଗେ ନିଭାଏ

ଇତିହାସଟାଏ

ଦୁଃଖିନୀ ଦୟାନଦୀ

ଏମିତି ଅନେକ

ଉପନଦୀ ଅବା

ଏକ୍ଲା ମୋ ଏକପଦୀ!

ଚିତ୍ରନଦୀର

ଚିବୁକ ଚୁମିଚି

ଚଉଷଠି ଚଉହଦି

ମହାନଦୀ ମତେ

ମହାନଦୀ ନୁହେଁ

ମନେହୁଏ : ମାୟାନଦୀ !

 

ଜହ୍ନରାତିରେ

ଜଳେ ଜଳବେଣୀ

ଅଧେ ତରା ଉଇଁ

ଅସ୍ତ ହେଲେଣି

 

ମାୟାମଗ୍ନ ମୁଁ

ମନାସେ ମାତ୍ର

ମମତାର ମହୋଦଧି

ଏମିତି ଅନେକ

ନଦୀ ବା ସ୍ୱପ୍ନ-

ଧୌତ ମୋ ଧ୍ରୁବପଦୀ !


 

ଏଇଠାରେ

 

ଦୁଇଟି ନଈର ନଗ୍ରରେ ତମ

ଦୋଦୋପାଂଚ ମୋ ଦିନ

ବନ୍‌ସୀଖଡ଼ାର କଂଟାକୁ କେବେ

କଂଟ ଦେଇନି ମୀନ

 

ସୁନା ଇଲିଶିର

ସ୍ୱପ୍ନସାଉଁଟା

ସକାଳସବୁ ତ

ଆଶାରେ ଆଉଟା

 

ଅଥଚ ଅନେକ ଅପେକ୍ଷାରେ ମୋ

ଅନିଷା ଅର୍ଥହୀନ

ଏଇଠାରେ ତମ ଅବବାହିକାରେ

ମୁଁ ଏକ ଅର୍ବାଚୀନ।

 

 

ଦିନ ଲେପିଦିଏ ଦିପହରଟିଏ

ଦିଗ୍‌ବଳୟର ଧାରେ

ଦିନଲିପି ତମେ ଲେଖିବ ତ ଲେଖ

ଲାଲ୍‌ଗୋଲାପର ଗାରେ

 

ଆଂକିଦିଅ ଏ

ଆଖିରେ ଆକାଶ

ଉଇଁବାକୁ ଆଜି

ଅଛି ଅବକାଶ

 

କିଏ ଜାଣେ କାଲି ଚଉଠି ଚାଂଦ

ଇଂଚେ ନଉଠିପାରେ

ଅଦିନମେଘର ଅଧୀନସ୍ଥ ମୁଁ

ଏଇଠାରେ, ଏଇଠାରେ ।

 

ଉଜ୍ଜୟିନୀର ଉତ୍ତରମେଘ

ଉଦାସ ଏଇଠି ହୁଏ

ଦୁଃଖସୁଖର ନଈଦୁଇଟି କି

ଦୁଇଧାର ଲୁହ ନୁହେଁ ?

 

ପିଟେ ଗୋଟେ ନଈ

ପଥରରେ ମଥା

ବାଲିରେ ଆରଟି

ପୋତେ ଉପକଥା

 

ଅଥଚ ଗୋଟିଏ ଗଡ଼ଚଂଡୀକୁ

ଅନାଉ କି ଆମେଦୁହେଁ ?

ଏଇଠାରେ ଅବା ଅବାଚୀର ତରା

ହଜାରେ ବର୍ଷ ଉଏଁ !

 

ରାଗବୈରାଗ

ଶେଷଦିବସର ପ୍ରାର୍ଥନା ଭୁଲେ

ପ୍ରଥମ ଶଯ୍ୟାତ୍ୟାଗ

ନୀଳ ନିଦ୍ରାକୁ କୃଷ୍ଣ ନ କରେ

ଯଦି ଏ ଅସ୍ତରାଗ !

ଶେଷଶଯ୍ୟାରେ

ଫୁଲ ଯେତେ ଦିଅ

ଅଂତିମ ଆଶା

କି ଅପୂରଣୀୟ !

ଆଖି ତଳେତଳେ ଆଂକିଚି କିଏ

ଏତେ ଅଂଗାରଦାଗ !

ଶେଷ ସଂଧ୍ୟାର ସ୍ମୃତି ବିସ୍ମରେ

ପ୍ରଥମ ଶିଶିରପାତ

ତୁଷାରବାଳାକୁ ତୃଷ୍ଣ ନ କରେ

ଯଦି ଏ ଅଂଶୁଘାତ !

ପ୍ରେମକୁ ପାଉଁଶ

ପାଉ କି ନପାଉ

ହିଆକୁ ଏ ନିଆଁ

ହାତ ଯୋଡ଼ୁଥାଉ

ପ୍ରତାରିତ ପ୍ରତି ପତଂଗମକୁ

ପ୍ରଦୀପର ପ୍ରଣିପାତ !

 

ଶେଷରାତ୍ରିର ସ୍ୱପ୍ନ ପାସୋରେ

ପ୍ରଥମ ମଦ୍ୟପାନ

ଅଂଧକାରକୁ ଉଷ୍ଣ ନ କରେ

ଯଦି ଏ ଅଗ୍ନିସ୍ନାନ !

 

ନୀରବୁଂଦିଏ

କାହିଁ ରେ ନେତ୍ର ?

ନାହିଁ ଚାରିପଟେ

ଚାରଣକ୍ଷେତ୍ର

ଜିପ୍‌ସୀ ଜମିକୁ ଜବତ କରିଚି

ଆମ ଏ ମୁଲକମାନ !

 

ମରୁମୃଗୟା

ମୁଁ ଯେଉଁ ମରୁର ମନୋବାଂଛନା

ତନୁଲତା ତମେ ତାର

ମନକୁ ମାତ୍ର ତନୁର କାହିଁକି

ବାରଣ ଏ ବାରବାର ?

ପତ୍ର ପଚାରେ

ପବନକୁ ଡାକି

ବନଫୁଲ ନାଆଁ

ଭଲପାଇବା କି ?

ତମ ଚେତାବୁଡ଼ା ଚେର କି ଛଂଦେ

ଚଇତିର ଚିତ୍କାର !

ମୁଁ ଯେଉଁ ମନର ମେଘମଂଥନ

ତମେ ତାର ବନଲତା

ମାତ୍ର ମେଘର ମଲ୍ଲାର ମାନି

ବନର କି ବ୍ୟସ୍ତତା !

ଦୂବରେ ବର୍ଷା

ବରକୋଳି ଦେଖି

ଘାସଫୁଲଟିଏ

ଘର ଭାଂଗେ କି ?

ତମ ଭୂରୁନଚା ଭଲପାଇବାରେ

ଏତେ ବୈଶାଖୀ ବ୍ୟଥା !

 

ମୁଁ ଯେଉଁ ମେଘର ମରୁମର୍ମର

ଆଶାଲତା ତାର ତମେ

ମାତ୍ର ମରୁର ମରୁତ୍‌ ମରେ କି

ଆଶାର ଏ ଉଦ୍‌ଗମେ ?

 

ଚାପିନିଏ ମତେ

ଛାଇ ତ ଛାତିରେ

ରଣିଫୁଲ ଜଳେ

ଜହ୍ନରାତିରେ

ତମ ଥରଥର ଥଂଡାହାତର

ହୁକୁମ୍‌ରେ ଜର ଥମେ !

 

ନୈଶନାମା

ନିଦାଘ ନିଶିର ନିର୍ଦୟତା ମୁଁ

ନିହତ ନିଦ୍ରା ନିଏ

ଚୋରାଇନିଏ ମୁଁ ଚଇତିରୁ ଚୁମା

ଚିରବୈଶାଖଟିଏ !

ବାଲିଘରେ ବଢ଼େ

ବୟସ ବାଲ୍ୟ

ହରଣ ହୁଏ କି

ବରଣମାଲ୍ୟ ?

ଜ୍ୟେଷ୍ଠଜେମାର ଯୌବନକୁ ମୁଁ

ଜଉଘରେ ଜାଳିଦିଏ ।

ବର୍ଷାରାତିର ବିନିଦ୍ରତା ମୁଁ

ଛାଟିପିଟିହୁଏ ଛାଁ

ଦଳେଇଘାଇର ଦୁଃଖ ତ ମୋର

ଦୂର ନଈକୂଳ ଗାଁ !

ଉଷୁମ୍‌ ଓଠର

ଅଧା ଅନୁରୋଧେ

ବୁକୁ ବତୁରାଏ

ବସାଘରେ ବୋଧେ

କାହାକୁ କିଂତୁ କଥା ମୁଁ ଦେଲେ ବି

ନାଆକୁ କରିଚି - ନା !

 

ଶୀତରାତିର ମୁଁ ଶୋକାର୍ତତା ଗୋ

ଅସତୀ ଅଂତଃପୁରେ

ବାଲୁବଂତରୁ ବାରୁଣାବଂତ

ବାହୁଡ଼ା ତ ବହୁଦୂରେ !

 

ପାଂଚପଡ଼ାର

ପାଉଁଶ ତଳେ ମୁଁ

ଜୁଳୁଜୁଳୁ ଜୁଇ ।

ଜଲ୍‌ଦି ଜଳେ ମୁଁ

ପୁଆଏଁ ପୁଆଣୀ ପୌଷକୁ ପୁଣି

ଝରାପତ୍ରକୁ ଝୁରେ !

 

ଅଧୁରା

ଏ ଫୁଲରେ ଅଛି କଂଟା କେଇଟା

ସେ ଫୁଲରେ ମହୁଟୋପେ

ମହୁରେ ଅଛି ମୋ ମଉଛବୀ ମନ

କଂଟାରେ ଲହୁଟୋପେ !

ମନେପଡ଼ିଗଲେ

ମିଠୀ ମହୁବାଲୀ

ଖରାଲେଉଟାଣି

ଖୋଜୁଚି ମୁଁ ଖାଲି

ମଥୁରା ମଥାନେ ମେଘ ବର୍ଷିଲେ

ବଢ଼ି ତ ବଢ଼ୁଚି ଗୋପେ !

ଏ କାନରେ ଅଛି ସାନକୁହାମାନ

ସେ କାନରେ ସୁନାଫୁଲ

ପୋଷେ ଫୁଲମତୀ ଫୁଲରେ ପୀରତି

ତକ୍ଷକନାଗ ତୁଲ !

ଫୁଲ ସଜାହୁଏ

ବଜାରେ ବଜାରେ

ଲକ୍ଷହୀରାର

ହସ ତ ହଜାରେ

ମାତ୍ର ଟୋପିଏ ଲୁହରେ ବି କିଏ

ମୂଲାଏ ମୁହଁର ମୂଲ !

 

ଏ ଆଖିରେ ଅଛି ଅଳୀକ ତୃଷ୍ଣା

ସେ ଆଖିରେ ଆଳିସୁରା

ଅଳୀ ଅପାଂଗେ ଅଳସ ଭାଂଗେ

ଉଲୂପୀଟେ ଆଗତୁରା !

 

ବର୍ତମାନରୁ

ବର୍ତିବା ପାଇଁ

ଆଶା ଉଇଁଲେ ବି

ବିଶ୍ୱାସ କାଇଁ ?

ଏଠି ଉର୍ବଶୀ ଅଭିଶାପରେ ମୁଁ

କି ଅସୁଖୀ ! କି ଅଧୁରା !!

 

ଅବାଟ

ସେ ମରୁମହିଳା କାହିଁକି କହିଲା

ଏ ବାଟ ତୋ ବାଟ ବୋଲି

ଡିମିରି ଡାଳରେ ଡାକୁନି ଡେଂଫ

ପାଂଚପାଖୁଡ଼ା ଖୋଲି !

ରୂପକଥାର ଏ

ଗୁପତ ଗୁଂଫା

ପଡ଼ିଚି ପାଉଁଜି

ଝୁମୁକା ଝୁଂପା

ବନ୍ୟ ବତାସ ବାଉଁଶରାଣୀଠୁ

ଚୋରାଇନେଇଚି ଚୋଲି !

ଏ ବାଟରୁ କିଛି ଲଂବିଯାଇଚି

ନିର୍ଜଳା ଲୁହଆଡ଼େ

ଆଉକିଛି ପୁଣି ରକ୍ତକୁ ପାଣି

କରିଚି କାଉଁରିହାଡ଼େ !

ଉଇଁଲେ ବି ତରା

ଏକ୍‌ ଦୁଇ ତିନ୍‌

ଦିଗ ଦିଶୁଚି କି

ଆରେ ବେଦୁଇନ୍‌ ?

ଜନ୍ମରୁ ଶେଷ ଜିପ୍‌ସୀର ଦେଶ

ପୋଖତୀ ପଦ୍ମନାଡ଼େ !

 

ହେ ଚିରବିରହ ! ଥିର ହ, ଥିର ହ

ବାରବାଂକ ଏ ବାଟେ

ଛାଇ କାହିଁ ତୋର ଦିନ କାଟେ ଯଦି

ରାଈ କାହିଁ ରାତି କାଟେ !

 

ଛକିଶୂନଘରେ

ଛପିଚି ଛଇଳା

ମନଗହନରେ

ସେ ମରୁମହିଳା

ଅବାଟକୁ ଅବା କବାଟ କରିଚି

ଝଟକାକୁ ଝର୍କାଟେ !

 

ଯାଯାବର

ଆରେ ଯାଯାବର,

ଗୁମୁରାଗୀତର

ଘୋଷାମାନ ଘଷାମଜା

ବାଲିହଂସୀର

ବିଦାୟବେଳାରେ

ବତାସୀ ବଂଶୀ ବଜା !

ତୁ ଯଦି ଯାଉଚୁ

ପଦ୍ମପୁରକୁ

ନଯା ନୀଳକଇଁ

ଦହଠୁ ଦୂରକୁ

ଦଧିଭଦ୍ରାର

ଦୁଃଖଠୁ ଦୂରେ

ଧଉଳିରେ ଉଡ଼େ ଧ୍ୱଜା

ବୈତରଣୀର

ବିରହ ବାହୁନେ

ନାଭିଗୟାକୁ ତୁ ନଯା !

ଆରେ ଯାଯାବର,

କାହା ବସାଘର

ଦେଖାଉଛି ଦିଦରଜା ?

ରାତି ରହିଯାଏ

ଆରବରେ ଆଉ

ଦିନ ଦିଶେ ଦିଗହଜା !

ଦିପହର ହୁଏ

ଦେଶାଂତରରେ

ଚଟେଇ ଚିରୁ ତୁ

କେଉଁ ଚଟିଘରେ ?

ଡରିଡରି ଡାକେ

ବତିଘରପାଖେ

କିଏ ସିଏ ସ୍ୱପ୍ନଜା ?

ସାତଦୀପଜଳା

ସଂଜଟିଏ ତୋ

ସାଗର ସେପାରେ ସଜା !

 

ଏକପଦୀ

ଭଲପାଇବାର

ବାଟଚଲା ବୋଧେ

ଭାଗ୍ୟର ବାଆଁହାତି

ଅଧା ଉଇଁଥିବା

ଅରୁଂଧତୀର

ଅଂଧାର ଆମ ରାତି !

ଏ ରାତିକୁ ଦିଏ

ଆଶ୍ରା କି ଦୀପତଳ ?

ମୁଁ ଯେଉଁଠି ନିଭେ

ଜଳ ତମେ ସେଠି ଜଳ

ଆମର ଆଦାୟ

ବ୍ୟଥା ନା ବିଦାୟ

ଶୋକ ନା ସମାଧି ସାଥୀ ?

କାଂଦୁଚି କେତେ

କାକ୍‌ଟସ୍‌ କାହିଁ

ପାଉଁଶ ପାଖୁଡ଼ା ପାତି !

 

ଚଉପଦୀ

ଏପାଳି ଏଇଠି ସୋରିଷ ସକାଳ

ସେପାଳି ଶେଫାଳୀ

ସଂଜ ନା ?

କାଲିରାତିସାରା କଇଁର କଷ୍ଟ

ଗୋଲାପର ଗୁଡ଼େ

ଗଂଜଣା !

ମାନେ ମଲ୍ଲିକା ମାଲୁଣୀ ମୁହଁର

ମନଲାଖୀ ମହୁ

ମଂତ୍ରଣା

ଜାଇଫୁଲଟାଏ ଜଳି ଯଦି ଯାଏ

ଯୂଇଫୁଲର କି

ଯଂତ୍ରଣା !

କଂଟାଠୁ କିଛି କମ୍‌ କି କୁଆଁରୀ

କୁଂଦକଳିର

କଟକଣା ?

 

ବଉଳବେଣୀର ବାସ୍ନାରେ ବୋଧେ

ବହୁତଥର ମୁଁ

ବାଟବଣା !

 

ପ୍ରିୟ ପରଦେଶୀ ଭଲପାଏ ବେଶି

ଛାଇସଂଜର

ଛୁରିଅନା

 

ଛୁଇଁବିନାଇଁ ଲୋ ଲାଜକୁଳୀଫୁଲ,

ଝୁଅଦିନକୁ ତୋ

ଝୁରିହନା !

 

Unknown

ସେ ହାତହଳକ

ସାତରଂଗର

ଚୁଡ଼ି ଚୁଂବିଛି

ସୁଂଦର ହଳେ ହାତ

ସେ ହାତହଳକ

ହାୟରେ ଅଳକ

ଛାଡ଼ିଦିଏ ଛୁଇଁବା ତ !

ଏଣିକି ଆସୁଛି

ବେଣୀସଂହାର ବେଳ

ଏ ବେଳ ଅବେଳ

ଉଆଁସରେ ଉଦ୍‌ବେଳ

ଶୁଭୁଛି ଶପଥ

ଆଉହଳେ ହାତ

ନହେଲେ ରକ୍ତସ୍ନାତ

ସେ ହାତହଳକ

ଭଂଗାଚୁଡ଼ିରେ

ଭୋଗିବ ବଜ୍ରାଘାତ !

 

ପ୍ରାଚୀନ ପ୍ରେମ

ମିଳଇ ମିଳନ

ମାସରେ ମାତ୍ର

ବିତେନି ବିରହ

ବରଷରେ

ଚଂପାଗାଲଟେ

ଗୋଲାପ ପାଲଟେ

ପରପୁରୁଷର

ପରଶରେ !

ଲାଲ୍‌ ପଡ଼େ ପୁଣି

ଲାଜେଈ ଲାସ୍ୟ

ଭଲପାଇବାକୁ

ଭୁଲାଏ ଭାଷ୍ୟ

ଯାଏ ଯାଯାବର

ବଖୁରିଏ ଘର

ତୋଳିବାକୁ ବାଲି

ବତାସରେ

 

କାଲି ଯେଉଁଠାରେ

ଗୀତ ଅଧା ଥିଲା

ଆଜି ସେଇଠାରେ

କଥା ସରେ !

 

ବିହଂଗାବଲୋକନ

ବଗପର ପରି ଦିନମାନ ଆଉ

କାଉପର ପରି ରାତି

ମଝିରେ ମୟୂର ଚଂଦ୍ରିକା ପରି

ସଂଜଟିମାନ ସାଥୀ !

ବଗ ବାହୁଡୁଚି

ବହୁତ ଦୂରକୁ

କାଉ କଂଟୁଚି

କୋଇଲିପୁରକୁ

ମନର ମୟୂର ସିଂହାସନଟା

କାହା ପାଇଁ ଅଛ ପାତି ?

ସକାଳପହରୁ ଶଂଖଚିଲଟା

ପହଁରୁଚି ପାଣିଖରା

ଡହଳବିକଳ ଡାହୁକ ଡିହରେ

ଦିପହର ଦରମରା !

ଗେଂଡାଳିଆର

ଗୋଧୂଳି ଗାଆଁଟା

ମୋ ନାଆଁରେ ଯୋଡ଼େ

ତମରି ନାଆଁଟା

ବନକପୋତୀକି ବୋହୂ କରିଚି କି

ଚିତ୍ରଗ୍ରୀବର ଚରା ?

 

କୁଆଡ଼େ କେଜାଣି କାଆ କାଂଦଣା

କୋଉଠି କୁହୁଳେ କୁହୁ

ଦିନରେ ଦହଡ଼ ଦାରୁଚିନି ଦ୍ୱୀପ

ଜହ୍ନରାତିରେ ଜୁହୁ !

 

ପୋଡ଼ାପୋଡ଼ା ପୁଣି

ପକ୍ଷୀର ପର

ପଂଜୁରି ପରି

ଘର ପରେ ଘର

ତମେ ମୁଁ ଗୋଟିଏ ମରୁଯାତ୍ରାରେ

ମରୁଚେ ମୁହୁର୍ମୁହୁ !

 

ଗୀତ ଗାଇଲେ

ଗାଉଁଲି ଗୀତର ଗୁଣୁଗୁଣୁ ଗଣେ

ଗୋପନ ଗୋଧୂଳି ଗୋଟେ

ଚୁଂବନମାନ ଦଂଶନଦାନ -

ରାଣୀ ମହୁମାଛି ଓଠେ !

ଏ ଗୀତ ଗାଇଲେ

ନାଚେ ନାଗସାପ

ପଦିଏ ପୁଣ୍ୟ

ପରପଦ ପାପ

ମାତ୍ର ମଝିରୁ ମେଲାଣି ମାଗିଲେ

ମନ ମଂଗେନି ମୋଟେ !

ମାସମାସ ମୁଁ ତ ବର୍ଷ ବହୁତ

ମୂର୍ଛିଦେଇଚି ମିତ

ମିଳନ ନାହିଁ କି ବିରହ ନାହିଁ ଏ

ଗୋଧୂଳିରେ ଗଚ୍ଛିତ !

ଅହେତୁକ ତମ

ଆହାପଦ ପାଇଁ

ଗହମ ଗୋଧୂଳି

ଗୀତ ଗାଉନାଇଁ

ଏ ଗୀତ ଗାଇଲେ ରେତରେ ରୌଦ୍ର

ଶ୍ୱେତପଦ୍ମରେ ଶୀତ !

 

କେଉଁଠି ରକ୍ତ ବସଂତର ସେ

ଗୁଂଜର ଗାଆଁଗଳି

ଘାସର ଘୋଷାରେ ଘାରିହେଉଥାଏ

ପତ୍ରର ପଦାବଳୀ !

 

ମୁଁ ଖୋଜିବି କାଲି

ଫୁଲଗଛମୂଳ

ଆଜି ମତେ କହ

ଆଂବ ବଉଳ,

ମୁଁ ଗୀତ ଗାଇଲେ - ଇଏ କି ଶାସ୍ତି

ଭଲପାଇବାଟେ ଭଳି !

 

ଅସତୀଚଉରା

ସଫେଦ୍‌ ସହର ଶୋଇଗଲା ପରେ

ନିଦକୁ ସ୍ୱପ୍ନ ଡାକେ

ଆଜି ତ ମସ୍ତି ନୋଳିଆ ବସ୍ତି

ଗୋଳିଆପଂକ ପାଖେ !

ମାଛଆଖିସାରା

ସପତ ସାଗର

ନାଗନାଆରେ ମୁଁ

ନାଚିବି ନାଗର

ଯିବି ସୁଂଦରୀ ସତ୍ୟବତୀର

ମିଛ ବାଲିଘରଯାକେ !

ନୀଳ ଦରିଆର ଜରିଆରେ ଜମେ

ନଈପାଣି ଦୁକୁଦୁକୁ

ରାଇଜଯାକର ରାଣ ମୁଁ ଶୁଣିବି

ଜାଈଫୁଲଟିର ମୁଖୁ !

ତଳମାଳତାଳ

ପତ୍ର ଉପରେ

ପାତିବି ପଙ୍‌କ୍ତି

ପରକଲମରେ

ବନପୁଷ୍ପର ବରଣମାଳଟି

ବରୁ ବଂଚିତ ବୁକୁ !

 

ପାଳିତ ପକ୍ଷୀ ପାରିହୁଏ ଯଦି

ପର୍ବତ ପାରାବାର

ବାଂଧନା ବଧୂ, ବେଣୀର ବେଡ଼ିରେ

କାଂଦନା କାରାଗାର !

 

ମନକୁ ଡାକୁଚି

ପବନ ତ ଆଜି

ସ୍ୱପ୍ନ ଶୋଇଚି

ସୁନାନାକୀ ସାଜି

ବସତି ବାହାରେ ବାଟ ମୋର ବାରେ

ଅସତୀଚଉରା ତାର !

 

ଗୋପଗୋପନ

ରାଧା ରାତ୍ରିରେ ବାଧା ମାନେନାଇଁ

ବଂଶୀର ସାତସୁର

ଆଠପାଟରାଣୀ ହଂସପୁରଠୁ

ମୟୂରମେଘଟି ଦୂର !

ଚଅଁର ଚଲାଏ

ଚଂଦ୍ରିକା ଯଦି

ଚେଇଁଉଠେ ସିନା

ନିଦ୍ରିତା ନଦୀ

ନିର୍ଜନ ମନ ଗହନଗୋଟାକ

ଗୋପନ ମୋ ଗୋପପୁର !

ନିଆଁ ନା କନିଆଁ ନାଲିହଳଦିଆ

କୃଷ୍ଣଚୂଡ଼ାରେ ମିଳ ?

କୃଷ୍ଣ ମନାସେ ଗୋପାଂଗନା ସେ

ବର୍ଣ ଯଦିଚ ନୀଳ !

ଉପନୟନା ଗୋ

ଉଠନି ଉଲସି

ତୋଳାକନିଆଟେ

ତୋଳୁଚି ତୁଳସୀ

ଉଆଁସୀ ଉରୁର ଉପକଂଠରେ

ଗୁପତ ମୁଁ ଗୋଟେ ତିଳ !

 

ବୃଂଦାବତୀର ବୃତ ବୃଂତରେ

ବୃଥା ଏ ବୃଷ୍ଟିପାତ

ଆଠ ପହରକୁ କାଠ କରିଦିଏ

ମେଘର ମୁଷ୍ଟିଘାତ !

 

ଗୋପ ଗୋଟେ ଗପ

ମଥୁରା ମୁହଁରେ

ଚିତ୍ତ ଚକିତ

ଚକ୍ରବ୍ୟୂହରେ

ଦ୍ୱାରକା ଦେଖିନି ଦଗ୍‌ଧଦାରୁର

ଦାରୁଣ ଦୃଷ୍ଟିପାତ !

 

ପଳାତକ

 

ହେ ଘାସଫୁଲର

ଗୁପ୍ତଘାତକ,

ଅତସୀର ଆତତାୟୀ,

କାଲିର ବୁଂଦେ

କାକରକୁ ତମେ

ଆଜି ଉତ୍ତରଦାୟୀ !

 

ଗୁପ୍ତିରୁ ଗଡ଼େ

ରକ୍ତଗୋଧୂଳି

ଖଡ଼୍‌ଗରୁ ଖସେ

ଖରାଦିନଧୂଳି

 

ଦୀପରେ ଦୀପରେ

ଦିପହର ସରେ

ଧୂପସଂଜକୁ ଧ୍ୟାୟି

ନୀଳରାତ୍ରିର

ନିୟାମକ ତମେ

ଅନହୁତି ଅନ୍ୟାୟୀ !

ହେ ନିମଫୁଲର

ନିରବ ହଂତା,

ହେନାର ହତ୍ୟାକାରୀ,

କାଲିର ଥୋପିଏ

ଲୁହ ଆଗେ ତମେ

ଆଜି କି ଅତ୍ୟାଚାରୀ !

ଚଉଦମେଘର

ଚିତ୍ରପଟକୁ

ଚକ୍ର କି ଚିରେ

ଅଟକୁ ଅଟକୁ ?

ଗଗନକୁ କର

ମଂଡଳଟିଏ

ଦିଗକୁ ଖଂଡ ଚାରି

ଧୂସର ଦିନର

ଧୂମାଳକ ତମେ

ଦୟାଳୁ ଦଂଡଧାରୀ !

ହେ ଦୂବମାଳର

ଦରଦୀ ଦସ୍ୟୁ,

ଚଂଦନବନବାସୀ,

କାଲିର କିଛିଟା

ପାପ ପାଇଁ ତମେ

ଆଜି ଅଣନିଃଶ୍ୱାସୀ !

 

ବିଜୁଳି ବର୍ଷେ

ବର୍ଛା ନା ବାଣ ?

ନିଅ ପ୍ରାଣ ଆଉ

ଦିଅ ନିର୍ବାଣ

 

ତମ ପାଇଁ ତୋଳେ

ତୁଳସୀପତ୍ର

ନିର୍ଜଳା ଉପବାସୀ

ପାହାଡ଼ଗୁହାର

ପଳାତକ ତମେ

କଳାକାଠ ଏଠି ଆସି !

 

ଦୁଃଖ

ଥାକରେ ଥାଏ ନା ପାଖରେ ଥାଏ ମୋ

ସଜ୍ଜିତ ସୁଖମାନ ?

ଛାତି ଭିତରେ ମୁଁ ଛୁପାଇରଖିଚି

ଦୁଃଖ ସବୁଠୁ ସାନ !

ସବୁଠୁ ସାନ ସେ

ଦୁଃଖରେ ଦିନେ

ମରିବା କଥା ମୁଁ

କହୁନି ଏଇନେ

ଦୁଃଖ ମୋ ତମ ଲକ୍ଷ୍ମୀହାତରେ

ଅକ୍ଷିମୁଠିର ଧାନ !

ଦୁଃଖର ଫୁଲ ଫୁଟିଲାବେଳକୁ

ହାର ଗୁଂଥିବା ପାଇଁ

ବାରଦୁଆର ମୁଁ ବୁଲିଆସିଲେ ବି

ମାଲ୍ୟାଣୀ ମିଳୁନାଇଁ !

ଦୁଃଖର ଫୁଲ !

ଦୁଃଖର ଫୁଲ !

ଦିଶୁଚ ଆହା କି

ଡଉଲଡାଉଲ

ଡାକିବୁଲିଲେ ବି ବାକିରେ ତମକୁ

କିଏ ସେ କିଣୁଚି କାଇଁ ?

 

ସବୁଠୁ ସାନ ସେ ଦୁଃଖଟି ମୋର

ସୁଖ ତ ସବୁଠୁ ବଡ଼

ବାଆଁପଟର ଏ କଷ୍ଟକୁ କେବେ

ଡାକୁନି ଡାହାଣକଡ଼ !

 

ସୁଖରେ ଥାଅ ମୋ

ଦୁଃଖ, ଏମିତି

ଶୁଭୁଥାଉ ଶୁଭ

ସବୁ ଶୋକଗୀତି

ଭଲରେ ଥାଅ ବି ପ୍ରିୟବାଂଧବୀ,

ପାରିଲେ ପ୍ରେମରେ ପଡ଼ !

 

ଶେଷସିଂଦୂରା

ଆଖିତଳର ଏ ଅଂଧାର ଏଠି

ରାତିର ରାସ୍ତାରୋକ

ଦୀପତଳର ସେ ଅଂଧାର ସେଠି

ସପ୍ତରାତିର ଶୋକ !

ସେଠି ଗୋଟେ ଗାଁ

ଏଠି ଏ ସହର

ପାହିବନାଇଁ କି

ପାଉଁଶ ପହର ?

କାରୁକାର୍ଯର କାରାଗାର ଆମ

କରୁଣ କଳ୍ପଲୋକ !

ତମରି ଆଖିର ଅମାବାସ୍ୟାରେ

ଉଜାଲା ମୁଁ ଉଜାଗର

ଆଉ ମୋ ଶୁକ୍ଳ ପକ୍ଷରେ ତମେ

କଜଳର କୋଜାଗର !

ଆଜି ଏ ଅସିତ

ଅସ୍ତରାଗରେ

କେହିଜଣେ କାହିଁ

କାହାରି ଆଗରେ ?

ସ୍ମୃତିଚିତ୍ରର ସଂସାର ଆମ

ସମୟର ସଜାଘର !

 

ଅରୁଂଧତୀର ଅଭିଶାପରେ କି

ଅସମାପ୍ତ ଏ ରାତି ?

ମୁଁ କିପରି ହେବି ଅଭିଜିତ୍‌ ଆଜି

ତମେ ଯଦି ନୁହଁ ସ୍ୱାତୀ ?

 

ଜୁହୁର ଜଲ୍‌ସା

ଜମୁନି ତ ଜମା

ତଳ୍ପରେ ଥାଉ

ତୂଳୀ ତର୍ଜମା

ସୂଚିପତ୍ରର ସୂଚନାଟେ ଆମ

ଶେଷସିଂଦୂରା ସାଥୀ !

 

ଛାତି ଭିତରେ

ଛାଇ ପରି ଚାଲେ ଛାତି ଭିତରେ କି

କଷ୍ଟ କେଉଁଠି ଟିକେ

ରୁଖାଟିଏ ପାଇଁ ଶିଖାଟିଏ କାହିଁ

ଶୋକପ୍ରାର୍ଥନା ଶିଖେ !

ଶିକାରୀ ମୁଁ । ତମେ

ହରିଣୀର ଆଖି

ସେ ଆଖିର ଲୁହ

ସୁନାଝରଣା କି

ଶବ୍ଦଭେଦୀ ମୋ ଶରରୁ ରକ୍ତ

ଧୋଇଦେଇଯାଏ ଠିକେ !

ରାତି ଅଂଧାର ଛାତି ଭିତରେ କି

ପାରୁନି ଏଯାଏଁ ପାହି

ଏମିତି ରାତି ଯେ କରୁଚି କଂଚା

ନିଦକୁ ବି ନାଇଁ ନାଇଁ !

ଘାତକ ମୁଁ । ତମେ

ପ୍ରେମର ନିୟତି

ପ୍ରତି ଚୋଟ ମୋର

ନିଶ୍ଚିତ ନତି

ନଇଁବାକୁ ପଡ଼େ ଅସ୍ତ୍ରକୁ ନିଜେ

ଅଂତ ହାସଲ ପାଇଁ !

ଛଟପଟ ହୁଏ ଛାତି ଭିତରେ କି

ନଷ୍ଟ ନିଦର ନିଆଁ

ଜାରି ରହିଥିବ ଜଳିବାର ଜିଦ୍‌

ଆମରଣ ଅମାନିଆ !

 

ଶିଳ୍ପୀ ମୁଁ । ତମେ

ଶିଳା ନିଷ୍ପରାଣ

ନିହାଣରୁ ନିଅ

ନୀଳ ନିର୍ବାଣ

ମୋକ୍ଷ ମିଳିବା ମାତ୍ରେ ମୋହିନୀ

ମୂର୍ତି କି ମହନୀୟା !

 

ଆଜି ସଂଧ୍ୟା

ଆଜି ସଂଧ୍ୟାଟା କାଟିବା କେଉଁଠି

କାଫେରେ ନା କାମେରାରେ

ନା କେଉଁ କ୍ଲବ୍‌ର କକ୍ଷକୋଣରେ

ଧୋବ ଆଲୁଅର ଧାରେ !

କେମିତି ଲାଗିବ

ଗୋଲାକାର ଘରେ

ପାଦ ନୁହେଁ, ଯଦି

ଆଖି ନାଚ କରେ ?

ସତ୍ତା କି ଆମ - ହେବ ସାଷ୍ଟାମ

ସୌଖିନ୍‌ ସ୍ନାନାଗାରେ ??

ଆଜି ସଂଧ୍ୟାଟା ସମର୍ପିତ ଏ

ଝରାଶେଫାଳୀର ନାମେ

ରାତ୍ରି ରୁପେଲି ନହେବା ଆଗରୁ

ସୁନେଲି ତ ହେବା ଆମେ !

ଫୁଲଟିଏ ତମେ।

ପୀତ ମୁଁ ପତ୍ର

ଆମେ ହେବା ଏଠି

ଏକ ଏକତ୍ର

ଆଜି ଦକ୍ଷିଣ ପ୍ରଦକ୍ଷିଣରେ

ତମେ ଥାଅ ମୋର ବାମେ !

ଆଜି ସଂଧ୍ୟାଟା ପାଂଥଶାଳା ନା

ପାନଶାଳା ପ୍ରୀତି ପାଇଁ ?

ଅବଶ କି ଆମ ଆବଦ୍ଧତାର

ଆଦି ଅଛି - ଇତି ନାଇଁ ?

 

ଆଜି ସଂଧ୍ୟାର

ସାମୁଦ୍ରିକତା

ସାଉଁଟେ ଶାମୁକା

ସାଉଁଳେ ସିକତା

କାଲି କୁହୁଡ଼ିକୁ କାଟିବ କିଂତୁ

ସକାଳର ସାମୁରାଇ !

 

କହିଦେଇଗଲି

ଖଲାସ୍‌ ଖରାର ଖଇରେ ତ ଖାଲି

କଉଡ଼ିବର୍ଷା କଥା

ଏଠି ମୋ ଅତସୀ କୁସୁମ କାଂଦେ

ସେଠି ବକୁଳର ବ୍ୟଥା !

ଫୁଲଦାନି ଫୁଲ

ଫିଂଗିଦେଲାଣି

ମାଟିକୁଂଡରେ

ମଲ୍ଲୀମେଲାଣି

ପୋତାଦେଉଳର ପତାକା ପାଦରେ

ପବନ ପିଟୁଚି ମଥା !

ସାତତାଳ ପାଣି ପାସୋରିଗଲାଣି

ପଂକର ପରିଶୋଧ

ଏଠି ମୋ ପଦ୍ମ ପଲାସ କାଂଦେ

ସେଠି କେତକୀର କ୍ରୋଧ !

ଘାସଫୁଲ ଫୁଟେ

ମାସ ପରେ ମାସ

ବନଫୁଲ ପାଇଁ

ଅଜ୍ଞାତବାସ

ସ୍ମୃତିସ୍ତଂଭ ନା ସମାଧି ସୂଚାଏ

ସ୍ୱପ୍ନର ସ୍ୱବିରୋଧ ?

ଫେରାଇନିଅ ଏ ଫୁଲତୋଡ଼ା ଆଉ

ପଟଚିତ୍ରର ପେଟି

ଏଠି ମୋ ରକ୍ତ କରବୀ କାଂଦେ

ଶେଫାଳୀର ଶୋକ ସେଠି !

 

ଫଟୋର ଫ୍ରେମ୍‌ଟା

କରୁଚି କଟାଳ

ଫୁଲମାଳ ନୁହେଁ,

କପୂର୍ରମାଳ

କହିଦେଇଗଲି କଂଚନକଳି,

ପାରୁନି ତମକୁ ଭେଟି !

 

ପଦପୂର୍ତି

ଦୁଇଟି ଆଖିର ଅଂଧକାର ତ

ଗୋଟିଏ ଗୋଟିଏ ରାତି

ଗୋଟିକରେ ଦେଖେ ଅରୁଂଧତୀ ମୁଁ

ଆଉଗୋଟିକରେ ସ୍ୱାତୀ !

ସେ ଦୁଇଆଖିର

ଦୀର୍ଘିକା ସିଏ

ଦୂରୁ ମଣେ ମତେ

ଧ୍ରୁବତାରାଟିଏ

ସେ ମାଗୁଚି ମୋର ସ୍ୱପ୍ନବିଭୋର

ହୃଦୟକୁ ହାତ ପାତି !

ଦୁଇଟି ହାତର ହାଜତରେ ହାୟ

ଗୋଟିଏ ଜନ୍ମ ଜମା

ଆଉ ଛଅଟିକି ଛଂଦିବା ପାଇଁ

ପ୍ରାର୍ଥିନୀ ପ୍ରିୟତମା !

ସେ ଦୁଇହାତର

ହାର୍ଦିକତାରେ

ସପତ ଜନ୍ମ

ସଅଁପି ମୁଁ ପାରେ

ଏ ଦୁଇହାତକୁ ଦୁହାଇ ଦେଉଚି

ସେ ଦୁଇହାତର କ୍ଷମା !

ଦୁଇଟି ପାଦର ପାଖୁଡ଼ାକୁ ନେଇ

ଗୋଟିଏ ଗୋଟିଏ ଫୁଲ

ପଲ୍ଲବିତ ଏ ପଦପୂର୍ତିର

ସ୍ପଂଦନ ସମତୁଲ !

 

ସେ ଦୁଇପାଦର

ଅଳତାବୁଂଦେ

ଏଠି ମୋ ରକ୍ତ

ଗୋଧୂଳି ରୁଂଧେ

ସଜାଏ ସତୀର ସାତସ୍ୱର୍ଗରେ

ସଂଜବତିର ଝୁଲ !

 

ସବୁ ଶବ୍ଦ ତ ଶୋଷ

ସାତରଂଗର ସ୍ୱପ୍ନରେ ତମେ

ମିଳନାଇଁ ମାଳବିକା,

ସବୁ ରଂଗ ତ ତମ ସଂଗତ

ଅଂଗର ଅହମିକା !

ବଂଗରେ ବୁଲ

ବାଳିକାବଧୂ କି ?

ଫେରି ଫେରିଚାହେଁ

ପଥୁ ମୁଁ ପଥୁକି

କଳିଂଗର ଏ କଳିକାଟି କାଳେ

କାଂଦୁରୀ କାରୁଣିକା !

ଉଜ୍ଜୟିନୀର ଉଦାସମେଘରେ

ଆଦ୍ର ତମର ମାୟା

ଶୁଣ କି ଶୀର୍ଣ ଶିପ୍ରାନଦୀର

ନିର୍ଘାତ ନାନାବାୟା !

ଆଜି ମୁଁ ଇଂଦ୍ର

ପ୍ରସ୍ଥଠୁ ଦୂର

ହଜିଥାଉ ହାୟ

ହସ୍ତିନାପୁର

କୁରୁଳୁଚି କାଚ କେଇପଟକରେ

କୁରୁକନ୍ୟାର କାୟା !

ଖଂଡିତାପ୍ରିୟା, ବରିଥାଅ କିଆଁ

ବିପ୍ରଲବ୍‌ଧା ବେଶ ?

ତମେ କି ସ୍ୱାଧୀନ ଭତୃର୍କା ଦିଅ

ସମୟର ସଂଦେଶ !

 

ବାସକସଜ୍ଜା,

ବିନତି ମୁଁ କରେଁ

କଳହ ନହେଉ

ବିରହ ବି ଥରେ

ପ୍ରିୟା ମୋ ପ୍ରୋଷିତ ଭତୃର୍କା ଭୁଲୁ

ଅଭିସାରିକାର ଦେଶ !

 

ଦୀର୍ଘମିଆଦୀ ଦୁଃଖିନୀରାତି

ସପତରାତି କି ହୁଏ ?

କେଉଁଠି ଷଷ୍ଠ ସତୀର କଷ୍ଟ

ନିସ୍ତରିବାର ନୁହେଁ ?

 

କେଉଁଠି ପବନ

ପତ୍ର ପରଶେ ?

ଫଟାକପାଳରେ

ଫୁଲଟିଏ ଖସେ ?

କେଉଁଠି ପ୍ରେମର ପୁଣ୍ୟତୋୟାରେ

ପାପ ପୁଣି ପାଦ ଧୁଏ ?

 

ସବୁ ଅକ୍ଷର ଅବଶୋଷ ଆଉ

ସବୁ ଶବ୍ଦ ତ ଶୋଷ

ଶଂଖରେ ତମ ସାତସମୁଦ୍ର

ଶୋଷର ଶବ୍ଦକୋଷ !

 

ରଂଗର ରୂପ

ତୃଷ୍ଣାବେଦନା

କଉଡ଼ି କତିରେ

ଖଇର ଖେଦ ନା ?

ରୁକ୍ମିଣୀରଥ ରଜ୍ଜୁକୁ ଧରା

ନଦିଏ ନଂଦିଘୋଷ !

 

ବାଇଚଢ଼େଇ

ଟେବୁଲ୍‌ ଉପରେ ଥଂଡା ହେଲାଣି

ଉଷୁମ୍‌ କଫିର କପ୍‌

ଆ' ତୁ ଚାଲିଆ ବାଇଚଢ଼େଇରେ

ଗାଉଁଲିଆ କଥା ଗପ୍‌ !

କଳାହାଂଡିଆ

ମେଘ ଉଠେଇଚି

ଆକାଶୀ ଆକାଶୀ

ଆଂକିଦେ କିଛି

ତାପରେ ତୁ ପଛେ ଦୂର ତାଳଗଛେ

ଛାଇଆଲୁଅରେ ଛପ୍‌ !

କୁଟାରେ କରିଚୁ କବାଟବଂଧ

କାଠିରେ କେଡ଼ିକି କୋଠା

ଅଥଚ ଉଚ୍ଚ ଉଡ଼ାଣ ଉବୁକେ

ସାତତାଳଗଛ ଗୋଟା !

ବାଆଁରାଉଥାଏ

ବାଆକୁ ତୋ ବସା

ତିଳେହିଁ ତଥାପି

ତୁ କି ଘରପଶା ?

ଏଇଠି ବିଦେଶୀ ବାଗବଗିଚା ତ

କୋଉଠି ଆଂବତୋଟା !

ବାଇଚଢ଼େଇରେ ବାଇଚଢ଼େଇ ତୁ

ପର ପାତୁ ପାଉଁଶିଆ

ସମଝେ ସମୟ ସାଉଁଟିବା ସୁଖ

ବୟସର ବାଉଁଶିଆ !

 

ଦିକିଦିକି ଦିଶେ

ଦୁଃଖ ତ ଦୁଇ

ଗୋଟେ ଜଉଘର

ଆରଟି ମୋ ଜୁଇ

ପାପୁଲି ପାପୁଲି ପାଉଁଶ ପିଠିରେ

ନାଉ ମୁଁ ନୁହେଁ କି ନିଆଁ ?

 

ଆଜି ଇଚ୍ଛାର ଇଲାକାରେ ଏଠି

ଅନେକ ଅନୁଚ୍ଚତା

ଆଶା ଆଉ ନୁହେଁ ଆକାଶଉଂଚା

ଅଧାବୁଜା ଆଖିପତା !

 

ଘରକୁ ଘେରିଚି

ଘଷରା କାଂଥ

ଏଠି ମୁଁ ଏମିତି

ଏକା ଏକାଂତ

ନିଦ ଭାଂଗୁନି ନିଅଁ ତଳୁ ନିଜ

ନିର୍ଦୟ ନିରୀହତା !

 

ବାଇଚଢ଼େଇ ତୁ ଡେଣାହଳକରେ

ମଲମ ମାରିଦେ ମୁଭ୍‌

ଆଜି ମୁଁ ତରାକୁ ହୁକୁମ୍‌ ଦେଇଚି :

ଡଉଲୀ ଡୋଳାରେ ଡୁବ୍‌ !

 

ଘୋଷାଇଦେ ମତେ

ଘରକରଣା ତୁ

ମାଳଟିଏ ପାଇଁ

ଥାଳ ପାତୁପାତୁ

ଭଲପାଇବାର ଭାଗ୍ୟଟାଏ ମୁଁ

ଭୋଗିଚି ବହୁତ୍‌ଖୁବ୍‌ !

 

ଦେଶାଂତର

ମତ୍ସ୍ୟଦେଶରେ ମିଳନ ହେଉ କି

ବିଦେହରେ ବିଚ୍ଛେଦ

ହେ ସୁନାହରିଣୀ, ଏବେ ବି ସରିନି

ପ୍ରଥମ ପରିଚ୍ଛେଦ !

ମୃଗୋଦ୍ୟାନରେ

ମୃତ୍ୟୁ ମୃଗୟା

ମୃଦୁମର୍ମର...

ଦ୍ରୁତ ତମ ଦୟା

କରରେ କରରେ ଶୂନ୍ୟତା ତମେ

ଶରରେ ଶବ୍ଦଭେଦ !

ଅଶ୍ୱଦେଶରୁ ଆଷାଢ଼ ଆସୁ କି

ଶ୍ରାବଣ ଶ୍ରାବସ୍ତୀରୁ

ମନ ବଳୁନାଇଁ ବାହାରିବା ପାଇଁ

ବଦନାମୀ ବସ୍ତିରୁ !

ବନହଂସୀର

ବର୍ଷାଭିସାରେ

ନିଜେ ମୁଁ ନିଖୋଜ୍‌

ଏଇ ଓଡ଼ିଶାରେ

ମୃତସଂଧ୍ୟାର ମେଘଅଂଧାର

ତମକୁ ନକରୁ ଭୀରୁ !

ବ୍ରହ୍ମଦେଶରେ ବର୍ଷ ବିତୁ କି

ମଦ୍ରଦେଶରେ ମାସ

ଏଇଠି ଆର୍ଯାବର୍ତରେ ଆମେ

ଭାଂଗିବା ଉପବାସ !

 

ଗୁହାରେ ଗୁହାରେ

ଗୁପତ ଗଂଗା

ଡାଲ୍‌ ଉଲାର୍‌ରୁ

ଡାକୁଚି ଡଂଗା

ଅଧାଜହ୍ନର ଆଲୁଅ ଆଉଁଶି

ଓଦାସ୍ୱପ୍ନରେ ଆସ !

 

 

କଂଧମାଳରେ କଢ଼ କଅଁଳୁ କି

ଚେରାପୁଂଜିରେ ଚେର

ମହଣମହଣ ମେଘରେ ମୁଁ ମଣ

ମାଣଫୁଲ ମାପେ ସେର!

 

ଆହା କି ଅହ୍ୟ

ଆଂଚଳିକତା

ମାଟି ମାନେ ପାଣି

ପବନର କଥା

ଆକାଶରେ ନିଆଁ ନିଭୁ କି ନନିଭୁ

ଫୁକିଆ ଫୁଟିଲେ ଫେର !

 

କେଉଁଠି ପ୍ରେମର ପ୍ରମୀଳାରାଜ୍ୟ ?

ପ୍ରଗଣାରେ ପ୍ରତାରଣା

ଏଇଠି ବାଇଶି ପାହାଚ ପାଖରେ

ବୁଦ୍ଧି ତ ବାଟବଣା !

 

ବାଲି ବାଂଧୁଚି

ଜୁଡ଼ା ନା ଜୁଆର ?

ସ୍ୱର୍ଗକୁ ଏଠୁ

ଦୁଶେ ବି ଦୁଆର

ଆଉ ସେ ଦୁଆର ଦୁଇପଟେ ଆମ

ଆଶା ଅଂଧାରକଣା !

 

ମରୁମଲ୍ଲାର

ବେଘର ମେଘର ମୁସାଫିର୍‌ ଖୋଜେ

ଖଜୁର୍ର ବନବୀଥି

ଗୁମୁରେ ମନର ମଧ୍ୟଏସିଆ

ଗୋବିର ଗୋଧୂଳିଗୀତି !

ଓଟର ଓଠରେ

ଓଦା ୱେସିସ୍‌

ହାଓୟାର ହାତ

କି ଉଷୁମ୍‌ ଇସ୍‌ !

ଏଠି ଆଂଧିର ଆଲିଂଗନରେ

ଆଦିମାନବର ଇତି !

ଚିରେ ଚୈନିକ ଚିତ୍ରଚିରାଳ

ମଂଗୋଲିଆର ମୋଡ଼େ

ସରେ ସୋଭିଏତ୍‌ ସଂଗୀତାବଳୀ

ତୀବ୍ର ତୋଫାନୀ ତୋଡ଼େ !

ଏଠି ଆସମାନୀ

ଆଶାବରୀ ଅବା

ବାରବୁଲୀଟିଏ

ବାଲ୍ୟ ବିଧବା

ରାଜପୂତାନାର ରାଣୀମହଲଟା

ମାର୍ବଲ୍‌ ମଥା କୋଡ଼େ !

ଥଂଡାରାତିରେ ଥରିଉଠେ ଥର୍‌

ଧର୍ଷିତ ତାରାବଳୀ

ବନ୍‌ଜାରା ବାଟେ ପଶ୍ଚିମଘାଟେ

ଅର୍ଖିତ ଆରାବଳୀ !

 

ତମେ ଝାଂଜି, ମୁଁ

ଝାସିବାର ପଣ

ଯୁଗଳବଂଦୀ

ଯାବଜ୍ଜୀବନ

ତମକୁ ଚୁମେ ମୁଁ ପ୍ରଜାପତିଟିଏ

ଆଗୋ ବଂଧୁକନଳୀ !

 

 

ମରୁରେ ମରୁରେ ମାତେ ମର୍ମର

ବେଦୁଇନ୍‌ ବେପଥୁରେ

ବାଲିବର୍ଷାର ବିଜୁଳିଛଟାରେ

ଘୁମୁରା ଘୂର୍ଣି ଘୂରେ !

 

ନିର୍ଜଳା ତମେ ।

ନିର୍ମେଘ ମୁଇଁ

ଉଷ୍ଣ ମୁଁ ତମ

ଆଖିପତା ଛୁଇଁ

ଏଠି ଏ ଝାପ୍‌ସା ଝାନ୍‌ସିର ଝାମୁ

ଜିପ୍‌ସୀ ଜିଦ୍‌କୁ ଝୁରେ !

 

ଆଜି ଆରବୀୟ ରାତ୍ରି ଫେରୁଚି

ସାହାରା ସ୍ନାହାନ ସାରି

କାହିଁ କେତେଦୂରେ କାଫ୍ରିକୁଟୀରେ

କାଂଦୁଚି କାଲାହାରୀ !

 

ତଂବୁକୁ ମତେ

ନିଅ ମତୁଆଲୀ,

ମୁହଁ ଘଷେ ବୋଧେ

ବତାସରେ ବାଲି

ଏଠି ଏସିଆର ଏକାଦଶୀରେ କି

ଆଫ୍ରିକା ଅନାହାରୀ !

 

ଋତୁସଂହାର

ବୁଗେନ୍‌ଭିଲାର ବାଗାନ୍‌ରେ ବୁଲେ

ବତାସ ବେପର୍ବାୟ

ଏଠି ଉଇପିଂ ଉଇଲୋର ଛାୟା

ଦିଶେ କି ଦୀର୍ଘକାୟ !

ଆଇଭିଲତାର

କୁଂଜେ କେଉଁଠି

ଫୁଲସଂଜେ ମୁଁ

ଆସିବି ଲେଉଟି ?

ଯୁବତୀ ଯୂଈର ଯଂତ୍ରଣାଯାକ

କେତକୀ କନ୍ୟାଦାୟ !

କେତେ କୃତ୍ରିମ ଝରଣା ଝଳାଏ

କୃଚ୍ଛ୍ରକାନନ କାୟା

ମାନୁନି ଚଂଦ୍ର ମଲ୍ଲିକା ମୋଟେ

ମାଟିକୁଂଡର ମାୟା !

ଏଠି କ୍ରୋଟନ୍‌ର

କୋଟି କ୍ରଂଦନ

ବଢ଼ୁଚି ବହଳ

ବନ୍‌ସାଇ ବନ

ଅପରାଜିତାର ଅପମୃତ୍ୟୁରେ

ଆଷାଢ଼ଟା ଆଡ଼ବାୟା !

ନଦୀବଂଧରେ ନଜରବଂଦୀ

ନୈଶଭ୍ରମଣସବୁ

ପୁଷ୍ପବତୀଟି ପରାସ ପାଉଚି

ପରାଗର ପରାଭବୁ !

 

କେତେ ପ୍ଲାଷ୍ଟିକ୍‌

ଫୁଲର କଢ଼ରେ

ଋତୁ କାଂଦୁଚି

ରାସ୍ତାକଡ଼ରେ

ନିଆଳୀଫୁଲଟେ ନେହୁରା ହଉଚି:

ନିଆଁର ଝୁଲଟେ ନବୁ ?

 

 

ବିଳଂବିତ ଏ ବିକଳ ବର୍ଷା

ବିଗାଡୁଚି ବେଳକୁ ହିଁ

ଜୁନ୍‌ର ଜୁନୁନ୍‌ ଖୋଜିବୁଲେ ଖୁନ୍‌

ଜଳେ ଜୁଲାଇର ଜୁଇ !

 

ରଇରେ ରଦ୍ଦ

ରକ୍ତପଲାସ

ମିତବାକ୍‌ ମୋର

ମିଥୁନ ଏ ମାସ

ଚିନି ଛାଡ଼ିଲାଣି ଚଂପାକଳି ବି

ଚା’ ପତ୍ରକୁ ଛୁଇଁ !

 

ଲୁ’ ବହୁଚି ନା ଲୁହ ବଷୁର୍ଚି ?

ଲୁଂଠିତ ଲଘୁଚାପ...

ଏଠି ମୌସୁମୀ ମରୁବାଲି ଚୁମି

ମାଗୁଚି ମେଘର ମାପ !

 

ଶ୍ରାବଣ ଶୁଣାଏ

ଶବ୍ଦ ନା ଶ୍ୱାସ ?

ଭୋଦୁଅ ଭୋଗୁଚି

ଭାଗ୍ୟୋପହାସ

ଆହା ମୋ ଅଶିଣ କାହା ଆଜ୍ଞାରେ

ଅସରାଏ ଅନୁତାପ !

 

ଦ୍ୱିତୀୟଋତୁର ଦୁଃଖ

ଆଜି ଦିନସାରା ବର୍ଷାର ଧାରା

ପୂର୍ବମେଘର ପାଳି

ପାକଳ ପାଣିର ପାଗଳ ପାଗରେ

ପବନ ବି ପହଁରାଳି !

ଦେଖ ଦକ୍ଷିଣ

ଦରଜା ଦୋହଲେ

ପଶ୍ଚିମପଟ

ପରଦା ମୋ ହଲେ

ବଗୁଲୀ ବର୍ଷା ବାଟରେ ଘାଟରେ

ହଜାରେ ହଂସରାଳି !

ବର୍ଷାରାତିରେ ଛାତ ନା ଛାତିରେ

ମେଘର ମାହାରୀନାଚ ?

ପିଟିଭାଂଗୁଚି ପାହାଡ଼ୀଝରଣା

ପଥରରେ ପାଣିକାଚ !

ଚାହୁଁଥିଲାବେଳେ

ଚଉଠି ଚାଂଦ

ବରଂ ବଉଳ

ବେଣୀଟି ବାଂଧ

ଫୁଲ ଆଣନାଇଁ ପରଦେଶୀ ପାଇଁ

ପଡ଼ିଯିବ କାଳେ ବାଛ !

ଆଜି ରାତିସାରା ବର୍ଷା ବିଚାରା

ପହଡ଼ କି ପାସୋରିଚି ?

ଯେତେସବୁ ନଈ ଯମୁନା ଲାଗଇ

ବଉଦଯେତିକ ବୀଚି !

 

ଆକାଶଗଂଗା

ଅବତରିଆସେ

ଭୂରୁ ତଳେ ତମ

ଆଖି ଭରିଆସେ

ଦୂରୁ ମୁଁ ନାୟକ ଦୁଃଖଦାୟକ

କଥା ଶୁଣୁଥାଏ କିଛି !

 

 

ଲଗାଣ ବର୍ଷା ଲଂଘନ କରେ

ରାତିର ରହିତାଦେଶ

ଲୁହଟୋପିକରେ ଲବଣିପିତୁଳା

ଲବଣ ବା କାହିଁ ଲେଶ ?

 

ଫୁଲଶଯ୍ୟାରେ

ପତ୍ର କି ପଡ଼େ ?

ମୁଁ ପୁଣି ପାପର

ପାପିରସ୍‌ ପଢ଼େ

ମତେ ମାରିଦିଏ ସତୀ ସାରୀଟିଏ

ଶରଶଯ୍ୟା ବି ଶେଷ !

 

ଦ୍ୱିତୀୟଋତୁର ରକ୍ତସ୍ରାବରେ

ରାତି କାଂଦୁଚି କାହିଁ

କାଲି ମୋ ପ୍ରଥମ କଦଂବକୁ ମୁଁ

ମନେପକାଇବି ନାଇଁ !

 

ମଗ୍ନ ମନଟା

ମାନେନା ମଂଗ

ମୌସୁମୀର ଏ

ମୌନଭଂଗ

କାହାକୁ କରିଚି କାଦଂବରୀ ତ

କାହାକୁ ମୋ କାଳୀଜାଈ !

 

ବର୍ଷାବାହୁଡ଼ା

ଶୁଭ୍ର ତମର ଶଯ୍ୟାଧାରେ ମୋ

ନିଦର ରଂଗ ନୀଳ

ଏ ନିଦରେ ତମ ନିର୍ଜନତମ

ଆଖିଦୁଇ ଅନାବିଳ !

ସବୁ ସବୁଜ ସେ

ସ୍ୱପ୍ନଦୋଷରେ

ଲାଲ୍‌ ହୁଏ ରାତି

ରକ୍ତକୋଷରେ

ଆଜି ଅଂଧାର ଅଧାରୁ ଅଥଚ

କବାଟ କାହିଁକି କିଳ ?

ଘନନୀଳ ଗୋଟେ ସ୍ୱପ୍ନ କି ଘୋଟେ

ନାଭିଚକ୍ରର ଚୂଡ଼େ

ମୁଁ ତମ ସହିତ ସର୍ତରହିତ

ବାଇଗଣି ବେଳବୁଡ଼େ !

ବୟସ ବଖାଣେ

ବର୍ଷାବାହୁଡ଼ା

ଜହ୍ନିଫୁଲରେ

ଜଡ଼ାଅ ଗୋ ଜୁଡ଼ା

ସାଧବବୋହୂର ଶାଶୂଘର ଗାଆଁ

ଗୋହିରିକୁ ଗୁଳା ଗୁଡ଼େ !

ଆଜି ସଂଧ୍ୟାର ଶ୍ରାବଣ କି ନୁହେଁ

କୁମାରୀମାତାର କ୍ଷୀର ?

ଶିଥିଳ ଏ ଶିରା ପ୍ରଶିରା ପାର୍ଶ୍ବେ

ଧମନୀର ଧାର ଧୀର !

 

ଶିଖା ସଂଯତ

ସଂଜବତିରେ

କିଆ କାଂଦୁଚି

କିଆରି କତିରେ

ନାରଂଗିନୀ ଏ ନଈବାଲିକୁ ତ

ତିଂତାଏ ତମ ନୀର !

 

 

ସାରୁପତ୍ରର ସରଦେଈପୁରେ

ବାଉଁଶପତ୍ର ସରୁ

ତନୁପାତଳୀ ଗୋ ଅନୁମତି ବିନା

ଚାଲିଯିବା ଚାଲ ଘରୁ !

 

ହୁଡ଼ାରେ ହକାରେ

ହଂସମିଥୁନ

ହଳଦୀପତ୍ର

ପାଟ ପିଂଧୁନ ?

ମତେ ଛାଡ଼ି ତମେ ମରୀଚିକା ଆଉ

ତମକୁ ଛାଡ଼ି ମୁଁ ମରୁ !

 

ଅଣଲେଉଟା ଏ ଅଣଚାଶ ଆଣେ

ରୁକୁଣା ରଥର ବେଗ

ତମକୁ ତାଡୁଚି ତୁମୁଳ ବର୍ଷା

ମତେ ମଂଥୁଚି ମେଘ !

 

ଆଜି ସଂଧ୍ୟାର

ସୁଖ ସଂଗମେ

ନିଷ୍ପରଦୀପ ମୁଁ

ନିର୍ବତୀ ତମେ

ଆଲୋକହୀନ ଏ ଉତ୍ତାପରେ କି

ଭାଂଗୁଚି ଭାବାବେଗ ?

 

ସଂଗୀ-ସଂଗୀତ

ପୁଆଣୀ ପୁଆତୀ ପାନପତ୍ରରେ

ଗୁମାନୀ ଗୁଆଳୀ ଗୁଆ

କାଠ ମୁଁ ହେଲେ ତୁ ଚଂଦନଚିତା

ଛୁ’ ଛୁଈଁମୁଈଁ ଛୁଆଁ !

ତୁ ଥିଲେ ମନଟା

ହାଲୁକାହାଲୁକା

ସାରା ଏ ସ୍ୱର୍ଗ

ତାରାର ତାଲୁକା

ଯଦିଚ ଯମୁନା ନଈର ନମୁନା

ଜୁଆର ଜୁଆର ଜୁଆ !

ଠେକି ତୁ ଟେକିଚୁ ଠଣସୁଂଦରୀ

ଗୋକୁଳର ଗଉଡ଼ୁଣୀ

ସରାରେ ସରାଗ ସରଲବଣୀ ଲୋ

ସହୁଚୁ ତୁ ସଉତୁଣୀ !

ଗୁହାଠୁ ଗୂଢ଼ ତୋ

ଗୁହାଳର ଗାଆଁ

ବଉଳା ବଉଳା

ବାସେ ବସୁମାଆ

ମୁହଁରେ ମାଇଲେ ମିଠା ମୁରଲୀ ମୁଁ

ଲୁହ ତୋ କାହିଁକି ଲୁଣି ?

ବଡ଼ଦେଉଳରେ ପଡ଼ିଚି ବକଟେ

ରନିପଥର ପିଢ଼ା

ମୋ ଭାଉଭଉଣୀ ସଂଗତେ ତହିଁ

କାଠଖଂଡେ ମୁଁ ଛିଡ଼ା !

 

କର ବଢ଼ିଲେ କି

କମିବ କରଜ

ଘାସ ଘେନୁଚି କି

ଦୂବର ଦରଜ ?

କାହାର କଷ୍ଟ ପାଲଟେ ଅଷ୍ଟ

ପାଟବଂଶୀର ପୀଡ଼ା ?

 

 

ହାୟ ତୋ ହାଲୋଳ ରସକଲ୍ଲୋଳ

ହାୟ ମୋ ହଜାର ହୋଲି

କାଠହଣାକୁ ବି ବାଟବଣା କରେ

ବ୍ରଜର ବଜାରବୋଲି !

 

ଏଇଠି ମୁଁ ଅଛି ।

କୋଉଠି ତୁ ଠିଆ ?

ମାଟିଆ ମେଘ ତ

ମାଠିଆ ମାଠିଆ

ସୂର୍ଯମୁଖୀର ସକାଳ ସକାଏ

ଖରାର ଖିଡ଼ିକି ଖୋଲି !

 

ବଂଶୀ ମୋ ଦିନ ଦଂଶିଯାଉଚି

ଦିପହର ଦରଜଳା

ସିଂଦୂରଟୋପେ ନମିଳିଲେ ଗୋପେ

ପୁରସ୍ତମ ତୁ ପଳା !

 

ଆଉ ଅଷ୍ଟମୀ

ଜହ୍ନ ମୁଁ ନୁହେଁ

ଅଧା ସେଠି ବୁଡ଼ି

ଅଧା ଏଠି ଉଏଁ

ଚିତ୍ରଲେଖାର ଚିବୁକ ଚିହ୍ନେ

ଚେନାଏ ଚଂଦ୍ରକଳା !

 

ବିଷାଦବୃତ୍ତ

ହେ ଧଳାଚାଦର, ତମଠୁ ଆଦର

ସଂପ୍ରତି ସମୀଚୀନ

ନଈପଠାକୁ ତ ପଠାଇପାରେ ମୁଁ

ଖଇଫୁଟା ଖରାଦିନ !

ଦିଶେ ଦେବାଳିଆ

ଦିପହରସବୁ

କଇଁ ଲୋ କେତିକି

ଦୁଃଖ ତୁ ଦବୁ ?

ଆହା ଅଲ୍ୟଳୀ ଅଫିମଫୁଲ ଗୋ

ଅତର ଅର୍ବାଚୀନ !

ହେ କୁଶଶଯ୍ୟା, କୁଶଳରେ ଥାଉ

ତୁଷ ଅଗ୍ନିର ତାତି

ସଡ଼କ ଉପରେ ଶୁଆଇପାରେ ମୁଁ

ଶୁନ୍‌ଶାନ୍‌ ଶୀତରାତି !

ନିଜେ ତୁ କହରେ

ନିଶାଣଖୁଂଟ,

କାହିଁ ତୋ ଛମାଣ

ମୋ ଆଠଗୁଂଠ ?

ଆହା ଗଜାଗୋରୀ ଗଂଜେଇଗଛ

ବେଣୀ ବଢ଼େ ବାରହାତୀ !

ହେ ନିଆଁ, କାହିଁକି - ଜିତିବାଠାରୁ ମୋ

ହାରିବାଟା ଜିଦ୍‌ଖୋର୍‌ ?

ଟ୍ରେନ୍‌ଲାଇନ୍‌ରେ କଟାଇପାରେ ମୁଁର୍‌

ଶେଷ ସକାଳର ଭୋର୍‌ !

 

କଟା କଲିଜାଟା

କେଡ଼େ କଲବଲ

ପୋଡ଼ା ପାପୁଲିକୁ

ପାଇଚି ମୁଁ ଭଲ

ଆହା ମହୁମହୁ ମହୁଲମଂଜି

ନିଶା ଜମିଲାଣି ଜୋର୍‌ !

 

ପ୍ରତିଜନ୍ମରେ

 

ଅମାନତ ହାରେ

ଆମାଜନ୍‌ ଏଠି

ଅବବାହିକାରେ ଆମ

କିଶୋରୀ କିଶୋରୀ

ମିସୋରୀ ମୁହଁରେ

କାହିଁ ମିସିସିପି ନାମ ?

 

କେତେ ଯେ କାହାଣୀ

ଚାପିଚି ଚାହାଣି!

କେତେ ଲୁହ ମଲାନଈ

ଏଠି ଚୂର୍‌ମାର

ସରୁ ସୁର୍ମାର

ଛୁରୀମାର୍କା ସେ ଛଇ !

ଏଠି ଆରବୀୟ

ରାତ୍ରି କେବଳ

କୁହୁଡ଼ିରେ କାଟେ ଗାର

ଅନେକ ଆଖିର

ଆଫ୍ରିକା ଏଠି

ଆହୁରି ଅଂଧକାର !

 

କୁମାରୀକୁମାରୀ

ସ୍ୱପ୍ନ ସୁମାରି

କୁଳବଧୂ କୋଡ଼େ ମଥା

ଏଠି ବୟସର

ବରଫ ବର୍ଷେ...

ବାଷ୍ପୀୟ ବହୁ ବ୍ୟଥା!

 

ଏଠି ମିଶରୀୟ

ମମିର ମୁଦ୍ରା

ମନାସେ ମୌନାବତୀ

ଏଠି ମୋ ପାପର

ପିରାମିଡ୍‌ ପାଖେ

ପଥର ମୁଁ ପ୍ରଜାପତି !

 

କ୍ଲିଓପାଟ୍ରାର

କରୁଣ କୁଚରେ

କାଳସର୍ପର କେଳି...

ମୁଁ ସେଇ ଭୀଷଣ

ଭଲପାଇବାରେ

ନହେଲି କାହିଁକି ନେଳି ?

 

କ୍ଷୀଣଜ୍ୟୋତ୍ସ୍ନାରେ

କ୍ଷାଳିତ କ୍ଷେତ୍ର...

କ୍ଷତଚିହ୍ନର କ୍ଷମା

ଏଠି ପ୍ରେମ ମରେ

ପ୍ରତିଜନ୍ମରେ -

ପ୍ରସ୍ତରୀ ପ୍ରିୟତମା!

 

ଧ୍ୱଂସାବଶେଷ

 

ଧୂପ ଦେଇଯାଅ

ଧୂସର ସଂଧ୍ୟା,

ଧ୍ୱଂସାବଶେଷ ଧାରେ

ଦୀପ ଜଳେନା ଏ

କଜ୍ଜ୍ୱଳମୟୀ

କୃଷ୍ଣାଦ୍ୱାଦଶୀ ଦ୍ୱାରେ !

 

ନିର୍ବାଣଗତ

ନାଗ ନଗ୍ରରେ

ନିଦ୍ରିତ ନାଗବାଳୀ...

ଚିତ୍ରନଦୀର

ଚିତ୍କାର ଚିରେ

ଚାରୁଚୋରା ଚୈତାଳି !

 

ଏଠି ବେଦୁଇନ୍‌

ବେଦନାରେ ବୋଳା

ବିଦାୟୀ ବର୍ଷାରାତି

ଶବ୍ଦଶିକାରୀ

ଶତ୍ରୁସମୂହ

ଶୋକଦିବସର ସାଥୀ !

ମୁଁ ଜାଣେ ଏସବୁ

ଇଂଦ୍ରଜାଲର

ଆରପଟେ ତମେ ଥିବ

ତମ ଚାରିପଟେ

ଚକ୍‌କର କାଟେ

ଚକିତ ଚିତ୍ରଗ୍ରୀବ !

 

ଆଜି ଦିନସାରା

ତୁହାଇତୁହାଇ

ତମ କଥା ମନେପଡ଼େ

ତମରି ହାତ ମୋ

ହତ୍ୟାକାରୀର

ହୀରକମୂର୍ତି ଗଢ଼େ !

 

ଏପଟେ ସେପଟେ

ଧୂପ ନା ଦୀପଟେ ?

ଦୁଃଖିନୀ ଦେବଦାସୀ

ରକ୍ତବସନା

ସୁଂଦରୀ ଆଗେ

ଭକ୍ତ ମୁଁ ଉପବାସୀ !

 

ହେ ମୋର ଅଶେଷ

ଧ୍ୱଂସାବଶେଷ !

ଦିନେ କି ପାରିଚ ଧ୍ୟାୟି

ଆଜି ସଂଧ୍ୟାର

ଅତିଥି ବି କାଲି

ରାତ୍ରିର ଆତତାୟୀ !

 

ହୁକିଟୋଲା

 

ସାନସାନ ସବୁ ସରାବୀ ଶୋଷର

ପାନପାତ୍ର ମୋ ତମେ

ତମକୁ ଛୁଇଁଲେ ନିଶା ବଢ଼େ ଆଉ

ନିଦର ମାତ୍ରା କମେ !

 

ପିଆସୀ ପାଖରେ

ପ୍ରିୟା ଗୋ ପିଆଲା

ମିଛରେ ମଣୁନ

ମତେ ମତୁଆଲା

ତମ ଜହରରେ ଜହ୍ନରାତିର

ଜଳତରଂଗ ଜମେ !

 

ମୁହୁର୍ମୁହୁ ମୁଁ ମରିବା ମାମଲା

ମୁହୂର୍ତକରେ ମିଛ

ତମ ମାୟା ମତେ ମୋହିବା ମାତ୍ରେ

ନବତଳ ଲାଗେ ନୀଚ !

 

ମଦିର ସେ ମାୟା

ମଦିରା ନୁହଁ ତ

ତମ ଦେହ ଛୁଇଁ

କହୁଚି ମୁଁ ସତ

ବଡ଼ବଡ଼ ବହୁ ବଂଚନାରେ ବି

ବଂଚିବା ବତାଇଛ !

 

ଆହା ଉତ୍ତାଳ କାମନା ମାନୁନି

କାହାର ବି କୁହାବୋଲା

ଆଜି ଭଲଲାଗେ ମେଘଠୁ ମେନକା

ସବ୍‌ନମ୍‌ଠୁ ବି ସୋଲା !

 

ପାନପାତ୍ରରେ

ଚୁମାର ଚିତ୍ର

ବିଡୁଚି ବିଳାସୀ

ବିଶ୍ୱାମିତ୍ର

ମଦୁଆ ମଦୁଆ ମହାନଦୀରେ କି

ହୃଦୟଟା ହୁକିଟୋଲା !

 

ଫୁକୁଶିମା : ୧୧ ମାର୍ଚ୍‌ '୧୧

ଫୁକାରେ ପାତାଳ ପଂକର ଫଣା

ସାତତାଳ ପାଣି ତଳେ

ଆଂକେ ଇଶାଣ ନିଆଁର ନିଶାଣ

ଅସ୍ତ ଉଦୟାଚଳେ !

ଜଳୁଚି ଜୁଆର

ଜମୁଚି ଜହର

ସରହଦ ସହ

ସହିଦ୍‌ ସହର

ଜଳବଂଦୀ ସେ ଜାପାନୀ ଜମିରେ

ଜାଫ୍ରାନୀ ଜୁଇ ଜଳେ !

ଭୂକଂପନର ଭୟ ଭଂଗାଏ

ଭଉଁରୀର ଭଂଗିମା

ଦୁକୁଦୁକୁ ହୁଏ ଦୁକୁଦୁକି ନୁହେଁ,

ଫୁଂଗୁଳୀ ଫୁକୁଶିମା !

ଏଠି ସାଲ୍‌ ଉଡ଼େ

ସେଠି ସାଲ୍‌ୱାର୍‌

ତୀବ୍ର ତୋଫାନ୍‌

ତୋଳେ ତଲ୍‌ୱାର୍‌

ପରମାଣୁ ମୋଡ଼େ ପରମାୟୁ ପୋଡ଼େ...

ପୂରିନି ମା, ପୂର୍ଣିମା !

ଆଜି ଆଣବିକ ରାତ୍ରି ଆଣିଛି

ଘାତଚଂଦ୍ରର ଛାୟା

ମାଟିସାରା ଘୋଟେ ମାଦକୀୟ ଗୋଟେ

ମଗ୍ନ ହେବାର ମାୟା !

ବାଡ଼ବାଗ୍ନିର

ବେପରୁଆ ବେଳା

ବିମାନ ଭାସୁଚି

ବୁଡୁଚି ବି ଭେଳା

ଫାଲ୍‌ଗୁନ ପାଇଁ ଫୁଲ ବର୍ଷାଇ

ଜାଗୁନି ଜାପାନୀ ଜାୟା !

ବାଟରେ ବାଦାମୀ ବରଫବର୍ଷା

ଘାଟରେ ଘୂର୍ଣିଝଡ଼

ମହାସାଗରରୁ ମୁହାଁଇସାରିଚି

ସୁନାମି ମସ୍ତବଡ଼ !

ନାଟୋରୀ ନଈରେ

ନିଖୋଜ୍‌ ନଉକା

ମତ୍ସ୍ୟାସନର

ମିଳିଚି ମଉକା

ସେନ୍‌ଦାଇର ହେ ସୁଶ୍ରୀସେବିକା,

ମିୟାଗିରେ ମନେପଡ଼ !

ଆଜି ଉତ୍ତର ପୂର୍ବ ଉଜାଡ଼େ

ସାମୁଦ୍ରିକ ସେ ସୀମା

ସାତତାଳ ଲୁଣି ଲୁହର ଲୁ'ରେ

ଉଠୁଚି ମୁଁ, ପଡୁଚି ମା !

ଆହତ ଅଶ୍ୱ

ଆସିନି ଆହବୁ

ଶୋଇପଡ଼ିଲେଣି

ସାମୁରାଇ ସବୁ

ଝୁଲରେ ଝଲସେ - ମୋ ଝରାଫୁଲ ସେ

ଫୁକୁଶିମା, ଫୁକୁଶିମା !

 

ଜାପାନ୍‌

 

ତମେ କେଉଁ ଚେରୀ ଫୁଲଶଯ୍ୟାର

ପରିଚିତ ପରିସୀମା

ଏଠୁ ମୁଁ ଗୋଟିଏ ଜହ୍ନିଫୁଲକୁ

ଦେଇପାରେ ତମ ଜିମା !

 

ଜଳେ ତମ ଦେଶ

ଦ୍ୱୀପାଂତରରେ

ମୋ ଦେଶ ବି ଏଠି

ଜଳିପୋଡ଼ି ମରେ

ଏଠି ବି ହୃଦୟ - ହୃଦୟ ନୁହେଁ ତ

ହାୟ ଗୋଟେ ହିରୋସିମା !

 

ଜେମାଦେଈଟିଏ ଜିଗର୍‌ ଜଣାଏ

ଜାପାନୀ ଖେଳଣା ଜାକି

ମାଛଧରାଗାଆଁ ମୁଣିରେ ବହୁତ

ବନ୍‌ସିକଂଟା ବାକି !

 

ସୁଂଦର ଶୁଭେ

ସାୟୋନାରା ତମ

ଏଠି ଗୋପାଟିଏ

ସେଠି ଗୌତମ

ଏଠି ବି ମନଟା - ମନ ନୁହେଁ, ଗୋଟେ

ନାସ୍ତିକ ନାଗାସାକି !

 

ସଜ ସେବତୀରେ ସଂଜ ସଜାଏ

ଠାକୁରରାଜାର ରାଣୀ

କେଉଁଠି ତମର ପାନବରଜରେ

ପିଆନୋ ବଜାଏ ପାଣି !

 

କାଠର କୋଠା ନା

କାଗଜର କୋଠି

ଭୂଇଁ କଂପିଲେ

ଭାଂଗେ କେତୋଟି ?

ଏଠି ବି ଆତ୍ମା ଅମୁହାଁଦେଉଳ

ଉଆଁସେ ଉତୁରିଲାଣି !

 

ହାଇ ମାର ତମେ ହାଇକୁର ହତା

ଚୀନାସମୁଦ୍ର ଚିରି

ଅସ୍ତହ୍ରଦରେ ହୁଏତ ହଜାରେ

ହଂସର ହାରାକିରି !

 

ପୂର୍ବସାଗର

ପଠାଏ କି ଝଡ଼ ?

ପ୍ରଥମ ସୂର୍ଯ

ଭାଂଗେ ପହଡ଼

ଏଠି ବି ଫୁଲର ଫୁଜିୟାମା ଫୁଟେ

ଉଠେ ଆଗ୍ନେୟଗିରି !

 

ପାହାଡ଼ପାହାଡ଼ ପଥର ଫାଟୁଚି

ପୋଡ଼ାଅଂଗାର ପାତି

ଜୁଳୁଜୁଳିଆର ଜୁଇରେ ଜଳକା

ଜାପାନୀ ଜହ୍ନରାତି !

 

 

ବିମାନଘାଟି ନା

ବଂଦର ବାଟେ

ହଳଦିଆ ଧୂଆଁ

କୁଂଡଳୀ କାଟେ ?

ଏଠି ବି ମୃତ୍ୟୁ ଚା' ବଗିଚାରେ

ମୃଗୟାରେ ଉଠେ ମାତି !

 

ଦଂତପୁର

 

ଅଂତଃପୁରର ଅପରପାର୍ଶ୍ବେ

ଦଂତପୁର ମୋ ପୁରୀ

ହଜାର ହଜାର ବଜାର ବଂଦ

ହଂସପୁରରେ ହୁରି !

 

ଘଂଟ ବାଜୁଚି

ଆଳତି ଆଳରେ

ମାନଭଂଜନ

ମାଳତୀ ମାଳରେ

କଂଚା କୁହୁଡ଼ି କାଟିକୁଟିଯାଏ

ଖଲାସୀ ଖରାର ଖୁରି !

 

ପୁରୀ ମୁଂଡରେ ପଥର ପଡିଲେ

ଦେଉଳଟେ ଦୁଶେ ବଡ଼

ପୁରୀ ତୁଂଡରେ ପଦୁଟେ ଫୁଟିଲେ

ପ୍ରାର୍ଥନା ଫୁଲକଢ଼ !

 

ପୁରୀ ପିଂଧାଏ

ପୁଣ୍ୟକୁ ପାଟ

ସ୍ୱର୍ଗଦ୍ୱାରରେ

ଶୂନ୍ୟକପାଟ

ପୁରୀ ପାଦ ପାଖେ ପାଣିର ପାତାଳ

ନୀଳଦରିଆର ଗଡ଼ !

 

ପୁରରେ ଥିବି ନା ପୁରୀକୁ ଯିବି ମୁଁ

କହ ଲୋ କନକଗୋରୀ

ସରୁଗଳିର ଏ ସଡ଼କ ସରୁନି

ସୋରିଷଫୁଲଟି ଚୋରି !

 

ଆଖିରେ ଆଜି ବି

ଅଂଧପୁଟୁଳି

ଶରଧାବାଲି ତୁ

ଧୂମାଳ ମୁଁ ଧୂଳି

କେଉଁଠି ଆମର ନଂଦିଗ୍ରାମର

ନିମକାଠ ହୁଏ ଘୋରି ?

ଦରଚଢ଼ା ଏଠି ଦରବମାନ ଲୋ

ଦାରୁଟିଏ ଦରପୋଡ଼ା

ମଂଦିର ମୋଟେ ମାନେନା ମଉଳା

ମଲ୍ଲୀର ମଥାକୋଡ଼ା !

 

ପଡ଼ିଚି ପଥର

କାଂଥରେ ଗାର

କିଏ ବା କଳୁଚି

କଷ୍ଟ କାହାର ?

ପୁରୀ ପ୍ରାଂତରେ ପାଣିପବନ ତ

କଳାଘୋଡ଼ା ଧଳାଘୋଡ଼ା !

 

ଦଧିନଉତିକୁ ଦୂରରୁ ଦେଖୁଚି

ମଂଥିତ ମହୋଦଧି

ନଜରବଂଦୀ ନୀଳଈଶ୍ୱର

ନିରବ କି ନିରବଧି !

 

ଏପାଖେ ପଥର

ସେପାଖେ ତ ପାଣି

ପୁରୀ କାଂଦୁଚି

କାହିଁକି କେଜାଣି

ଚକାନୟନକୁ ଅନାଏ ଅସ୍ତ

ଚଂଦ୍ରର ଚଉହଦି !

 

ଓଡ଼ିଶା

ସରଳ ଗୋଟାଏ ସୀମାକୁ ନେଇ ତ

ବହୁତ ବକ୍ରରେଖା

ଚିତ୍ରପଟ ନା ପଟଚିତ୍ର ସେ

ଛିନ୍ନ ମୋ ସ୍ମୃତିଲେଖା !

ବେଳାକୁ କରୁଚି

ବାଲି ବିଦ୍ନପ

ଦୟାର ଦୁଆରେ

ଧଉଳିର ଧୂପ

ହାତୀଗୁଂଫାର ରାତିକୁ ସ୍ୱପ୍ନ

ଦେଇଚି କି ଦିନେ ଦେଖା ?

ପଥରଘୋଡ଼ାର ପକ୍ଷାଘାତରେ

ପୀଡ଼ିତ ଏ ପୂର୍ବାଶା

ଓଡ଼ିଶା ଓରଫ୍‌ ଓଡ୍ରଦେଶରେ

ହରଫ୍‌ ହରାଏ ଆଶା !

ଲବମାତ୍ରକେ

କଅଁଳୁନି କୁଶ

ପାଣିଟୋପେ ପିଏ

ପିତୃପୁରୁଷ

ପାପୁଲି ପତାଇ ପାଦରେ ପଡୁଚି

ମାମୁଲି ମାତୃଭାଷା !

ହାୟ ମୋ ଗୋକୁଳ ପୂର୍ବୋପକୂଳ

ମଫସଲ ମାଟି ମାରା

ଗହନବନର ଗଡ଼ଜାତ ଗାଆଁ

କେତେ ଦେବକୀର କାରା !

ମାଆ ମହାନଦୀ

ଯଦିବା ଯଶୋଦା

କାଠଯୋଡ଼ୀ କୂଳେ

ଆଖିପତା ଓଦା

ଏଠି ଓଡ଼ିଶାର ଏଂତୁଡ଼ିଶାଳେ

ଜଣେ ପରେ ଜଣେ ଜାରା !

 

ହେ ତାଳତମାଳ, ତମ ତଳମାଳ

କ୍ଷୁଧାର କ୍ଷେତ୍ରଫଳ

ଜନପଥଭାଗେ ମାଲିକାନା ମାଗେ

ଜଂଗଲ ଜମି ଜଳ !

ଗୁଳିର ଗସ୍ତ

ଗଳିରୁ କଂଦି

ମଥୁରାମାର୍କା

ମୋଗଲବଂଦି

ଦାରୁଦୁର୍ଗକୁ ଦାବୀନାମା ଦିଏ

ଦଳିତ ଦୂର୍ବାଦଳ !

ଆଜି ଦକ୍ଷିଣ ପଶ୍ଚିମ ପାରେ

ମୃତାହତ ମୌସୁମି

ଏଠି ଉତ୍ତର ପୂର୍ବ ପାଗଳ

ମଲାଚେରମାନ ଚୁମି !

ଦୁଃଖୀ ଦିଶୁଚି

ଦୂର ଦେଓଧର

ଅଟ୍ରି ଆଖିରେ

ଉଷ୍ଣ କି ଝର

କଂଧମାଳରେ ଅଂଧକାର ମୋ

ଭୂର୍ଜବନର ଭୂମି !

ଆଜି ଓଡ଼ିଶାର ଆକାଶ ଆସ୍ତେ

ଆଂଠେଇପଡ଼େ ଏଠି

ହାୟ ହୀରାକୁଦ ବଂଧ ବାହାରେ

ଖଟେ ବଢ଼ିପାଣି ବେଠି !

ଡୁଡୁ ଖେଳେ ଢେଉ

ଡୁଡୁମାକୁ ଡାକି

ଚିଲ ଚାଲିଯାଏ

ଚିଲିକାଟେ ଚାଖି

ଆଜି ଏ ଓଡ଼ିଶା ଇତିହାସ ଅଧା

ଭୁଖା ଭୂଗୋଳଟେ ଭେଟି !

ଅଶ୍ରୁ କି ହୁଏ ଅଂଶୁପା ଏଠି ?

ଆଶା କି ଅଂଶୁଘାତ ?

ଦିନମାନ ଦୁହିଁ ଦୁଃଖିନୀ ତୁହି

ମାଣିକର ଓଡ଼ିଶା ତ !

ଘିଅଦୀପରେ ତୁ

ନିଆଁକନିଆଁ କି

ଛନଛନ ଛଇ

କନକନିଆ କି

ଅଡ଼ୁଆତଡ଼ୁଆ ଅତୀତ ଆଗରେ

ଅକଶ ଅକାତକାତ !

ସାତସାଧବର ସାନଭଉଣୀ ତୁ

ସୁନାସୁମନର କଢ଼

ଓଡ଼ିଶୀ ନାଚିବୁ ? ପୁଛିଲେ କିଆଁ ଲୋ

ଲାଜରେ ତୁ ଜଡ଼ସଡ଼ ?

ତତେ ମୁଁ ଡାକିବି :

ତଅପୋଈ, ଆ'

ଆଜିଠାରୁ ହେଉ

ଓଡ଼ିଶା ତୋ ନାଁ'

ବଢ଼ୁ ବଂଗୋପସାଗରବେଳାରେ

ବେପରୁଆ ବାଲିଝଡ଼ !

 

 

ଭଂଗାଚଉରା ଚଉତରାଗୁଡ଼ା

ଓଳାଏ ଚଂଦ୍ରକାଣୀ

ଧାନକିଆରିର ସାନବୁରୁଜରେ

ରହିଚ କି ରଇତାଣୀ ?

ମନ ମାହାଳିଆ

ଦିହଟା ଦିକଡ଼ା

କେବେ ଭାଂଗିବା

କଡ଼ିବେଡ଼ି କଡ଼ା ?

କେବେ ଆଦିବାସୀ ପଡ଼ିଆରେ ଫାଶୀ

ପାଇବ ଏ ରାଜଧାନୀ ?

୧୦

ଯେଉଁଠି ସରିଚି ସୀମାର ସକାଳ

ସେଇଠି ରକ୍ତରେଖା

ସଂଗିନ୍‌ମୂନ ରଂଗିନ୍‌ କରେ

ଓଡ଼ିଶାଟା ଏଠି ଏକା !

କାଂଚିଜେମା ଗୋ

ଛାଡ଼ ଏ ଛାଉଣୀ

ତମକୁ ଯଦି ମୁଁ

ପୁରୀରେ ପାଉନି

କାଲି ମହେଂଦ୍ର ତନୟାର ତୀରେ

କ୍ଷତି କଣ୍‌ ହେଲେ ଦେଖା ?

 

ଜିପ୍‌ସୀର ଜିଜୀବିଷା

 

ଦେଶ ନାହିଁ, ମାନଚିତ୍ର ନାହିଁ - ଅନିର୍ଦିଷ୍ଟ ଭୂକଳ୍ପର ଅନବରତ ମରୁଯାତ୍ରାରେ ସେ ଯାବଜ୍ଜୀବନ ଯାଯାବର...

 

ଜିପ୍‌ସୀ !

 

ଏ ଦେଶରୁ ସେ ଦେଶ - ସବୁ ଦେଶ ହିଁ ତା' ବିଦେଶ ।

 

ସାରା ପୃଥିବୀର ଦେଢ଼କୋଟି ଜିପ୍‌ସୀ ଏବେ ବି ନିଜ ନିଜ ନିୟତିର ନିର୍ଜନତା ସହ ସାମ୍ନାସାମ୍ନି ସାମରିକତାରେ ସଂପୂର୍ଣ ସାମିଲ୍‌ । ସର୍ବାଧିକ ସଂଖ୍ୟକ ଜିପ୍‌ସୀ ଆମର ଏ ଭାରତବର୍ଷରେ ହିଁ ଭ୍ରାମ୍ୟମାଣ - ଅନ୍ୟୂନ ପଚିଶ ଲକ୍ଷ । ରୋମାନିଆ ଓ ତୁର୍କୀ - ଏ ଦୁଇଦେଶରେ ପଂଦର ଲକ୍ଷ । ଯୁକ୍ତରାଷ୍ଟ୍ର ଆମେରିକାରେ ଦଶଲକ୍ଷ ଦୃଷ୍ଟିଗୋଚର ହେଉଥିବାବେଳେ ସାଢ଼େ ସାତଲକ୍ଷ ସ୍ରୋତାୟିତ ମିଶରରୁ ବ୍ରାଜିଲ୍‌ ପର୍ଯଂତ । ପୁଣି ପାଲେଷ୍ଟାଇନ୍‌, ଇରାନ୍‌, ଇରାକ୍‌ରୁ କାଜାକ୍‌ସ୍ତାନ୍‌ - ବିଭିନ୍ନ ଭୂଖଂଡରେ ବଜାୟ ରହିଛି ଜିପ୍‌ସୀର ଛିନ୍ନମୂଳ ଜୀବନପ୍ରବାହ । ବହୁବିଧ ଆଂଚଳିକ ପ୍ରକାରଭେଦରେ ଜିପ୍‌ସୀସମୂହର ନାନା ନାମାଂତର - ଯେମିତି କାଲ୍‌ଦେରାଶ୍‌, ସିନ୍‌ତି, ଗୀତାନୋ, ରୋମନିଚଲ ଓ ରୋମନି । ମଧ୍ୟପ୍ରାଚ୍ୟର ବହୁଳାଂଶରେ ଦୋମାରି ନାମରେ ଦୋରସ୍ତ ଏମାନେ । ଆରବୀୟ ଭାଷାରେ ଏମାନଂକୁ ନୱାର୍‌ ଓ ଘାର୍ଜାର କୁହାଯାଉଥିବା ବେଳେ, ଭାରତରେ ଆମେ କହୁ ବନ୍‌ଜାରା, ୱନ୍‌ଜାରା, ଲଂବାଡି, ଲଂବାନି । ଆଉକେଉଁଠି ବି ଆହୁରି ଅନେକ ନାମ ।

 

ଜିପ୍‌ସୀର ଆଦି ଆବାସଭୂମି ଭାରତବର୍ଷ ।

 

ମାତ୍ର ପୂର୍ବସହସ୍ରାବ୍ଦ ପର୍ଯଂତ ହୁଏତ ଏହା ଥିଲା ଏକ ଭୌଗୋଳିକ ସତ୍ୟ । ଅନ୍ୟୂନ ହଜାରବର୍ଷ ଆଗରୁ ଆରଂଭ ହେଲା ଜିପ୍‌ସୀର ଜିଦ୍‌ଖୋର୍‌ ଯାତ୍ରା - ଭାରତରୁ ବିଭିନ୍ନ ପ୍ରାଚ୍ୟେତର ପ୍ରାଂତ ଅଭିମୁଖ । ଦକ୍ଷିଣ ଏସିଆରୁ ଇରାନ୍‌ ଅତିକ୍ରମଣ ପରେ ଭୂମଧ୍ୟସାଗର ଅବବାହିକାରେ ଉପନୀତ ହେଲା ମରୁମାନବର ଏହି ମଧ୍ୟପ୍ରାଚ୍ୟୋତ୍ତର ମହାସ୍ରୋତ - ପାଦ ଦେଲା ବଲ୍‌କାନ୍‌ ଉପଦ୍ୱୀପାଂଚଳରେ । ଶୁଣାଯାଏ ଯେ, କୁଆଡ଼େ ଆକ୍ରମଣକାରୀ ମୁସ୍‌ଲିମ୍‌ ବାହିନୀ ବିରୋଧରେ ଲଢ଼ିବାକୁ ଯାଇ ନିଜ ଆଦି ଆବାସଭୂମିକୁ ଆଉ ଲେଉଟିଆସିନି ଜିପ୍‌ସୀ । ତା’ ଅପ୍ରତ୍ୟାବର୍ତିତ ପଥଯାତ୍ରା ଏହାପରେ ଦୂରଦୂରାଂତର ପାର ହୋଇ ଦର୍ଶନ କରିଚି ଦେଶଦେଶାଂତର । ଆଉଏକ ମତ ଅନୁଯାୟୀ, ଏ ଜିପ୍‌ସୀ ହେଉଛି ଏକ ନିମ୍ନଜାତ ହିଂଦୁ ସାଂଗୀତିକ ଗୋଷ୍ଠୀ - ଯାହାକୁ ବହିର୍ଦେଶୀ ବିଭିନ୍ନ ରାଜଦରବାର ବହୁବାର ଆମଂତ୍ରଣ କରିନେଉଥିଲେ ଆକର୍ଷଣୀୟ ପାରିତୋଷିକରେ । ଇଆନ୍‌ ହ୍ୟାନ୍‌କକ୍‌ (Ian Hancock) କିଂତୁ, ଚାରିଶହ ବର୍ଷ ତଳୁ ଏ ଜିପ୍‌ସୀଚାଲାଣର ଧାରା ପ୍ରାଚ୍ୟଭାରତରୁ ପାଶ୍ଚାତ୍ୟ ପୃଥିବୀଆଡ଼େ ମୁହାଁଇବା କଥା କହିଛଂତି - ଏକ ଭିନ୍ନ କାରଣରୁ । ଯାଯାବର ଜାତିର ଜନ୍ମଜାତ ମୌଳିକତା ନ ହରାଇ ସୁଦ୍ଧା ଯେଉଁ ଅଳ୍ପକେତୋଟି ଜିପ୍‌ସୀ ଗୋଷ୍ଠୀର ଭାଷା ପାଶ୍ଚାତ୍ୟରେ ପ୍ରବାହିତ ଭାରତୀୟ ଆର୍ଯଭାଷାରେ ନିଜର ନିଃଶ୍ୱାସପ୍ରଶ୍ୱାସ ପାଇଁ କିଛିଟା ଆଶାନୁରୂପ ଆନୁକୂଲ୍ୟ ଉପଲବ୍‌ଧି କରିପାରିଲା, ସେଠି ଏକ ସାଂସ୍କୃତିକ ଶରଣାର୍ଥୀ ରୂପେ କ୍ରମେ ସ୍ୱତଂତ୍ର ସ୍ୱନକ୍ଷତ୍ର ହାସଲ କଲା ଜିପ୍‌ସୀ ।

 

ପୂର୍ବରୁ ପଶ୍ଚିମ - ଏସିଆରୁ ଇଉରୋପ୍‌ - ଦେଶହରା, ଦିଗହଜା ମାମୁଲି ମଣିଷ ଦଳର ଇଏ ଏକ ଆତ୍ମପ୍ରତାରିତ ଅଦୃଷ୍ଟର ଅଭିସାର... ବିସ୍ତାରିତ ବିଶ୍ୱଭୂଚିତ୍ରର ଭିନ୍ନ ଭିନ୍ନ ଭୂଭାଗରେ ନିଜର ଏକ ଉପଦ୍ରୁତ ଉପସ୍ଥିତିର ନିଖୁଣ ଚିହ୍ନ କାଟିସାରିଚି ଏଇ ନୁଖୁରା ମଣିଷର ନୂଆ ପଟୁଆର।

 

🟋🟋

 

ଏକ ବିସ୍ମୟକର ବିଚିତ୍ରା - ଜିପ୍‌ସୀର ଏ ଜୀବନଯାତ୍ରା । ସେ ବଣଭାଲୁକୁ ମଣ କରି ନଚାଇପାରେ ଯେମିତି ବେଦମ୍‌, ନିଜେ ନାଚିନାଚି ସ୍ୱରଲହର ବି ସୃଷ୍ଟି କରିପାରେ ସେମିତି ହରଦମ୍‌ । ତଂବାକୁ ତରଳାଇ କାରିଗରିର କରାମତି ଦେଖାଇପାରେ ଯେମିତି, ତାବିଜ୍‌-ଡେଉଁରିଆ ବାଂଟି ପଡ଼ାଗାଆଁର ମଫସଲି ମନଟାକୁ ବି ମରାମତି କରିଦେଇପାରେ ସେମିତି । ସେ କୁହୁକ କରିଜାଣେ, କିମିଆ ବି । ଗୁଣିଗାରେଡ଼ି, ତଂତ୍ରମଂତ୍ର, ଜଡ଼ିବୁଟିର ବିଚିତ୍ର ବିଶ୍ୱାସକୁ ନେଇ ବଂଚୁଥାଏ ଏଇ ବାରବୁଲା ଜିପ୍‌ସୀ । କାହିଁ କେଉଁକାଳୁ ବଳବତ୍ତର ଏ ଧାରା ଓ ଧାରଣା । ପଥ ହିଁ ପୃଥିବୀ ତାର - ଯେଉଁଠି ତଂବୁକନାର ଘରେ ତା' ସରଳ ସଂଚରଣଶୀଳ ସଂସାର । ମାନଚିତ୍ରହୀନ ଏଇ ନିର୍ଜନ ଯାଯାବର ମାନେନା ରାଷ୍ଟ୍ରର ରୈଖିକତା କି ନାଗରିକତା । ଶୂନ୍ୟପଂଜୁରିକୁ ଶୁଣାଏ ଶୁଆସାରୀ କଥା, ପାହାଡ଼ିସାପକୁ ପଦ୍ମତୋଳା, ପଥରକୁ ପଦାବଳୀ, ମରୁଭୂମିକୁ ମୂର୍ଛନା, ନାମହୀନା ନଦୀକୁ ନାନାବାୟା, ଦୁର୍ଗମ ପଥକୁ ସୁଗମ ସଂଗୀତ । ଆଗତ ଭବିଷ୍ୟତର କଥା କହି ଅନ୍ୟକୁ ଅବାକ୍‌ କରିଦେଉଥିବା ଏ ଜିପ୍‌ସୀ ନିଜ ନିରୁଦ୍ଦେଶ୍ୟ ଭାଗ୍ୟକୁ ନେଇ ନୀରବ କିଂତୁ । ଏବେ ବି ସେ ପାରିହୁଏ ପାହାଡ଼ ପରେ ପାହାଡ଼, ମାଳମାଳ ମରୁକାଂତାର - ଅନିଶ୍ଚିତ, ଅନିର୍ଦିଷ୍ଟ ।

 

ଜିପ୍‌ସୀର ଯାଯାବର ସଂଗୀତର ସ୍ପଂଦନ ସଂଜୀବିତ କରିଆସିଚି ପୃଥିବୀର ବହୁ ସ୍ଥାବର ସଭ୍ୟତା ଓ ସ୍ଥାନୀୟ ସଂସ୍କୃତିକୁ । ଏପରିକି ଆଧୁନିକ ଆମେରିକାକୁ ବି ଜିପ୍‌ସୀ ଜରିଆରେ ମିଳିଚି ଆଫ୍ରିକୀୟ ଜ୍ୟାଜ୍‌ (Jazz) ସଂଗୀତର ଅପୂର୍ବ ଉପହାର । ଶହଶହ ବର୍ଷର ସମୟସ୍ରୋତରେ ଜିପ୍‌ସୀ ସଂଗୀତ କ୍ରମେ ପାଲଟିଚି ଆଦ୍ର ଅଂତର୍ଦାହ ଓ ଉତ୍ତାଳ କାମନାର ଜର୍ଜରିତ ଜ୍ୱାଳା... ଉଚ୍ଛ୍ୱାସମୟ ଅଂତରାତ୍ମାର ଉଷ୍ମ ଊର୍ମିମାଳା !

 

ୟୁରୋପୀୟ ସାହିତ୍ୟ ଓ ସଂଗୀତକୁ ଜିପ୍‌ସୀର ଅବଦାନ ଅତୁଳନୀୟ । ମାତ୍ର ୟୁରୋପ୍‌ ଜିପ୍‌ସୀକୁ ଦେଇଚି କ'ଣ ? କେବଳ ନିସ୍ତୁକ ନିଯାର୍ତନା, ଅକଥନୀୟ ଅମର୍ଯାଦା । ସଭ୍ୟ ୟୁରୋପ୍‌ର ଆଧୁନିକ ଦୃଷ୍ଟିରେ ଏ ଜିପ୍‌ସୀ ହେଉଛି ଅପହର୍ତା, ଅପରାଧୀ, ଅଶୁଭ ଶକୁନ, ଅଭାଜନ, ସର୍ବୋପରି ଶିଶୁଲୁଟେରା - ସଂକ୍ଷେପରେ, ଏକପ୍ରକାର ସଂଦେହଜନକ ବିତର୍କିତ ସମୁଦାୟ । ଷଷ୍ଠଦଶ ଶତାବ୍ଦୀର ପୂର୍ବୟୁରୋପ୍‌ ଏମାନଂକୁ ପାଶବିକ ଦାସତ୍ୱପ୍ରଥାରେ ପାଶବଦ୍ଧ କରିରଖିଥିବା ବେଳେ ପଶ୍ଚିମ ୟୁରୋପୀୟ ବୈଜାତିକବାଦ (Racism) ବା ବର୍ଣବିଦ୍ୱେଷର ଏମାନେ ଥିଲେ ପହିଲି ଶିକାର ! ପୁଣି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ହିଟ୍‌ଲରୀ ମୃତ୍ୟୁଶିବିରରେ ବଳି ପଡ଼ିବାକୁ ବାଧ୍ୟ ହୋଇଥିଲେ ଅନ୍ୟୂନ ଅଢ଼େଇଲକ୍ଷ ଜିପ୍‌ସୀ ! ଅନ୍ୟ ଏକ ଆନୁମାନିକ ଆକଳନରେ, ଏହି ଅଭୂତପୂର୍ବ ଅମାନୁଷିକ ନରସଂହାରରେ ପ୍ରାୟ ଚାରିଲକ୍ଷ ଜିପ୍‌ସୀ ପ୍ରାଣ ହରାଇଥିବା ସୂଚିତ ।

 

ଜିପ୍‌ସୀର ଇତିହାସ ଯେମିତି ଏକ ପରିତ୍ୟକ୍ତ ପୌରାଣିକତା - ଗଦାଗଦା ସ୍ମୃତିର ଭସ୍ମ ତଳେ ଅଧାଅଧା ସ୍ୱପ୍ନର ସ୍ୱତ୍ୱ...ଅପାଙ୍‌କ୍ତେୟ ଅସ୍ତିତ୍ୱର ଅବଦମିତ ଅହଂ ! ଏଇଠି ମନେପଡ଼ିଯାଂତି ପଲ୍‌ ପୋଲାନସ୍କି (Paul Polansky), ଯିଏ ଜଣେ ଜରାଜୀର୍ଣ ଜିପ୍‌ସୀର ପ୍ରସଂଗକ୍ରମରେ କହିଛଂତି – “In the beginning the Jews were Gypsies and the Gypsies were Jews until God made us change places.”

 

ସ୍ଥିତି ନିର୍ଧାରଣ ପୂର୍ବରୁ, ଆରଂଭରୁ ଇହୁଦୀମାନେ ଜିପ୍‌ସୀ ଆଉ ଜିପ୍‌ସୀମାନେ ଇହୁଦୀ ଥିଲେ ସିନା, କିଂତୁ ଈଶ୍ୱର ଇହୁଦୀମାନଂକୁ ଇସ୍‌ରାଏଲ୍‌ ଦେଇଦେବା ପରେ ଜିପ୍‌ସୀମାଂନକୁ ବାରବୁଲା ହେବାକୁ ଛାଡ଼ିଦେଲେ କେମିତି ? ଆଜି ବି ଜିପ୍‌ସୀ ଅନେକ ଦୂରରେ - ଈଶ୍ୱର ଓ ଧର୍ମ, ଉଭୟଠୁ ।

 

ଇହୁଦୀର ତ ପ୍ରାଚୀନ ଇତିହାସ ଅଛି, ବାଇବେଲ ପରି ପୌରାଣିକ ଧର୍ମଶାସ୍ତ୍ର ଅଛି, ଏଥିସମେତ ଏକ ଆଧୁନିକ ଭୂଚିତ୍ର ବି - ମାତ୍ର କିଛି କରୁଣ କିଂବଦଂତୀର କୁହୁଡ଼ି ଆଉ କାକୁସ୍ତ କାଂଦଣାର କାକରବୁଂଦା ଛଡ଼ା ବିଚରା ଜିପ୍‌ସୀର ଅଛି କ'ଣ ଆଉ ? ଈଶ୍ୱର ଓ ମଣିଷ - ଏ ଦୁହିଂକ ମଝିରେ ଗତକାଲିର ଗୋଟାଏ ଚିତ୍ରଣହୀନ ପ୍ରବଂଚିତ ପ୍ରଜାତି ଏ ଜିପ୍‌ସୀ ... ଜାତି ନାହିଁ, ତତ୍ତ୍ୱ ନାହିଁ-- ଅଛି କିଛି କଂକାଳସାର ସଂସ୍କୃତି, କିଛି କଂଟକିତ ସତ୍ୟ କେବଳ !

 

ଜିପ୍‌ସୀର ଜୀବନ ପରି ତା' ସଂଗୀତ ବି ସକରୁଣ । ଗଭୀର ବିଷାଦ, ଅଂତର୍ଭେଦୀ ଅବସାଦ, ହୃଦୟବିଦାରକ ହାହୁତାଶର ତୀବ୍ର ତାଡ଼ନାରେ ଉଦାସ, ଉଦାତ୍ତ ଜିପ୍‌ସୀ ସଂଗୀତର ଉତ୍ତାଳ ସ୍ୱରସବୁ ଦୀର୍ଘଶ୍ୱାସମୟ । ଦଳଦଳ ଜିପ୍‌ସୀଂକ ଦେଶଦେଶାଂତରବ୍ୟାପୀ ଜୀବନଯାତ୍ରା ବିଭିନ୍ନ ଆଂଚଳିକ, ଲୌକିକ ସଂଗୀତର ସ୍ୱରତାଳଲୟରେ ସଂଯୋଜିତ କରିଚି ପ୍ରଖର ପ୍ରାଣପ୍ରବାହ-। ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର ପାଶ୍ଚାତ୍ୟ ଶାସ୍ତ୍ରୀୟ ସଂଗୀତ ଏହି ଜିପ୍‌ସୀ ସଂଗୀତଦ୍ୱାରା ପ୍ରେରଣାପ୍ରାପ୍ତ । ଜିପ୍‌ସୀର ଈଶ୍ୱରଦତ୍ତ ଅପୂର୍ବ ସାଂଗୀତିକ ପ୍ରତିଭା ନିକଟରେ ସାରା ପୃଥିବୀର ସଂଗୀତଜ୍ଞ ସକୃତଜ୍ଞ । ନାନାଦେଶରେ ସଂଗୀତର ସଂଯୋଗୀକରଣ, ସମୀକରଣ ଓ ନବୀକରଣ ନେପଥ୍ୟରେ ଜିପ୍‌ସୀର ସଂପୃକ୍ତି ଅବିସଂବାଦିତ । ସାରା ସଂଗୀତଦୁନିଆର ଦେବଦୂତ ସେ । ବିଭିନ୍ନ ଆଂଚଳିକତାର ସ୍ୱାତଂତ୍ର୍ୟକୁ ସେ ସ୍ୱକୀୟ ସ୍ୱରରେ ପ୍ରତିସଂଦିତ କରାଇପାରେ ଯେମିତି, ନିଜସ୍ୱ ସ୍ୱରସ୍ପଂଦନକୁ ଅନ୍ୟ ଅନେକତ୍ର ଅନୁରଣିତ କରାଇପାରେ ବି ସେମିତି । ଏ ଦେଶର ବାଜାବାଜଣାକୁ ନେଇ ସିଏ ମାଜଣା କରାଇପାରେ ସେ ଦେଶର ସଂଗୀତସ୍ରୋତରେ । ରୁଷିଆରୁ ଚାଲିଆସିଥିବା ଜିପ୍‌ସୀ ଆଉକେଉଁ ଅଂଚଳର ସଂଗୀତ-ପରଂପରାରେ ପହଂଚାଇଦେଇପାରେ ଗୋଟାଏ ଗିଟାର୍‌, ନହେଲେ ହାର୍ମୋନିୟମ୍‌ ! ବୁଲ୍‌ଗେରିଆର ଲୋକସଂଗୀତ ଓ ଚାରଣଗୀତ - ଉଭୟ କ୍ଷେତ୍ରରେ ଯେଉଁ ସମଧରଣର ବାଦିତ୍ର ବ୍ୟବହୃତ ହେବାର ଲକ୍ଷ୍ୟ କରାଯାଏ, ତା’ ମୂଳରେ ଅଛି ଏହି ଜିପ୍‌ସୀର ସାଂଗୀତିକ ଦୌତ୍ୟକର୍ମ । ଆଂଦାଲୁସିଆରୁ ଆଗତ ଜିପ୍‌ସୀଦଳ ସ୍ପେନ୍‌ଦେଶରେ ଫ୍ଲାମେଂକୋ (Flamenco) ନାମରେ ଯେଉଁ ନବ୍ୟସଂଗୀତକଳା ପ୍ରବର୍ତନ କରିପାରିଛଂତି, ଜିପ୍‌ସୀ ସଂସ୍କୃତିର ପୃଷ୍ଠପୋଷକତାପ୍ରାପ୍ତ ଏହା ଏକ ଲୌକିକ ଗାୟନଶୈଳୀ ।

 

ଆହରଣ ଓ ଅର୍ପଣ ସୂତ୍ରରେ ଜିପ୍‌ସୀ ହେଉଛି ବିଶ୍ୱସଂଗୀତର ସେଇ ବିଶେଷ ସରବରାହକ, ଯିଏ ସ୍ୱରସଂଗମ କ୍ଷେତ୍ରରେ ମାନେନା କୌଣସି ମାନଚିତ୍ର, କୌଣସି ସୀମା ବା ରେଖା । ସଂଗୀତ ଦୁନିଆରେ ଗାରକୁ ନୁହେଁ, ତାରକୁ ହିଁ ସ୍ୱୀକାର କରେ ସେ। ବଂଶୀ, ବୀଣା, ବେହୁଲା, ବେହେଲାଠୁ ଆରଂଭ କରି ସାରଂଗୀ, ତାର୍ସନାଇ, ଡାରା ସମେତ ବହୁ ଗୁଂଜନଶୀଳ ତାରବାଦ୍ୟଯଂତ୍ରର ବିବିଧ ବିଚିତ୍ରାରେ ତା' ବେଦନାପ୍ଳୁତ ସାଂଗୀତିକତାର ସ୍ୱଚ୍ଛଂଦ ସ୍ୱରସାଧନା । ପାଶ୍ଚାତ୍ୟ ଜଗତରେ ପ୍ରସିଦ୍ଧିପ୍ରାପ୍ତ ହଂଗେରୀୟ ରୀତିସଂଗୀତ ବା “style Hongrois” ହେଉଛି ପ୍ରକାରାଂତରେ ଜିପ୍‌ସୀ ନଗର-ସଂଗୀତର ନାମାଂତର ମାତ୍ର। ୟୁରୋପୀୟ ରୋମାଂଟିକ୍‌ ସଂଗୀତର ପରଂପରାଦ୍ୱାରା ଏହା ମଧ୍ୟ ପ୍ରଚୁର ଭାବରେ ପ୍ରଣୋଦିତ । ମାତ୍ର ହଂଗେରୀର ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀର କୃଷକସମାଜ ତଥା ପଲ୍ଲୀସମାଜଦ୍ୱାରା ଏପ୍ରକାର ସହରୀସଂଗୀତ ସେଭଳି ସମାଦୃତ ହୋଇପାରିନଥିବାରୁ ଜିପ୍‌ସୀ ଗାୟକଦଳ ସ୍ଥାନୀୟ ଲୋକସଂଗୀତର ସଂପ୍ରସାରିତ ସଂରକ୍ଷଣ ମାଧ୍ୟମରେ କ୍ରମେ ସୃଷ୍ଟି କରିଛଂତି ଏକ ମୂର୍ଛନାମୟ ନୃତ୍ୟସଂଗୀତକ୍ରମ । ପରେ ଏହା ପରିଗଣିତ ହୁଏ ଜିପ୍‌ସୀ ଗାଉଁଲିଗୀତ ଭାବରେ ଏବଂ ବ୍ୟାଗ୍‌ପାଇପ୍‌ ବାଦ୍ୟଯଂତ୍ରର ବିଶେଷ ବ୍ୟାପକ ବ୍ୟବହାର ଆରଂଭ ହୁଏ ଠିକ୍‌ ଏତିକିବେଳୁ । ଏହି ବ୍ୟାଗ୍‌ପାଇପ୍‌ର ଏପରି ପ୍ରଚୁରସଂଖ୍ୟକ ପ୍ରଚଳନ ହିଁ ସାରା ୟୁରୋପ୍‌ ସାମ୍ନାରେ ପ୍ରଖ୍ୟାତ କରାଇଦିଏ ହଂଗେରୀୟ ନୃତ୍ୟସଂଗୀତକୁ, ଯେଉଁଥିପାଇଁ ପ୍ରଥମେ ପ୍ରଣତ ହେବାକୁ ପଡ଼େ ଜିପ୍‌ସୀର ଜନ୍ମଜାତ ଜିଦ୍‌ ନିକଟରେ ।

 

ଅନେକ ଉପଭାଷାରେ ଆତ୍ମବିଭକ୍ତ ରୋମାନୀ ଭାଷାରେ ଉଚ୍ଚାରିତ ହୋଇଥାଏ ୟୁରୋପୀୟ ଜିପ୍‌ସୀର ଉତ୍ପୀଡ଼ିତ ଆତ୍ମା । ୟୁରୋପ୍‌ରେ ଶରଣ ନେଇଥିବା ଏହି ରୋମାନୀ ଭାଷାଭାଷୀ ଜିପ୍‌ସୀମାନଂକର ନିଜସ୍ୱ ମୂଳପ୍ରବାହକୁ ଚିହ୍ନଟ କରାଯାଇଥାଏ ମଧ୍ୟଯୁଗୀୟ ଭାରତ ସହିତ । ମୁଖ୍ୟତଃ ମଧ୍ୟୟୁରୋପ ଓ ପୂର୍ବୟୁରୋପରେ ରୋମା (Roma) ଉପବର୍ଗ ରୂପରେ ପ୍ରଥମରୁ ଚିହ୍ନିତ ହୋଇଥିଲେ ହେଁ ଏବେ ଆମେରିକାରେ ଏକ ନିଜସ୍ୱ ଭୂକଳ୍ପ (diaspora)ର ଭିତ୍ତିଭୂମି ପାଇଁ ରୀତିମତ ସ୍ୱର ଉଠାଇଲେଣି ଏମାନେ ।

 

ଜିପ୍‌ସୀ ଜୀବନ ରହସ୍ୟଘନ । ଗ୍ରୀକ୍‌ଶବ୍ଦ Aigyptoi”ର ଆଧୁନିକ ରୂପ giftiଇଂରାଜୀ ଭାଷାରେ Gypsyରୂପେ ଉଚ୍ଚାରିତ ହେବା ପରେ, କ୍ରମେ ଏକ ପ୍ରଚାରିତ ପ୍ରତ୍ୟୟ ପ୍ରତିପନ୍ନ ହୁଏ ଯେ ଏହି ରୋମାନୀଭାଷୀ ଜିପ୍‌ସୀମାନେ ଇଜିପ୍‌ଟ (Egypt) ବା ମିଶରର ମୂଳାଧିବାସୀ । ମାତ୍ର ଶିଶୁ ଯୀଶୁଂକ ଅପହରଣ ଅଭିସଂଧିରେ ଏମାନଂକୁ କାଳେ ସେଠୁ ଦିଆଯାଏ ନିର୍ଘାତ ନିର୍ବାସନର ଦାରୁଣ ଦଂଡାଦେଶ । ଭିକ୍‌ଟର ହ୍ୟୁଗୋ ନିଜ The Hunchback of Notre Dame ଉପନ୍ୟାସରେ ମଧ୍ୟଯୁଗୀୟ ଫରାସୀସମାଜଦ୍ୱାରା ଏମାନେ ମିଶରୀୟ (Egyptiens)ରୂପେ ଆଖ୍ୟାତ ଥିବା କଥା ଦର୍ଶାଇଛଂତି ମଧ୍ୟ । ଇଂରାଜୀ Gypsyଶବ୍ଦ କ୍ରମେ ଏଭଳି ବ୍ୟାପକ ଭାବରେ ଲୋକପ୍ରିୟ ହୋଇଉଠେ ଯେ ବହୁ ରୋମାନୀ ସଂଗଠନ ମଧ୍ୟ ଏହି ନାମରେ ହିଁ କ୍ରମେ ଉପସ୍ଥାପିତ କରଂତି ନିଜସ୍ୱ ଆନୁଷ୍ଠାନିକତାକୁ । ଏପରିକି ଏ ଶବ୍ଦ ଏକ ଅର୍ଥାଂତରପ୍ରାପ୍ତ ଅବସ୍ଥାକୁ ଆସି ଏବେ ଉତ୍ତର ଆମେରିକାରେ ଏକପ୍ରକାର ଜୀବନଶୈଳୀ (lifestyle) ବା ପ୍ରଦର୍ଶନାତ୍ମକ ପ୍ରସ୍ତୁତି (Fashion)କୁ ସୂଚାଇସାରିଛି ବି । ରୋମାନୀ ଜାତିତାତ୍ତ୍ୱିକତାର ମୂଳତାତ୍ପର୍ଯଠାରୁ ବହୁ ଦୂରବର୍ତୀ ଏକ ବିଡ଼ଂବନା ବର୍ତମାନ ଏ ଜିପ୍‌ସୀ !

 

ବିବିଧ ବିଚ୍ୟୁତି ସତ୍ତ୍ୱେ, ଭାଷାତାତ୍ତ୍ୱିକ ଓ ଆନୁବଂଶିକ ଅନୁଧ୍ୟାନ କିଂତୁ ଭାରତୀୟ ଉପମହାଦେଶରେ ହିଁ ସାବ୍ୟସ୍ତ କରିଚି ଜିପ୍‌ସୀର ଉତ୍ସଧାରା । ପ୍ରାୟ ଏକାଦଶ ଶତାବ୍ଦୀରୁ ଭାରତବର୍ଷରୁ ଉତ୍ତରପଶ୍ଚିମ ଦିଗକୁ ପ୍ରବାହିତ ହୁଏ ଜିପ୍‌ସୀର ଯାଯାବର ଯାତ୍ରାଂତର । ରୋମାନୀଭାଷୀ ଜିପ୍‌ସୀ ମଧ୍ୟଭାରତ ଅଂତର୍ଗତ ରାଜସ୍ଥାନରୁ ଖ୍ରୀଷ୍ଟପୂର୍ବ ପ୍ରାୟ ୨୫୦ ଅବ୍ଦ ଆଡ଼କୁ ପହଂଚଂତି ପଂଜାବରେ ଏବଂ ଏଇଠି ରାଜପୁତ, ଶିଖ ଓ ଜାଠମାନଂକ ସହିତ ସୁଦୀର୍ଘକାଳୀନ ଅଂତଃସଂସର୍ଗ ସେମାନଂକ ଭ୍ରାମ୍ୟମାଣ ସାଂସ୍କୃତିକତାକୁ ହୁଏତ ଉଜ୍ଜୀବିତ କରାଇଥାଇପାରେ ଏକ ଅକୁତୋଭୟ ଅନୁପ୍ରେରଣାରେ । ଏହାପରେ ବିଭିନ୍ନ ବିଭକ୍ତ ଦଳରେ ସେମାନଂକ ପଶ୍ଚିମାଭିମୁଖୀ ପଥଯାତ୍ରା, ଏକାଧିକ ପର୍ଯାୟକ୍ରମରେ, ନିର୍ଧାରିତ ହୋଇଥିବ ୫୦୦ରୁ ୧୦୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ।

 

ଏକାଦଶ ଶତାବ୍ଦୀର ଐତିହାସିକ ପୃଷ୍ଠଭୂମିରେ ଗଜନିର ସୁଲତାନ ମାମୁଦଂକ ଧାରାବାହିକ ଭାରତ ଆକ୍ରମଣ ଓ ଲୁଂଠନର ଲୋହିତ ଅଂଧକାର ଯେତେବେଳେ ଉପୁଯୁର୍ପରି ଆତଂକରାଜ ଉପୁଜାଏ, ସେତେବେଳେ ପରାସ୍ତମାନଂକର ପଳାୟନ ଓ ପ୍ରାଣାଂତକ ପୀଡ଼ାରୁ ପରିତ୍ରାଣ ପାଇଁ ଭାରତବର୍ଷରୁ ପଶ୍ଚିମ ପ୍ରାଂତକୁ ନିରୁପାୟ ନିଷ୍କ୍ରମଣର ଧାରା ସ୍ୱାଭାବିକ ଭାବରେ ସାମିଲ୍‌ ହୋଇଯାଏ, ଏହି ଯାଯାବର ଜିପ୍‌ସୀମାନଙ୍କର ଯୂଥବଦ୍ଧ ଯାତ୍ରାପ୍ରବାହ ସହ । ପରିଚିତ ପୂର୍ବ ଭୂଚିତ୍ରରୁ ଅପରିଚିତ ଉତ୍ତରପଶ୍ଚିମ ଅଭିମୁଖରେ ଏହା ଏକ ବିଶେଷ ବିୟୋଗାଂତକ ବିଦାୟଯାତ୍ରା ! ଜିପ୍‌ସୀର ଯାତ୍ରାସଂଗୀତ ଏ ବିଦାୟୀ ବ୍ୟଥାର ବିଦୀର୍ଣତାକୁ କ'ଣ ଆକାଶବତାସବ୍ୟାପୀ ଆର୍ତନାଦରେ ଅଭିବ୍ୟକ୍ତ କରିନଥିବ ସେଦିନ ?

 

ଏଯାବତ ଜିପ୍‌ସୀର ଜୀବନ ନିଜ ନିର୍ଯାତିତ ନିୟତିର ନିର୍ଦୟ ନିର୍ଦେଶନାମାରେ ନୟାଂତ । ଅଥଚ ଏବେ କ'ଣ ସେ କ୍ଳାଂତ ନା ପରିଶ୍ରାଂତ ? ପଥ ପ୍ରତି ତା' ଅବଚେତନ କ'ଣ ଆବେଗପ୍ରବଣ ନୁହେଁ ଆଗଭଳି ? ନୁହେଁ କ'ଣ ଅଂଗୀକାରବଦ୍ଧ ?

 

ଅବମାନିତ, ଅବଦମିତ, ଅତ୍ୟାଚାରିତ ଆତ୍ମାର ଏକ ଅନିକେତ ଅସ୍ମିତା ... ଜିପ୍‌ସୀ !

 

🟋🟋🟋

 

ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ (୧୯୩୯-୪୫) ଜର୍ମାନୀରେ ନାଜୀମାନଂକଦ୍ୱାରା ଇହୁଦୀମାନଂକ ଅଚିଂତନୀୟ ଗଣହତ୍ୟାକୁ “holocaustଶବ୍ଦଟି ମାର୍ଫତ୍‌ ଇସାରା କରିଚି ଇତିହାସ । ଏହି “holocaustବା ସମୂହସଂହାର ଜିପ୍‌ସୀ ଜାତିର ଅବବୋଧରେ ମଧ୍ୟ ଏକ ସାଂଘାତିକ ସମକାଳୀନ ସ୍ମୃତି - ଯାହାର ପ୍ରକୃତ ପ୍ରତିଶବ୍ଦରୂପେ ଏମାନଂକ ନିଜସ୍ୱ ରୋମାନୀ ଭାଷାର ଗୋଟିଏ ଉତ୍ପୀଡ଼କ ଉଚ୍ଚାରଣ ହେଉଛି Porajmos- ବଂଶବଧ। ହିଟଲରୀ ବାଷ୍ପପ୍ରକୋଷ୍ଠରେ ଲକ୍ଷଲକ୍ଷ ଜିପ୍‌ସୀ ଠିକ୍‌ ଇହୁଦୀମାନଂକ ପରି ଜଘନ୍ୟ ଗଣମୃତ୍ୟୁ ବରଣ କରିଥିଲେହେଁ ବହୁପୂର୍ବରୁ ୟୁରୋପ ଏମାନଂକୁ ଦେଇଆସିଚି ଜାଂତବ ଜୀବନ୍ମୃତ୍ୟୁର ଜର୍ଜରିତ ଜ୍ୱାଳା-! ଇଂଲାଂଡ୍‌ରେ ଏମାନଂକର ଷୋଡ଼ଶ ଶତାବ୍ଦୀକାଳୀନ ପ୍ରଥମ ପଦାର୍ପଣ ପର୍ଯାୟରେ, ଏମାନଂକୁ ଇଜିପ୍‌ଟରୁ ଆଗତ “ଇଜିପ୍‌ସିଆନ୍‌” (Egyptian) ଅନୁମାନରେ “ଜିପ୍‌ସ୍ୟାନ୍‌” (Gipcyan) ଆଖ୍ୟା ଦେଇଥିଲେ ଇଂରେଜମାନେ। “ଜିପ୍‌ସ୍ୟାନ୍‌”ରୁ ଜିପ୍‌ସୀ - ଏକ ପ୍ରମାଦପୂର୍ଣ ପ୍ରମାଣ, ଯାହାଦ୍ୱାରା ଏହି ଦକ୍ଷିଣଏସୀୟ ଯାଯାବର ପ୍ରଜାତି-ପ୍ରବାହ ତଥା ଭ୍ରଥଖଂଡୀ ଭ୍ରମଣରତ ଜନବର୍ଗ ଅନେକ ବର୍ଷ ଅଂଗେ ନିଭାଇଆସିଚି ନିଜ ଅସଲ ଅସ୍ତିତ୍ୱର ସଂକଟ । ଦ୍ୱିତୀୟ ମହାସମର ପରେ ଏକନିଷ୍ଠ ଇହୁଦୀ ଜାତି ସିନା ହାସଲ କରିପାରିଛି ନିଜର ଏକ ନିର୍ଦିଷ୍ଟ ଆବାସଭୂମି, ମାତ୍ର ଯାଯାବର ଜିପ୍‌ସୀ ଜନବର୍ଗ ପାଇଁ ସାରା ପୃଥିବୀ ଯେମିତି ପାଲଟିଯାଇଚି ଏକ ପ୍ରଦୂଷିତ ପ୍ରବାସଭୂମି !

 

ଜିପ୍‌ସୀ ...

 

ତା' ଈପ୍‌ସିତ ଇଲାକା ଉଦ୍ଦେଶ୍ୟରେ ଆଜି ବି ଇତସ୍ତତଃ ଇତରଟିଏ, ଉଦ୍ଧୃତ ଓ ଉପଦ୍ରୁତ ଉପବର୍ଗଟିଏ ! “ଯେ ଦେଶ ଯାଇ, ସେ ଫଳ ଖାଇ” ନୀତିକୁ ନିଷ୍ଠା କରି ଯେଉଁ ଦେଶକୁ ସେ ଯାଇଚି, ସେ ଦେଶର ଭାଷା, ସଂଗୀତ, ସ୍ୱର, ଶବ୍ଦ, ଧ୍ୱନି, ଧର୍ମ ଓ ଈଶ୍ୱର - ସବୁକୁ ଶେଷପର୍ଯଂତ ସହି ସୁଦ୍ଧା ସାମିଲ୍‌ ହୋଇପାରିନି କୌଣସି ରେଖାଂକିତ ରାଷ୍ଟ୍ରମଂଡଳର ଜାତୀୟସ୍ରୋତରେ । ଅଧିବାସୀମାନଂକ ଅଧିକୃତ ଆୟତନରେ ସେ ସେଇ ଅସ୍ୱୀକୃତ ଅପବର୍ଗ ! ତା’ଛଡ଼ା ରୂପ, ରଂଗ, ରୁଚି, ରୀତି - ସବୁ ଦୃଷ୍ଟିରୁ ଅନ୍ୟ ଜାତି ଓ ଜନଜାତିଠାରୁ ବେଶ୍‌ ଭିନ୍ନ ଭାବରେ ବାରି ହୋଇପଡୁଥିଲେ ବି ସାରା ପୃଥିବୀର ଜିପ୍‌ସୀ ଉପବର୍ଗ ନିଜସ୍ୱ ଏକ ନିର୍ଦିଷ୍ଟ ଆତ୍ମପରିଚିତି-ପ୍ରଖ୍ୟାପକ ସଂଗତିସଂପନ୍ନ ସଂହତି ସାଧନରେ ସୁଦ୍ଧା ଏଯାଏଁ ଅସମର୍ଥ । ଅଧିକାଂଶ ୟୁରୋପୀୟ ରାଷ୍ଟ୍ରରେ ଜିପ୍‌ସୀମାନଂକ ସାମାଜିକ ଓ ଆର୍ଥିକ ସ୍ଥିତି ଏକପ୍ରକାର ଅମେରୁଦଂଡୀୟ ଅନବସ୍ଥିତି । ସବୁ ସମାଜର ତେରଗୋଲାରେ ସେମାନେ ବାରବୁଲା ଜାତି - ବାରଦ୍ୱାରୀ ବାଛଂଦ ବିଚାରା । ସହରତଳିର ବସ୍ତିକଡ଼ ଝୁପୁଡ଼ି ବଖରାରେ ହେଉ କି ପଡ଼ାଗାଆଁର ପଡ଼ିଆ ପଦରର ତଂବୁଟଣା କନାକାଂଥଘେରରେ ହେଉ - ଏ ବାରବୁଲାକୁ ବରାବର ବାଟ ବାରଣ । ମୂଳ ସମାଜର ସୀମାୟତନ ଆଖେପାଖେ ଏମାନେ ବହୁଦୂରର ବାହ୍ୟବାହିନୀ । କୌଣସି ସମାଜ ତା’ଧର୍ମରେ, ମର୍ମରେ କି ପ୍ରେମରେ ପ୍ରବେଶାଧିକାର ଦିଏନା ଏ ପ୍ରବଂଚିତ ପ୍ରବାସୀ ପଥାଶ୍ରିତକୁ । ଏପରିକି ସାଧାରଣ ଶ୍ରମ କ୍ଷେତ୍ରରେ ସୁଦ୍ଧା ଜିପ୍‌ସୀର କୁଶଳୀ କର୍ମପ୍ରବଣତା ପ୍ରତି ସାମାଜିକ ସୁଦୃଷ୍ଟିଟିଏ ଏଯାବତ ସୃଷ୍ଟି ହୋଇପାରିନି ୟୁରୋପରେ । କୌଣସି ସରକାର ତରଫରୁ ଜିପ୍‌ସୀ ସକାଶେ ସମୁଚିତ ଶିକ୍ଷା କି ସ୍ୱାସ୍ଥ୍ୟଯୋଜନାର କ୍ଷୀଣ ସ୍ୱାଗତିକାଟିଏ ସୁଦ୍ଧା ଶୁଣାଯାଏନି କେଉଁଠି । କେବଳ ରୋମାନିଆରେ ଜିପ୍‌ସୀ ଉପବର୍ଗର “କାଲ୍‌ଦେରାଶ୍‌” (Kalderash) ଶାଖାଟିଏ ଆର୍ଥନୀତିକ ଓ ସାମାଜିକ ଦିଗରେ କୌଳିକ ତାମ୍ରକାର ବୃତ୍ତି ତଥା ଥଟାରି ଧଂଦା ଅବଲଂବନ କରିପାରିଥିବା ଯୋଗୁ ହିଁ କିଛିଟା ବୈଷୟିକ ଉନ୍ନତିର ଅଧିକାରୀ ହୋଇପାରିଚି କୌଣସିମତେ ।

 

ୟୁରୋପ ଓ ଏସିଆ ମାଇନର୍‌ରେ ଏବେ ଜିପ୍‌ସୀ ଉପବର୍ଗର ଜନସଂଖ୍ୟା ପ୍ରାୟ ପଚାଶ ଲକ୍ଷ ବୋଲି ଏକ ପରିସଂଖ୍ୟାନରୁ ପ୍ରକଟ ହୋଇଥିଲେହେଁ ଏହାକୁ ୧୪୦ ଲକ୍ଷ ପର୍ଯଂତ ବଢ଼ାଇଦିଅଂତି କେତେକ ରୋମାନୀ ସଂଗଠନ । ମୁଖ୍ୟତଃ ରୋମାନୀ ଭାଷାଭାଷୀ ଜିପ୍‌ସୀ ଜନସଂଖ୍ୟା ବଲ୍‌କାନ ଉପଦ୍ୱୀପଠୁ ଆରଂଭକରି କେତେକ ମଧ୍ୟୟୁରୋପୀୟ ରାଷ୍ଟ୍ର, ସ୍ପେନ୍‌, ଫ୍ରାନ୍‌ସ, ରୁଷିଆ ଓ ଇଉକ୍ରେନ୍‌ ପର୍ଯଂତ ପର୍ଯାପ୍ତଭାବରେ ପରିଦୃଷ୍ଟ । ୟୁରୋପ ଛଡ଼ା ମଧ୍ୟପ୍ରାଚ୍ୟ ଆଫ୍ରିକା, ଆମେରିକା ଓ ଅଷ୍ଟ୍ରେଲିଆରେ ବି ରୋମାନୀ ଜିପ୍‌ସୀ ବେଶ୍‌ ବହୁଳାଂଶରେ ବିସ୍ତାରିତ ।

 

ଆଂଚଳିକ, ସାଂସ୍କୃତିକ ଔପଭାଷିକ ତାରତମ୍ୟକୁ ନେଇ ରୋମାନୀ ଜିପ୍‌ସୀ ଉପବର୍ଗ ସ୍ୱାଭାବିକ ଭାବରେ ହିଁ ନିର୍ଧାରଣ କରିସାରିଛଂତି ନିଜସ୍ୱ ଏକ ଆପାତ-ସରଳ ଆତ୍ମବିଭାଜନ। ଅଂତତଃ ଏହି ଦୃଷ୍ଟିରୁ ଅଷ୍ଟ ପ୍ରମୁଖ ପ୍ରଶାଖା ପ୍ରଣିଧାନଯୋଗ୍ୟ :

 

- ରୋମା (Roma): ପୂର୍ବୟୁରୋପ ଓ ମଧ୍ୟଇତାଲୀରେ ଜିପ୍‌ସୀ ଜନପ୍ରବାହର ଏହି ପ୍ରସିଦ୍ଧ ପ୍ରଶାଖା ବିଶେଷ ଭାବରେ ଲକ୍ଷଣୀୟ । ପ୍ରାୟ ଊନବିଂଶ ଶତାବ୍ଦୀରୁ ଏଠୁ ଏମାନେ ପ୍ରସାରିତ ହୋଇଛଂତି ଅବଶିଷ୍ଟ ୟୁରୋପ ଏବଂ ଅନ୍ୟାନ୍ୟ ମହାଦେଶକୁ ।

 

- ଆଇବରିଆନ୍‌ କାଲେ (Iberian Kale): ମୁଖ୍ୟତଃ ସ୍ପେନ୍‌ଦେଶରେ ଭେଟିହୁଏ ଏମାନଂକୁ। ଭେଟିହୁଏ ପୁଣି ପତୁର୍ଗାଲ, ଦକ୍ଷିଣ ଫ୍ରାନ୍‌ସ୍‌ ଓ ଲାଟିନ୍‌ ଆମେରିକାରେ ।

 

- ଫିନ୍ନିଶ୍‌ କାଲେ (Finnish Kale) : ଫିନ୍‌ଲ୍ୟାଂଡ୍‌ରୁ ସ୍ୱିଡେନ୍‌ ପର୍ଯଂତ ଏ ପ୍ରଶାଖା ପ୍ରସାରିତ ।

 

- ୱେଲ୍‌ସ୍‌ କାଲେ (Welsh Kale) : ୱେଲ୍‌ସ୍‌ର ଅଂତେବାସୀ ।

 

- ରୋମାନିଚଲ (Romanichal: ଇଂଲାଂଡରେ ପରିଦୃଷ୍ଟ ଏହି ଜିପ୍‌ସୀ ପ୍ରଶାଖା କ୍ରମେ ଯାତ୍ରା କରିଛଂତି ଆମେରିକା ଓ ଅଷ୍ଟ୍ରେଲିଆ ଆଡ଼େ ।

 

- ସିନ୍‌ତି (Sinti: ମଧ୍ୟୟୁରୋପର ଜର୍ମାନ୍‌ଭାଷୀ ରାଷ୍ଟ୍ରାୟତନ ଓ କେତେକ ପ୍ରତିବେଶୀ ଦେଶରେ ପରିଲକ୍ଷିତ ।

 

- ମାନୁଷ (Manush) : ମଧ୍ୟୟୁରୋପର ଫରାସୀଭାଷୀ ଭୂଖଂଡଗୁଡ଼ିକରେ ଭ୍ରାମ୍ୟମାଣ ।

 

- ରୋମାନିସେଲ୍‌ (Romanisael: ସ୍ୱିଡେନ୍‌ ଓ ନରେୱରେ ଏମାନଂକ ଆବାସ ।

 

ଏଥିସମେତ ରୋମାନୀ ଜିପ୍‌ସୀ ଉପବର୍ଗ ପୁଣି ଅନ୍ୟ ଅନେକ ଆଂଚଳିକ ଗୋଷ୍ଠୀର ଅଂଶୀଦାରିତାରେ ଅଂତର୍ଗଠିତ । ହଂଗେରୀରେ ବସାଲ୍‌ଦି (Bashalde), ଚୁରାରୀ (Churari), ଲୁରି (Luri), ଅନ୍‌ଗାରିଜା (Ungaritza) ଲୋଭାରୀ, ଲୋଭାରା ((Lovari : Lovara) ଗୋଷ୍ଠୀଗୁଡ଼ିକ ନଜରକୁ ଆସୁଥିବାବେଳେ ସର୍ବିଆରେ ମୁହଁ ଦେଖାଇଥାଂତି ମଚାଭାୟା (Machavaya) ଗୋଷ୍ଠୀ । ହଂଗେରୀ ଓ ପ୍ରତିବେଶୀ କାର୍‌ପାଥିଆନ୍‌ ଦେଶଗୁଡ଼ିକରେ ପୁଣି ଦୃଷ୍ଟିପଥାରୂଢ଼ ହୋଇଥାଏ ରୋମୁନ୍‌ଗ୍ରୋ (Romungro) ଗୋଷ୍ଠୀ, ଯାହାକୁ ମଧ୍ୟ କୁହାଯାଏ ମୋଦିୟାର (Modyar or Modgar) ବା ମୋଦ୍‌ଗାର। ଗ୍ରୀସ୍‌ ଓ ତୁରସ୍କରେ ଆଶ୍ରିତ ଆବାସିକ ଗୋଷ୍ଠୀ ହେଉଛଂତି ଏର୍ଲିଦ୍‌ (Erlides) ତଥା ୟେର୍ଲୀ (Yerlii) ବା ଆର୍ଲି (Arli) ଏବଂ ଜୋରାକ୍‌ସାଇ (Xoraxai) ବା ହୋରାହେନ୍‌ (Horahane) । ରୋମାନୀୟ ଓ ମୋଲଡୋଭାନ୍‌ ମାଇନରରେ ବୟାଶ୍‌ (Boyash) ଗୋଷ୍ଠୀର ଲିଂଗୁରାରୀ (Linguarari), ଲୁଦାର (Ludar), ଲୁଦାରୀ (Ludari), ରୁଦାରୀ (Rudari) ବା ଜେଡ଼୍‌ଲାତାରୀ (Zlatari) ଶାଖାଗୁଡ଼ିକ ସଚରାଚର ସଂଚରଣଶୀଳ । ଏହି ଭୂଭାଗର ଅର୍‌ସାରୀ (Ursari) ଉପଗୋଷ୍ଠୀ ଭାଲୁକୁ ତାଲିମ୍‌ ଦେବାରେ ଓସ୍ତାଦ୍‌ । ଅର୍ଜିନ୍‌ତାରୀ (Argintari) ଓ ଔରାରୀ (Aurari) - ଏ ଜିପ୍‌ସୀ ଗୋଷ୍ଠୀଦୁଇଟି ଯଥାକ୍ରମେ ରୌପ୍ୟକାର ଓ ସ୍ୱର୍ଣକାର ଭାବରେ ସ୍ୱନାମଧନ୍ୟ । ଫ୍ଲୋରାରୀ (Florari) ପୋଖତ ଫୁଲଚାଷୀ ହୋଇପାରିଥିବା ବେଳେ ଲାଉତାରୀ (Lautari) ଯାଯାବର ଜିପ୍‌ସୀସଂସ୍କୃତିର ବିଶିଷ୍ଟ ଗାୟକ ଗୋଷ୍ଠୀ ।

 

ଜିପ୍‌ସୀର ମୁଖ୍ୟ ମୌଖିକଭାଷା ରୋମାନୀ । ଏବେ ମାନ୍ୟତାପ୍ରାପ୍ତି ପାଇଁ ଏହା ନିଜର ପ୍ରମୁଖ ସାତ ଉପଭାଷାର ସମୁଦ୍ରରେ ସଂତରଣରତ । ଏକ ସର୍ବଗ୍ରାହ୍ୟ ଲିଖନ-ଐତିହ୍ୟର ଅନୁପସ୍ଥିତି ଏବଂ ଖୋଦ୍‌ ଜିପ୍‌ସୀ ଉପବର୍ଗର ବିବିଧ ବିକ୍ଷିପ୍ତ ବ୍ୟବସ୍ଥିତି ଯୋଗୁ ଏ ଭାଷା ନିଜର ଅନେକ ଉପଭାଷାର ଉତ୍କଟ ଉଚ୍ଛୃଂଖଳତାରେ ଭାରାକ୍ରାଂତ। ବହୁ ଶବ୍ଦ ବିସ୍ମୃତିରେ ବିଲୟମୁଖୀ । ନବପ୍ରଜନ୍ମର ଜିପ୍‌ସୀ ମଧ୍ୟ ଭୁଲିବାକୁ ବସିଲାଣି ଏ କଥିତ ଭାଷାର କତିପୟ ବୈଶିଷ୍ଟ୍ୟ ।

 

ଭାରତୀୟ ଆର୍ଯଭାଷାର ଏକ ରୂପାଂତରିତ ଉପଧାରା ଏ ରୋମାନୀ କଥ୍ୟଭାଷା ଏବେ ଏକ ଅଣୁଭାଷା ମାତ୍ର । ବହୁ ବିଦେଶୀ ଶବ୍ଦ ଓ ପରିଭାଷା ଦ୍ୱାରା ସଂକ୍ରମିତ ହୋଇ ଏ ଭାଷା ଅତୀତର ଭାରତୀୟ-ଆର୍ଯ ଚରିତ୍ରଠୁ ଅନେକ ଦୂରରେ ଏବେ । ନିଜ ଅସ୍ତିତ୍ୱର ଅନୁସଂଧାନ ଆଜି ତା' ପାଇଁ ଅସଲ ଆହ୍ୱାନ । ପୂର୍ବଜନ୍ମ ଓ ପଶ୍ଚିମଜୀବନ - ଉଭୟ ଉତ୍ସାହଜନକ ଉତ୍ସର ଉପସ୍ଥିତି ସତ୍ତ୍ୱେ ରୋମାନୀ ଜିପ୍‌ସୀ ଭାଷାର ଜୀବନ୍ୟାସ ପର୍ବ ଆଶାନୁରୂପ ଆନୁକୂଲ୍ୟ ଅର୍ଜିପାରିନାହିଁ ଏଯାବତ । ସମାପ୍ତିହୀନ ସଂଶୟ ସହିତ ପ୍ରତ୍ୟୁତ୍ତରହୀନ ପ୍ରଶ୍ନ ପ୍ରଚୁର । ଏକ ଭାରତୀୟ-ଆର୍ଯଭାଷାର ଅଂତଃସ୍ରୋତ ହିସାବରେ ମଧ୍ୟଭାରତବର୍ତୀ ପଶ୍ଚିମା ହିଂଦୀ, ଭୀଲୀ, ଗୁଜରାଟୀ, ଖଂଦେଶୀ ଓ ରାଜସ୍ଥାନୀ ସହିତ ଏହାକୁ ସୂତ୍ରସ୍ଥ କରାଯାଇଥିଲେହେଁ ଏହାର “ସିନ୍‌ତି” (Sinti) ନାମବାଚକ ଶବ୍ଦଟିକୁ ନେଇ ନାରା ଉଠାଉଚି ନୂଆ ବିତର୍କଟେ । ଏ “ସିନ୍‌ତି” କ'ଣ ପଥନିର୍ଦେଶ କରୁଚି ପାକିସ୍ତାନର ଦକ୍ଷିଣପୂର୍ବସ୍ଥ “ସିଂଧ୍‌” ଅଂଚଳ ସମେତ ସିଂଧୁନଦୀର ଅବତଳବର୍ତୀ ସୁଦୂର ପଶ୍ଚିମଭାରତର ରାଜସ୍ଥାନ ଓ ଗୁଜରାଟଆଡ଼େ ନା ଏହା ପ୍ରକୃତରେ ରୋମାନୀ ଭାଷାକୁ ଶବ୍ଦାୟିତ କରୁଚି ଏକ ୟୁରୋପୀୟ ସୂତ୍ରଆଡ଼େ ? ବର୍ଣବୋଧ ଓ ବ୍ୟାକରଣ ଦୃଷ୍ଟିରୁ ରୋମାନୀ, ପଂଜାବୀ ଓ ପୋଥୱାରି ସମପର୍ଯାୟୀ ମନେହେଲାବେଳକୁ, ରୋମାନୀ ସହିତ ପୁଣି ଶ୍ରୀଲଂକାରେ କଥିତ ସିଂହଳୀ ଭାଷାର ସୁଦ୍ଧା ସଂପର୍କ ରହିଥିବା ତଥ୍ୟଟିକୁ ସାବ୍ୟସ୍ତ କରିଚି ନିକଟ ଅତୀତର ଏକ ଗବେଷଣା ।

 

ଜିପ୍‌ସୀର ମାତୃଭାଷା ଭାବରେ ପରିଚିତ ରୋମାନୀଭାଷାର ପ୍ରାଥମିକ ପର୍ଯାୟ ସଂପର୍କରେ ଆଦୌ ସୁଲଭ ନୁହେଁ ସେପରି କୌଣସି ନିଶ୍ଚିତ ଐତିହାସିକ ନଥିପତ୍ର। ଏକାଦଶ ଶତାବ୍ଦୀର ପ୍ରଖ୍ୟାତ ପାରସିକ କବି ଫିର୍‌ଦୌସିଂକ “ଶାହାନାମା” (Shahnameh) ମହାକାବ୍ୟରେ ଏ ଭାଷା ବାବଦରେ କୌଣସି ପ୍ରତ୍ୟକ୍ଷ ଉଲ୍ଲେଖ ନ ଥିଲେହେଁ ପାରସ୍ୟସମ୍ରାଟ ବହରାମ ଗରଂକୁ (Bahram Gur) କାନ୍ୟକୁବ୍‌ଜର ରାଜା ଶଂକଳ ପଂଚମ ଶତାବ୍ଦୀରେ ଦଶସହସ୍ରାଧିକ ଜୋଟ୍‌ (Zott) ସଂଗୀତଜ୍ଞ ସମର୍ପଣ କରିଥିବା କଥାଟି ସ୍ପଷ୍ଟ ସୂଚିତ। ସେକାଳର ସେଇ ଦଶବାର ହଜାର ସଂଖ୍ୟକ ଜୋଟ୍‌ ଗାୟକ କ'ଣ ଜିପ୍‌ସୀ ସଂଗୀତକଳାର ପିତୃପକ୍ଷଭୁକ୍ତ ପିଢ଼ି ?

 

ପୋଟ୍‌ (Pott) ଓ ମିକ୍ଳୋଶିକ୍‌ (Miklosich) ଉଲ୍ଲେଖ କରିଛଂତି - ଏ ରୋମାନୀ ଭାଷା ମଧ୍ୟବର୍ତ୍ତୀ ଭାରତୀୟ ଆର୍ଯଭାଷା ନୁହେଁ, ବରଂ ଏକ ନବ୍ୟଭାରତୀୟ ଆର୍ଯଭାଷାର ଛିନ୍ନ ଅବଶେଷ-। ଏହି ଦୃଷ୍ଟିରୁ ଏ ଭାଷାର ପୂର୍ବପୁରୁଷବର୍ଗ ୧୦୦୦ ଖ୍ରୀଷ୍ଟାବ୍ଦ ଆଗରୁ ଭାରତ ପରିତ୍ୟାଗ କରିନଥିବା ସ୍ପଷ୍ଟ ଅନୁମିତ । ତ୍ରିଲିଂଗଧର୍ମୀ ମଧ୍ୟବର୍ତୀ ଭାରତୀୟ ଆର୍ଯଭାଷା (Mia:Middle Indo-Aryan languages)ର ପୁଂଲିଂଗ-ସ୍ତ୍ରୀଲିଂଗ-କ୍ଳୀବଲିଂଗ ପରଂପରାଟି ଏବେ ବି କେତେକ ଆଧୁନିକ ଭାରତୀୟ-ଆର୍ଯଭାଷାରେ ଅନୁସୃତ ହେଉଥିଲେ ସୁଦ୍ଧା ନବ୍ୟ ଭାରତୀୟ-ଆର୍ଯଭାଷା (NIA : New Indo-Aryan languages)ର ଏହି ଅପସୃୟମାଣ ଅପଭ୍ରଂଶ ରୋମାନୀ ଭାଷାଟି ହେଉଛି ଦ୍ୱିଲିଂଗଧର୍ମୀ । ଏ ଭାଷାରେ ଅଛି କେବଳ ପୁଂଲିଂଗ ଓ ସ୍ତ୍ରୀଲିଂଗ । କ୍ଳୀବଲିଂଗଚ୍ଛେଦ ପୁଣି ନବ୍ୟଭାରତୀୟ-ଆର୍ଯଭାଷା ପକ୍ଷରେ ସେଇ ସଂଦିଗ୍ଧ ସଂଧିକ୍ଷଣର ସ୍ମୃତି, ଯାହା ତା' ପ୍ରବାସୀ ପ୍ରପୌତ୍ର ରୋମାନୀ ଭାଷାରେ ବି ରୋମଂଥିତ । ଏହି ସଂଧିକ୍ଷଣରେ ଅଧିକାଂଶ କ୍ଳୀବଲିଂଗ ପୁଂଲିଂଗରେ ଓ ଅଳ୍ପ କତିପୟ ସ୍ତ୍ରୀଲିଂଗରେ କ୍ରମବିବର୍ତିତ - ଯଥା “ଅଗ୍ନି”। ପ୍ରାକୃତ ଭାଷାର ଏହି କ୍ଳୀବଲିଂଗ କ୍ରମେ ସ୍ତ୍ରୀଲିଂଗରେ ପରିଣତ ହୋଇ ହିଂଦୀରେ “ଆଗ୍‌” ହେବା ପରେ ରୋମାନୀରେ ହୋଇଛି “ଜାଗ୍‌” ! ରୋମାନୀ ଓ ଅନ୍ୟ ନବ୍ୟଭାରତୀୟ ଆର୍ଯଭାଷାଗୁଡ଼ିକରେ ଏହି ଲିଂଗ ପରିବର୍ତନର ପ୍ରକ୍ରିୟା ପ୍ରାୟ ଦଶମ ଶତାବ୍ଦୀ ପର୍ଯଂତ ଜାରି ରହିଥିବା ଯୋଗୁଁ ରୋମାନୀ ଜିପ୍‌ସୀ ଉପବର୍ଗ ଭାରତୀୟ ଉପମହାଦେଶରେ ଅଂତତଃ ୧୦୦୦ ଖ୍ରୀଷ୍ଟାବ୍ଦଯାଏଁ ଅଟକି ରହିଥିବା ଅନାୟାସରେ ଅନୁମେୟ । ଦଶମ ଶତାବ୍ଦୀ ପରେ ପରେ ଏମାନେ ହୁଏତ ଦକ୍ଷିଣପୂର୍ବରୁ ଉତ୍ତରପଶ୍ଚିମ ଦିଗ୍‌ବଳୟକୁ ଅଗ୍ରସର ହୋଇଥିବେ କ୍ରମେ ଏବଂ ପରବର୍ତୀ ପର୍ଯାୟରେ ଭାଗଭାଗ ହୋଇ ନିରୁଦ୍ଦେଶ୍ୟ ହୋଇଯାଇଥିବେ ନାନାଦେଶ ନାନାଜାତିର ନିଘଂଚ ନକ୍‌ସାରେ !

 

ଯାଯାବର ଜିପ୍‌ସୀମାନଂକର ଦଳବଦ୍ଧ ପୂର୍ବପୁରୁଷବର୍ଗ ୧୦୦୦ ଖ୍ରୀଷ୍ଟାବ୍ଦବେଳକୁ ଦକ୍ଷିଣ ଏସିଆ ତଥା ଭାରତୀୟ ଉପମହାଦେଶ ପରିତ୍ୟାଗ କରି ମଧ୍ୟପ୍ରାଚ୍ୟରୁ ପଶ୍ଚିମାଭିମୁଖୀ ହେବାର ପ୍ରକ୍ରିୟାସ୍ୱରୂପ ସେମାନଂକ ରୋମାନୀ ଭାଷା ଉପରେ ବି ପଡ଼ିଚି ଏହି ଅନବଚ୍ଛିନ୍ନ ଅଗ୍ରସାରିତାର ଦ୍ରୁତବିଳଂବିତ ଦୁର୍ବାର ପ୍ରଭାବ । ଏହା ପ୍ରଥମେ ଗ୍ରୀକ୍‌ଭାଷାଦ୍ୱାରା ପ୍ରଭାବିତ ହେବା ପରେ ହାସଲ କରିଚି କିଛି ପାରସିକ ସ୍ପର୍ଶ । ରୋମାନୀ ଉପରେ ସବାର୍‌ ହୋଇଥିବା ଇରାନୀୟ ଓ ଆର୍ମେନୀୟ ଭାଷା ଦୁଇଟିର କତିପୟ ଶାବ୍ଦିକତା ପୁଣି ସାବ୍ୟସ୍ତ କରୁଚି କୃଷ୍ଣସାଗରରୁ ଭୂମଧ୍ୟସାଗରତଟବ୍ୟାପୀ ଭୌଗୋଳିକତା ମଧ୍ୟରେ ଜିପ୍‌ସୀମାନଂକ ଦେଶାଂତରୀ ବସତିର ଏକ ଦୀର୍ଘକାଳୀନତା ! ମାତ୍ର ତ୍ରୟୋଦଶ ଶତାବ୍ଦୀର ଆଦ୍ୟାର୍ଧରେ ମଂଗୋଲୀୟମାନଂକର ୟୁରୋପ ଅଭିଯାନ ଯୋଗୁ ଯୂଥବଦ୍ଧ ଜିପ୍‌ସୀମାନଂକର ଆରଂଭ ହୁଏ ଆଉଏକ ପଶ୍ଚିମ ପର୍ଯଟନ । ଏ ଉତ୍ତରୋତ୍ତର ପଶ୍ଚିମ ପର୍ଯଟନ ସେମାନଂକ ସାମ୍ନାରେ ଶେଷକୁ ସନାକ୍ତ କରିଦିଏ ଏକ ଭିନ୍ନ ଭୂଚିତ୍ର – ୟୁରୋପ । ୟୁରୋପରୁ ଏହାପରେ ଅନ୍ୟ ଅବଶିଷ୍ଟ ମହାଦେଶ - ଯାଯାବର ଯାତ୍ରାର ଅନିର୍ଦିଷ୍ଟ ନିୟତି ନିର୍ଦେଶ !

 

ଜିପ୍‌ସୀର ଭାଷାରେ ଅନୁଭୂତ ହୁଏ ନାନା ଆଂଚଳିକତାର ଆଚ୍ଛନ୍ନତା, ଜନ୍ମ ନିଏ ଏକାଧିକ ଉପଭାଷା । ହଜାରେ ବର୍ଷ ପୂର୍ବର ରୋମାନୀ ରକ୍ତରେ କ୍ରମେ ମିଶ୍ରିତ ହୁଏ ଯାବତୀୟ ଯାବନିକତା ସମେତ ବିଭିନ୍ନ ବୈଦେଶିକତା । ମୂଳଭାଷାରେ ଉପଲବ୍ଧ ହୁଏ ଏକ ଉନ୍ମୂଳତା ଏବଂ ମୌଖିକତା ମଧ୍ୟରେ ମଉଳିବାକୁ ବସେ ମୌଳିକତା ! ଆଜି ବୟାଳିଶଟି ୟୁରୋପୀୟ ରାଷ୍ଟ୍ରର ମୁଷ୍ଟିମେୟ ଜିପ୍‌ସୀ ମୁହଁରେ ରୋମଂଥିତ ହୁଏ ରୋମାନୀର ସଂକୁଚିତ ସଂକ୍ଷିପ୍ତ ସଂଳାପ ! ଏଇ କେଇବର୍ଷ ହେଲା ଉପେକ୍ଷିତ ରୋମାନୀ ଉପଭାଷାଗୁଡ଼ିକର ଉପନୟନକ୍ରମରେ ଲିପିପ୍ରସ୍ତୁତିର ଏକ ଆଦ୍ୟଉଦ୍ୟମନିଷ୍ଠ ଉଦ୍‌ଯୋଗ ଆରଂଭ ହୋଇସାରିଛି ଇଂଲାଂଡରେ - ମାଂଚେଷ୍ଟର୍‌ ବିଶ୍ୱବିଦ୍ୟାଳୟ ତରଫରୁ । ମାତ୍ର ଦୁଃଖର କଥା, ରୋମାନୀ ଭାଷାର ବହୁ ଉପଭାଷା ନିଜ ମୁହୁର୍ମୁହୁ ମୃତ୍ୟୁର ମର୍ମଂତୁଦ ମୁହୂର୍ତ ସାମ୍ନାରେ ସଂତ୍ରସ୍ତ - ଏପରି ସାଧୁସାଧନା ସତ୍ତ୍ୱେ ।

 

ଉପଭାଷାର ଉତ୍ପାତରେ ମୁମୂର୍ଷୁ ମୂଳଭାଷାର ଜାତକ ଜାଳୁଚି ଜିପ୍‌ସୀ ! ଭାଷା ତାର ଭିକ୍ଷା କରୁଚି ବୈଭାଷିକ ଲିପି - ଲାଟିନ୍‌ ବା ଗ୍ରୀକ୍‌ ଉତ୍ସରୁ ଉତ୍ପନ୍ନ Cyrillic ଆକ୍ଷରିକତାର ଆଶାବାଡ଼ି ଧରି । ଗୋଟିଏ ଗୁପ୍ତଭାଷା (argot)ର ଗୋଧୂଳି ପରି ଜିପ୍‌ସୀର ଏ ରୁଗ୍‌ଣ ରୋମାନୀ ଆଜି ଲୋଡ଼ୁଚି ଅବଶ ଅଂଗରେ ରଂଗତୂଳୀର ତରଂଗ ! ବିଂଶଶତାବ୍ଦୀରେ ପୂର୍ବୟୁରୋପ ପୁନରୁଦ୍ଧାର କରିଛି ରୋମାନୀ ଲୋକକଥା ଓ କବିତାଗୁଡ଼ିକର କିଛି କାକବର୍ଣ କାୟାକଳ୍ପ - ମୁଦ୍ରିତ ସଂକଳନମାନ ପ୍ରକାଶ ପୂର୍ବକ । ୧୯୮୯ ମସିହାରେ ମାର୍କେଲ୍‌ କୋର୍ଥାୟେଦ୍‌ (Marcel Courthiade) ଏକ ଔପଭାଷିକ ବର୍ଣସଂସ୍କାର ଭିତ୍ତିରେ ରୋମାନୀ ଭାଷାର ଯେଉଁ “ମାନକ” ମାନଚିତ୍ର ପ୍ରସ୍ତୁତ କରିଛଂତି, ଆଂତଜାର୍ତିକ ରୋମାନୀ ସଂଘଦ୍ୱାରା ତାହା ସ୍ୱୀକୃତ ଓ ସମର୍ଥିତ ।

 

ଅୟୁତ ଅତିରିକ୍ତ ଆର୍ତନାଦ ପରେ ଏହା ହୁଏତ ଏକ ଈଷତ୍‌ ଅୟମାରଂଭର ଅଳ୍ପ ଆସନ୍ନ ଆଶାବରୀ !

 

🟋🟋🟋🟋

 

ରୋମା ।

 

ରୋମାନୀ ଭାଷାଭାଷୀ ଯାତନାଜର୍ଜର ଯାଯାବର ।

 

“ଜିପ୍‌ସୀ”ର ବାରବୁଲା ଚାରିତ୍ରିକତାରେ ଚିହ୍ନିତ ଏ ରୋମା । ରୋମା ସିନା ଜିପ୍‌ସୀ, ମାତ୍ର ଦୁନିଆର ସବୁ ଜିପ୍‌ସୀ କ'ଣ ରୋମା ? ସେଥିପାଇଁ ଏକ ନିର୍ଦିଷ୍ଟ ଜିପ୍‌ସୀ ଉପବର୍ଗ ଭାବରେ “ରୋମା”ର ଭାଷା ଯେମିତି ଭିନ୍ନ, ତାର ଗୀତ ଆଉ ନାଚ ବି ସେମିତି ସ୍ୱତଂତ୍ର । ଜିପ୍‌ସୀ ସଂସ୍କୃତିର ଏହି ସ୍ୱତଂତ୍ରତା, ରୋମାନୀ ଭାଷା ଓ ସଂଗୀତ ପରି, ରୋମାନୀ ନୃତ୍ୟରେ ବି କଷଟିଆସିଛି ଏକ କଳାତ୍ମକ ସ୍ୱକୀୟତା । ଏ ସ୍ୱକୀୟତା ହେଉଛି ରୋମାନୀ ଜିପ୍‌ସୀର ସେଇ ରକ୍ତଗତ ଭାରତୀୟତା - ଶତ ଭୌଗୋଳିକ ବିଚ୍ଛିନ୍ନତା ସତ୍ତ୍ୱେ ଯାହା ତାର ଆଦି ଆବାସଭୂମିର ଆଭାସାତ୍ମକ ଐତିହ୍ୟନିଷ୍ଠତା-

 

ପ୍ରାଚୀନ ଉତ୍ତରଭାରତୀୟ ଯୋଦ୍ଧୃବଂଶର ଏକ ପ୍ରବାସୀ ପ୍ରବାହ - ଏ ରୋମା - ଅର୍ଥାତ୍‌ ଏ ରୋମାନୀ ଜିପ୍‌ସୀ । ଏହି ଦୃଷ୍ଟିରୁ ରାଜସ୍ଥାନୀ ଓ ପଂଜାବୀ ଭାଷା, ଧର୍ମ-ସଂସ୍କୃତି, ପ୍ରଥା-ପରଂପରା ସହିତ ରୋମାନୀ ଜିପ୍‌ସୀର ରହିଚି ରକ୍ତସଂପର୍କୀୟ ସୂତ୍ର ।

 

ସଂଗୀତ ପରି, ନୃତ୍ୟ ବି ରୋମାନୀ ଜିପ୍‌ସୀର ଯୌବନମତ୍ତ ଜୀବନଛଂଦ । ତା' ନୃତ୍ୟଛଂଦରେ ପୁଣି ଫୁଟିଉଠେ ଏକ ବ୍ୟକ୍ତିକ ମୁକ୍ତି ସହିତ ଆଧ୍ୟାତ୍ମିକ ଅଭିବ୍ୟକ୍ତିର ମାଦକ ମୁଦ୍ରା - ଯାହା ଯୁଗାଂତ ଜର୍ଜରିତ ଏକ ଅବଦମିତ ଅନାଥ ଅର୍ଧମାନବର ଆତ୍ମିକ ଇସ୍ତାହାର । ଅତିଷ୍ଠ ଅତୀତର ଅନେକ ଅବଜ୍ଞା, ଅଂତର୍ଦାହ, ଅପଘାତର ଅଧ୍ୟାୟ ସହିତ ଗୁପ୍ତହତ୍ୟା ଓ ଗଣହତ୍ୟାର ଏକ ଗର୍ହିତ ଗ୍ରଂଥନ - ଏ ବାରବୁଲା ଜିପ୍‌ସୀର ଜୀବନପଂଜୀ । ସୁତରାଂ ନିଜ ଚାରଣ ସଂସ୍କୃତିର ନିଶ୍ଚିତ ନିରାପତ୍ତା ଦୃଷ୍ଟିରୁ ହଜାର ବର୍ଷ ହେଲା ରୋମାନୀ ଜିପ୍‌ସୀ ତା' ସ୍ୱତଂତ୍ର ନୃତ୍ୟଶୈଳୀକୁ ସଂଗୋପିତ କରିରଖିଚି ନିଜର ପାରିବାରିକ ଓ ସାମାଜିକ ସୁରକ୍ଷାବଳୟ ମଧ୍ୟରେ। ତା' ସଂଗୀତର ସ୍ୱର ସାରା ସଂସାରକୁ ସଚକିତ କରିସାରିଥିବା ବେଳେ ନୃତ୍ୟର ନୂପୁରଧ୍ୱନି ଉଚ୍ଚକିତ କରେ ଅପେକ୍ଷାକୃତ ଅଳ୍ପ ଆୟତକ୍ଷେତ୍ରକୁ । ଗୀତକୁ ଅମର କରିଥିବା ଜିପ୍‌ସୀକୁ ଏବେ ତା' ନାଚକୁ ବଂଚାଇବାର ଆହ୍ୱାନ ବି ବେଶ୍‌ ଶୁଭିଲାଣି ବହୁ ଶିବିରରୁ । ଆଂଦାଲୁସିଆ (Andalucia)ର “କାଲୋ” ଜିପ୍‌ସୀ କଳାକାରଂକ ଫ୍ଲାମେଂକୋ ନୃତ୍ୟସଂଗୀତ ପରି, ରୋମାନୀ ନର୍ତକବର୍ଗର ରୋମାନୋ ଖେଲିବେନ୍‌ (Romano Kheliben) ନୃତ୍ୟଶୈଳୀର ମଧ୍ୟ ବ୍ୟାପକ ବିସ୍ତାର ପାଇଁ ବିଶ୍ୱବ୍ୟାପୀ ବ୍ୟଗ୍ରତା ବ୍ୟକ୍ତ ହେଉଛି ବର୍ତମାନ ।

 

ଏକାଦଶ ଶତାବ୍ଦୀର ଆଦ୍ୟପାଦରେ ଭାରତ ଆକ୍ରମଣକାରୀ ମୁସଲିମ ବାହିନୀ ସହିତ ଯେଉଁ ଉତ୍ତରଭାରତୀୟ ଯୋଦ୍ଧୃବାହିନୀ କ୍ରମାଗତ ସଂଘର୍ଷ ସତ୍ତ୍ୱେ ପରାଜୟପ୍ରାପ୍ତ ହେଲେ, ସେମାନଂକ ମଧ୍ୟରୁ ଏକ ମୁଖ୍ୟସ୍ରୋତ ସିଂଧୁ ଉପତ୍ୟକାର ଉତ୍ତର ପାର୍ବତ୍ୟପଥ ଦେଇ ପଶ୍ଚିମମାର୍ଗୀ ହେଲେ ଏବଂ ପରିଶେଷରେ ଚତୁର୍ଦଶ ଶତାବ୍ଦୀରେ ପହଂଚିଲେ ପୂର୍ବୟୁରୋପରେ । ଏଇମାନଂକର ଦଳିତ ଦାୟାଦ ହିଁ ଆଜିର ଏ ରୋମା । ଭ୍ରାମ୍ୟମାଣ ଭାରତୀୟ ଭଗ୍ନଦୂତର ଦୁର୍ଭାଗା ଦେଶାଂତରୀ ଦଳ ! ସଂଗ୍ରାମର ସ୍ମୃତିଟିକୁ ଭୁଲିଗଲେ ସିନା, ସଂସ୍କୃତିକୁ ନୁହେଁ କିଂତୁ । ନୃତ୍ୟର ତାଳେତାଳେ ଏମାନଂକ ପ୍ରଖର ପଦବିକ୍ଷେପର ପଦ୍ଧତି ହିଁ ପ୍ରତିପାଦନ କରିଥାଏ, ପ୍ରାକ୍‌-ସହସ୍ରାବ୍ଦର ସେଇ ପ୍ରାକ୍ତନ ଭାରତୀୟତାକୁ - ଯାହା ପଂଜାବୀ ଓ ରାଜସ୍ଥାନୀ ଲୋକନୃତ୍ୟର ଉଦ୍ଦାମ ଉଲ୍ଲାସରେ ଆଜି ପର୍ଯଂତ ବି ପଲ୍ଲବିତ । ଏ ରୋମାନୀ ନୃତ୍ୟକଳାର ପ୍ରସିଦ୍ଧତମ ପ୍ରସ୍ତଟି ହେଉଛି “ଫ୍ଲାମେଂକୋ” - ସ୍ପେନ୍‌ଦେଶରେ ବସତି ବିସ୍ତାରିଥିବା ଆଂଦୋଲୁସିଆ ଅଂଚଳ ଅଂତର୍ଗତ “କାଲୋ” ଜିପ୍‌ସୀର ବିଶେଷ ବିଚିତ୍ରା । ଏଥିସହ ରହିଚି ହଂଗେରୀୟ ଓ ପୂର୍ବୟୁରୋପୀୟ ରୋମାଗୋଷ୍ଠୀଦ୍ୱାରା ପ୍ରବର୍ତିତ ସିଜର୍ଦାସ୍‌ (Czardas) ଓ ବୋତୋଲୋ ତାନ୍‌କ୍‌ (Botolo Tanc) ନୃତ୍ୟ । ଏହାଛଡ଼ା ବଲ୍‌କାନ ଉପଦ୍ୱୀପାଂଚଳ ଓ ମଧ୍ୟପ୍ରାଚ୍ୟର ରୋମା ନର୍ତକମାନଂକ ଦ୍ୱାରା ପରିବେଷିତ ବେଲେଦି ବା ବେଲୀ (beledi/belly) ନୃତ୍ୟଭିତ୍ତିକ “ଚୋଚେକ୍‌” (chochek) ସମେତ ଆହୁରି କେତେକ ଲୋକନୃତ୍ୟ ମଧ୍ୟ ଏ ରୋମାନୀ ଖେଲିବେନ୍‌ର ଖିଅ ଖୋଜୁଥିବାବେଳେ, ଆମକୁ ପୁନରାୟ ଫେରାଇ ନେଇଯାଏ ସେଇ ପଂଜାବ ଓ ରାଜସ୍ଥାନର ନଟସାଂସ୍କୃତିକ ମୂଳମଂଡଳକୁ ।

 

ରୋମାନୃତ୍ୟକଳା ଏକ ତୌର୍ଯତ୍ରିକ କଳା। ନୃତ୍ୟ ସହ ସମ୍ମିଳିତ ହୋଇଥାଏ ଗୀତ ଓ ବାଦିତ୍ର । ଫ୍ଲାମେଂକୋ ନୃତ୍ୟରୁ ସଂପାଦିତ musica Flamenca” ଜିପ୍‌ସୀ ସଂଗୀତର ରୋମାଂଚକ ରୋମାନୀ ରାଗିଣୀ । ପଂଚଦଶ ଶତାବ୍ଦୀରେ ରୋମା ଯାଯାବରବର୍ଗ ସ୍ପେନ୍‌ରେ ପହଂଚି, ଆଂଦୋଲୁସିଆର ଆଂଚଳିକ ନୃତ୍ୟଗୀତଗୁଡ଼ିକୁ ଜୀବନ୍ୟାସ ଦେଲେ ନୂତନ ସ୍ୱରରେ । ଫ୍ଲାମେଂକୋ - ସେଇ ନୂତନ ନୃତ୍ୟସଂଗୀତର ନାଂଦନିକ ନୃତତ୍ତ୍ୱ ! ମାତ୍ର ଏହାର ପୂର୍ଣତାପ୍ରାପ୍ତି ପାଇଁ ଜାରି ରହିଥିଲା ଚାରିଶତାବ୍ଦୀର ଚାରଣିକତା - ରୋମାନୀ ଜିପ୍‌ସୀ ଜାତି ପକ୍ଷରୁ । ଊନବିଂଶ ଶତାବ୍ଦୀରେ ହିଁ ଏକ ନବ୍ୟ ରୂପାଂତରପ୍ରାପ୍ତ ରୋମାନୀ ରୋମାଂଚ ରୂପେ ଏହା ଆକୃଷ୍ଟ କରିପାରିଛି ବିଶ୍ୱସ୍ତ ବିଶ୍ୱଦୃଷ୍ଟି । ଏହି ରୋମାଂଚକର ନୃତ୍ୟରୂପଟି ସହିତ ପୁଣି ପ୍ରଖ୍ୟାତ ଗବେଷକ ଗୋବିନ୍‌ ଦର୍ଶାଇଛଂତି ଚାରୋଟି ମୁଖ୍ୟ ଭାରତୀୟ ନୃତ୍ୟବିଧିର ନିଗୂଢ଼ ସଂପର୍କ - କଥକ, କଥାକଳି, ମଣିପୁରୀ, ଭାରତନାଟ୍ୟମ। ଏପରିକି ରୋମାମାନଂକର ସ୍ପେନ୍‌ ଆଗମନ ଆଗରୁ ବି ଭାରତୀୟ ନୃତ୍ୟସଂଗୀତର ପ୍ରଗାଢ଼ ପ୍ରଭାବକୁ ସେ ଚିହ୍ନଟ କରଂତି ସେଠାର “କାଦିଜ୍‌” (cadiz) ପରଂପରାରେ-! ହୁଏତ ଦୂରଦୂରାଂତରର ସାମାଜିକ ଉତ୍ସବ ଆସରଗୁଡ଼ିକରେ ଏକଦା ନିୟମିତ ହାଜିରା ପକାଉଥିବା ହିଂଦୁ ନଟମଂଡଳମାନଂକର ଏହା ହେଉଛି ସ୍ୱାଭାବିକ ସାଂସ୍କୃତିକତାର ସଂକ୍ଷେପଣ ।

 

ସିଜର୍ଦାସ୍‌ ଓ ବୋତୋଲ ତାଂକ୍‌ର ତାଳଲୟମୁଦ୍ରା ମଧ୍ୟ ଉତ୍ତର ଭାରତୀୟ ଲୋକନୃତ୍ୟଛଂଦ ସହିତ ସୂକ୍ଷ୍ମସଂପର୍କିତ । ନଟନଟୀମାନଂକ ନିପୁଣ ଅଂଗଭଂଗିମାକୁ ନେଇ ସିଜର୍ଦାସ୍‌ ଏକ ଲଳିତ ନୃତ୍ୟକଳା ହୋଇଥିବାବେଳେ ହଂଗେରୀ ଓ ଟ୍ରାନ୍‌ସିଲ୍‌ଭାନିଆ (Transylvania)ରେ ବହୁଳ ପ୍ରଦର୍ଶିତ ବୋତୋଲୋ ତାନ୍‌କ୍‌ ହେଉଛି କାଠିବାଡ଼ିକୁ ବ୍ୟବହାର କରି ଏକପ୍ରକାର ଛଳଯୁଦ୍ଧର ଛାୟାନୃତ୍ୟ । ପଂଜାବୀ ଲୋକନୃତ୍ୟ "ଗଟ୍‌କା'ର ଏହା ଯେମିତି ଏକ ପ୍ରବାସୀ ଭାରତୀୟ ସଂସ୍କରଣ !

 

“ଚୋଚେକ୍‌” ନୃତ୍ୟ ବଲ୍‌କାନ୍‌ ଉପଦ୍ୱୀପାଂଚଳ ଓ ମଧ୍ୟପ୍ରାଚ୍ୟରୁ ମୁକୁଳି ଏବେ ଏକ ଜନପ୍ରିୟ ରୋମାନୀ ରୋମାଂଚ’ରୂପେ ଜବରଦଖଲ କଲାଣି ପାଶ୍ଚାତ୍ୟ ପୃଥିବୀକୁ । ଏହାର ଉତ୍ସ ଏକଦା ପ୍ରାଚୀନ ଭାରତର ମଂଦିରବର୍ତୀ ନାଟମଂଡପ ଓ କୃଷିକ୍ଷେତ୍ରରେ ଆୟୋଜିତ ଲୋକନୃତ୍ୟ ପରଂପରାରେ ନିହିତ। ମଂଦିରରେ ମାଂଗଳିକ ମନୋବାଂଛନା, କୃଷିକ୍ଷେତ୍ରରେ ପ୍ରଚୁର ଶସ୍ୟଅମଳ ଉଦ୍ଦେଶ୍ୟରେ ଉର୍ବରତା କାମନା - ଏ ଦୁଇ ଆଶାର ଆକୁତିରେ ଯେଉଁ ଭାରତୀୟ ଲୋକନୃତ୍ୟର ଚରିତ୍ର ଦିନେ ଥିଲା ସଂଗୀତୋଚ୍ଛଳ, ତାହାର ଏକ ଚିତ୍ରବିଚିତ୍ର ଚେହେରା ହେଉଛି ଜିପ୍‌ସୀସଂସ୍କୃତିର ଏହି ରୋମାନୀ “ଚୋଚେକ୍‌” ନୃତ୍ୟଶୈଳୀ । ରାଜସ୍ଥାନର “ତେରା ତାଲି” (Tera Tali) ପରି, ଏ ଚୋଚେକ୍‌ ନୃତ୍ୟର ହସ୍ତମୁଦ୍ରା ଗିନି ଓ ଝାଂଜ ବଜାଇବାର ବ୍ୟସ୍ତତାରେ ବ୍ୟାପୃତ ଥିବା ଅବସ୍ଥାରେ, ତରବାରି ସହ ନର୍ତକନର୍ତକୀମାନଂକ ମସ୍ତକରେ କୁଂଭ, କଳସ ବା କୌଣସି ପାତ୍ରର ସ୍ଥାପନା ଏହାର ଏକ ଅତି ଆକର୍ଷଣୀୟ ଆଭିମୁଖ୍ୟ । ସେମାନେ ହୁଏତ କୌଣସି ପ୍ରାଂତରରେ ପ୍ରାୟୋପବେଶନ ଭଂଗୀ ପ୍ରଦର୍ଶନ କରୁଥାଇପାରଂତି, ମାତ୍ର ମସ୍ତକ ଓ ପାତ୍ର ମଧ୍ୟରେ ଭାରସାମ୍ୟ ବଜାୟ ରଖିବା ନିହାତି ଜରୁରୀ । ନୃତ୍ୟଭଂଗିମାରେ ଦେହର ଦୋଳନ ଓ ଗିନି କି ଝାଂଜବାଜଣାବେଳେ ହସ୍ତ ଆଂଦୋଳନ ସତ୍ତ୍ୱେ ପାତ୍ରବାହୀ ମସ୍ତକର ମୁଦ୍ରା କିଂତୁ ଥିବ ସ୍ଥିର ଏବଂ ଅବିଚଳ ! ଉର୍ବରତା ଅଭିବୃଦ୍ଧି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିବା ଭାରତୀୟ କମର ଜନଜାତିର ଏକ ନିର୍ଦିଷ୍ଟ ନୃତ୍ୟବିଧି ମଧ୍ୟ ପ୍ରାୟ ଏଇଭଳି ।

 

ରୋମାନୀ ନୃତ୍ୟାନୁଷ୍ଠାନଗୁଡ଼ିକ ଉତ୍ତର ଭାରତୀୟ ଲୋକନୃତ୍ୟ ପରି ବିଶେଷ ଉପଲକ୍ଷଭିତ୍ତିକ । ଜନ୍ମ, ନିର୍ବଂଧ, ପରିଣୟ, ପର୍ବପର୍ବାଣି, ଫସଲଅମଳ, ବସଂତୋତ୍ସବଠାରୁ ଆରଂଭ କରି ଶ୍ରାଦ୍ଧବାସର ପର୍ଯଂତ ବିଭିନ୍ନ ଉପଲକ୍ଷରେ ଅନୁଷ୍ଠିତ ହୋଇଥାଏ ଏ ନୃତ୍ୟ ଆସରସବୁ-। ତା'ଛଡ଼ା ପୂଜାନୁଷ୍ଠାନ ସମୟରେ ମଧ୍ୟ ନାନା ଆଧ୍ୟାତ୍ମିକ ଓ ନାଟକୀୟ ବିଷୟ ଉତ୍‌ଥାପନ ସହ ପରିବେଷଣ କରାଯାଇଥାଏ ଏସବୁ ସାଂଗୀତିକ ନୃତ୍ୟବିଚିତ୍ରା । ଅନୁରାଗ, ଆବେଗ, ଆହ୍ଲାଦ, ବିଷାଦ, ବିଚ୍ଛେଦବ୍ୟଥାକୁ ନେଇ ରୋମାନୀ ନୃତ୍ୟମୁଦ୍ରାର ଅଭିବ୍ୟକ୍ତି ଉଚ୍ଛ୍ୱାସମୟ । ପୂର୍ବୟୁରୋପରେ ପ୍ରଦର୍ଶିତ କେତେକ ରୋମାନୀ ନୃତ୍ୟ ପୁଣି ରାଜସ୍ଥାନୀ “ଘୁମର” ନାଚର ଯେମିତି ଗୋଟିଏ ଗୋଟିଏ ଛାୟାକଳ୍ପ ! ଅଷ୍ଟାଳଂକୃତା, ପୂର୍ଣପୋଷାକପରିହିତା ନର୍ତକୀମାନେ ପବନରେ ପହଁରିଲା ପରି ନାଚୁଥାଂତି ଭୁଆଁବୁଲା ଭଉଁରିଆ ନାଚ - ମଥା ଉପରେ ହାତର ବାଗବାଇଶୀ ବାଂକବୁଲାଣି - ଠିକ୍‌ ଠଣସୁଂଦରୀ ଠାଣି ! ପଂଜାବର ଯୁଗଳନୃତ୍ୟ “କିକ୍‌ଲି” ପରି ରୋମାନୀ ନୃତ୍ୟ କ୍ଷେତ୍ରରେ ବି ଦେଖିବାକୁ ମିଳିଥାଏ ଚମତ୍କାର ଯୋଡ଼ିନାଚର ଚଳଣି । ରୋମାନୀ ନୃତ୍ୟରେ ହସ୍ତ, ବାହୁ ଓ ସ୍କଂଧ - ଏ ତିନୋଟି ଅଂଗର ରହିଛି ବିଶେଷ ଭଂଗୀ ଓ ଭୂମିକା। କେତେକ ବିଶେଷ ବିଧିଭିତ୍ତିକ ରୋମାନୀ ନୃତ୍ୟରେ ଯାଯାବର ଜୀବନର ଯାତନା, କାମନା ଓ ତାଡ଼ନାର ତୀବ୍ରତା ଫୁଟିଉଠେ ପ୍ରତୀକାତ୍ମକ ବ୍ୟଂଜନାରେ ! ଯେମିତି ଏ ଜିପ୍‌ସୀ ପରଂପରାର ଗୋଟିଏ ପବିତ୍ର ପ୍ରାଚୀନ ନୃତ୍ୟ କାହିଁ କେଉଁକାଳୁ ପ୍ରଚଳିତ - ଅଥଚ ଅଳ୍ପ ପରିଚିତ । ଇଏ ନିଆଁର ନାଚ ଯେତିକି, ନାରୀର ନାଚ ବି ସେତିକି । ହୁତୁହୁତୁ ନିଆଁ ଜଳୁଥିବ ଶିଖା ବିସ୍ତାରି - ଆଉ ଏ ନିଆଁ ଚାରିପଟେ ଝୁଲିଝୁଲି, ଝୁମିଝୁମି, ଅଂଟାରେ ହାତ ଛଂଦି, କୁଂଡଳୀ କାଟିଲା ପରି ନାଚୁଥିବେ ଦଳେ ନିଶାଚ୍ଛନ୍ନା ନାରୀ ! ଜିପ୍‌ସୀ ରମଣୀର ଜୀବନଟା ଯେମିତି ଜଳଂତା ନିଆଁର ଧାସ... ସେ ଧାସ ପରି ତତଲା ତା' ନିଃଶ୍ୱାସ... ତା' ନାଚର ଗୀତ ଆହୁରି ଉଦାସ !

 

ନିଆଁ ଜଳେ ନା ଜୀବନ ?

 

ପାଉଁଶ ହୁଏ ନାରୀର ନିଦ୍ରା ନା ସ୍ୱପ୍ନ - ନିୟତି ନା ନିର୍ବାଣ ?

 

🟋🟋🟋🟋🟋

 

ସବୁ ଜିପ୍‌ସୀ “ରୋମା” ନହେଲେ ବି “ରୋମା” କିଂତୁ ଖୋଦ୍‌ ଜିପ୍‌ସୀଟିଏ - ଏଭଳି ସରଳ ସତ୍ୟଟିକୁ ତଥ୍ୟରେ ସଜାଇ ଥୋଇଦେଲେ କ'ଣ ଯଥେଷ୍ଟ ? ରୋମାନୀ ଜିପ୍‌ସୀ ନିଜକୁ ନିଆରା ମଣେ ଗୋଟାପଣେ । ରୋମାନୀ ସଂସ୍କୃତିର ସରହଦ ବାହାରେ ବିଚରଣ କରୁଥିବା ଜିପ୍‌ସୀକୁ ସେ ନିଜ ଗୋତ୍ର କି ଗୋଷ୍ଠୀ ଭିତରକୁ ପାଛୋଟି ନେଇପାରେନି ମୋଟେ । ଅଣରୋମାନୀ ଜିପ୍‌ସୀ “ଗାଜୋ” (Gadjo) ରୋମା ଆଖିରେ ସଂଦେହଜନକ ଜୀବଟିଏ ସବୁବେଳେ । ରୋମା ତା' ନିଜ ଭାଷାରେ ଅଣରୋମାନୀ ଜିପ୍‌ସୀକୁ କହେ “ଗାଦ୍‌ଜେ” (Gadje) ଯିଏ ପୁଣି ଜିପ୍‌ସୀ ନୁହେଁ, ତା' ଭାଷାରେ ସିଏ ଓଲୁ - 'Gazho si dilo' - The non-Gypsy is a fool.ଏ “ଗାଜୋ”କୁ ଭରସିପାରେନି ସେ । “ଗାଜୋ”ର ଗୀତନାଚକୁ କିଂତୁ ଅନେକ ସମୟରେ ରୋମାର ନାଚଗୀତ ସହିତ ସାମିଲ୍‌ କରାଇନେବା ଦ୍ୱାରା ରୋମାନୀ ଜିପ୍‌ସୀର ଲାଭ ଅପେକ୍ଷା ହାନି ହୁଏ ବେଶି । ଏହା ଦ୍ୱାରା ରୋମାନୀ ନୃତ୍ୟଗୀତଗୁଡ଼ିକୁ କାମୋଦ୍ଦୀପକ ଓ ଯୌନଜର୍ଜରିତ ବୋଲି ଧରିନିଆଯାଏ ଭୁଲ୍‌ରେ - ଯେମିତି “ଜିପ୍‌ସୀ” ଓ “ଇଜିପ୍‌ସିଆନ୍‌”କୁ ଏକାର୍ଥବାଚୀ ବୋଲି ଧରିନିଆଯାଇଥିଲା ପ୍ରଥମେ । ରୋମାନୀ ଜିପ୍‌ସୀ ଦକ୍ଷିଣଏସିଆର ସେଇ ଉତ୍ତରପଶ୍ଚିମମୁଖୀ ପଥଚାରୀବର୍ଗ, ଯାହା ପରବର୍ତୀ ପର୍ଯାୟରେ ଭିନ୍ନ ଭିନ୍ନ ଭୂଭାଗର ଭାଷା, ଶବ୍ଦ, ଧ୍ୱନି, ଧାତୁ ସଂସର୍ଗରେ ଆସି ଉପିନ୍ନ କରିଚି ଶତାଧିକ ଉପଭାଷା । ହଜାର ବର୍ଷର ବାରବୁଲାଣି ଦେଇ ତା' ଜିପ୍‌ସୀ ଜୀବନର ଗତି ଆଜି ଦେଖିବାକୁ ଆରଂଭ କଲାଣି ଏକ ସ୍ଥିତିସଂଧାନର ସ୍ୱପ୍ନ !

 

ରନ୍‌ ଲି (Ron Lee) ଇଂରାଜୀଭାଷାରେ ଅନୁବାଦ କରିଛଂତି ଗୋଟିଏ ଜିପ୍‌ସୀ କବିତା, ଯେଉଁଥିରେ ଯାଯାବର ଜୀବନର ସ୍ମତି-ସତ୍ତା-ସଂଭାବନା ହାର୍ଦିକ ହସ୍ତାକ୍ଷରରେ ସୂଚିତ:

I have travelled over long roads

I have met fortunate Roma

I have travelled far and wide

I have met lucky Roma

Oh, Romani adults, Oh Romani youth

Oh, Romani adults, Oh Romani youth

Oh, Roma, from wherever you have come

With your tents along lucky roads

I too once had a large family

But the black legion murdered them

Come with me, Roma of the world

To where the Romani roads have been opened

now is the time - stand up, Roma,

We shall succeed where we make the effort.

Oh, Roma adults, Oh, Roma youth

Oh, Roma adults, Oh, Roma youth.

 

ଏହାକୁ ଓଡ଼ିଆରେ ଅଭିବ୍ୟକ୍ତ କରାଯାଇପାରେ ଏଇଭଳି -

“ପାରିହୋଇଚି ମୁଁ - ଦୀର୍ଘ ଅନେକ ପଥ

ଶୁଭ ରୋମାକୁ ମୁଁ ଭେଟିଚି ଭାଗ୍ୟବଳେ

ପାରିହୋଇଚି ମୁଁ - ପ୍ରସ୍ଥ ସୁଦୂରାହତ

ସୁଭାଗା ରୋମାକୁ ଦେଖିଚି ମୁଁ କେଉଁ ଦଳେ !

 

ହେ ରୋମାବର୍ଗ,

ହେ ରୋମାନୀ ଯୁବା,

ଆସିଥାଅ ତମେ

କିଏ ସେ କାହୁଁ ବା

ଏ ପଥପାର୍ଶ୍ୱ ତଂବୁରେ ତମ ସତ

ପରିବାର ମୋର - ଥିଲା ବହୁଦିନ ତଳେ !

 

ଅଥଚ କୃଷ୍ଣ ଯବନବାହିନୀ ହାତେ

ଅଚିରାତ୍‌ ହେଲା ବଂଶନାଶ ମୋ ହାୟ

ଆସ ଦୁନିଆର ବାରବୁଲା ମୋର ସାଥେ

ରୋମାନୀ ରାସ୍ତା ଯେଉଁଠି ମୁକ୍ତ ପ୍ରାୟ !

 

ହେ ରୋମାବର୍ଗ,

ହେ ରୋମାନୀ ଯୁବା,

ହୁଅ ଏକଜୁଟ୍‌ !

ଉଠରେ ନତୁବା

ଆଜି ତ ସମୟ - ସ୍ପର୍ଧିତ ପଦପାତେ

ଆମେ ହେବା ଏକ ସାର୍ଥକ ସମୁଦାୟ !”

 

ପରାଜୟ, ପଳାୟନ, ପୃଷ୍ଠଭଂଗ, ସ୍ୱପ୍ନଭଂଗ, ହତ୍ୟା ଓ ହତାଶାର ହୁତୁହୁତୁ ହାହୁତାଶ ସତ୍ତ୍ୱେ ଜିପ୍‌ସୀ ଜୀବନରେ ମଧ୍ୟ ଅଛି ପ୍ରାର୍ଥିତ ପ୍ରେମର ପ୍ରାପ୍ତିସ୍ୱୀକାର । ଗୋଟିଏ ଛୋଟ ଜିପ୍‌ସୀ କବିତା "ଦିଲାଇଲା : ଦିଲାଇଲା' (Dilaila: Dililah)ର ଇଂରାଜୀ ରୂପାଂତର :

'Deliah, because of her sexy figure

that resembles a Holy icon

Oh, Delilah

From where she walks, flowers will surely bloom,

From where she walks not, flowers will surely wither.'

 

ଏମିତି ହୁଏତ କରାଯାଇପାରେ ଏ କବିତାର ଓଡ଼ିଆ ବି -

“ମଦନାବତୀ ସେ

ଦିଲାଇଲା ଦିଶେ

ଚିତ୍ରପ୍ରତିମା ସମ

ଆହା ଦିଲାଇଲା ମାଧୁରୀ କି ମନୋରମ !

 

ଯେଉଁ ପଥ ବରି

ଚଳେ ସୁଂଦରୀ,

ସୁମନ ବିକଶେ ତହିଁ

ଯେଉଁ ପଥେ ସିଏ

ପାଦ ନ ପକାଏ -

ଫୁଲସବୁ ମଉଳଇ !”

 

ଝୁରି ହେଉଥିବା ଝିଅଟିଏ ପାଇଁ ଜିପ୍‌ସୀ ପୁଅଟେ ବି ଅସଂଭାଳ । ମାଆକୁ ସେ କହିପାରେ ମନକଥା - ସେଇ ଝିଅଟି ପାଇଁ ମରୁଚି କେମିତି ମୁହୁର୍ମୁହୁଃ - କେତେ ଆହା, କେତେ ଉହୁ ! “ଦଶଥର ଦୁଇ” (Ten times two) ପରି ଆଉଗୋଟେ ଛୋଟ ଜିପ୍‌ସୀ କବିତାରେ ଅଛି ଏଇ ପ୍ରଗଳ୍‌ଭ ପ୍ରଣୟର ପ୍ରାଂଜଳ ପ୍ରାର୍ଥନା :

 

Two, two, two, two,

Ten times two

Oh to kiss an innocent mouth

Because of her I am dying (I love her very much, idiomatic)

Because of her I am falling apart

Oh, Mother, nai, nai, nai

I have a girl

A beautiful girl

A beautiful girl

Because of her I am dying

Because of her I am disintegrating

Oh, Mother, nai, nai, nai.

 

ଓଡ଼ିଆରେ ଆମେ ଏମିତି ଟିକିଏ କହିବା କି ଏଠି ? -

“ଦୁଇ ଦୁଇ ଦୁଇ ଦୁଇ

ଆହା ଦଶଥର ଦୁଇ

ଚୁମିବା ଲାଏକ୍‌

ନିର୍ମାୟା ଗୋଟେ ମୁହଁ

ତା ପାଇଁ ମରୁଚି ଆଜି

ତା ପାଇଁ ପଡୁଚି ଭାଜି

ଆଲୋ ମାଆ ଆଉ

ନାଇଁ ନାଇଁ ନାଇଁ ନୁହଁ !

 

ଅଛି ସୁଂଦରୀଟିଏ

ମନଲାଖି ମୋର ସିଏ

ଗୋଟିଏ ଚାଉଳେ

ଗଢ଼ା ସେ ମୋହରି ପାଇଁ

ତା ପାଇଁ ମୁଁ ମରେ ଝୁରି

ହୃଦୟଟା ହୁଏ ଚୂରି

କହ ନା ମାଆ ତୁ

ନାଇଁ ଲୋ ନାଇଁ ଲୋ ନାଇଁ !”

 

ଅଳ୍ପକରେ ତୁଷ୍ଟ ସିଏ - ଜିପ୍‌ସୀଟିଏ । ତାକୁ ତାର ସଂପତ୍ତି ତାଲିକା ଦାଖଲ କରିବାକୁ କୁହାଗଲେ ସେ ହୁଏତ ଦେଖାଇଦେବ ଦୁଆରଟେ - କପଡ଼ା କାଂଥର ଗୋଟେ ତଂବୁଘରଆଡ଼େ, ଯାହାର କଣାକଣା କନାର ଖିଡ଼ିକିମାନ ଖରାବେଳେ ଖୋଲା, ରାତିସାରା ଦରବୁଜା । ସେ ଉଠାପକା ଘରେ ବାରବୁଲା ବାଂଟୁଥାଏ ଅଠସ୍ତରୀପଟ ତାସ୍‌। ଭାଗ୍ୟଫଳ ଜାଣିବାକୁ ଏ ତାସ୍‌ଖେଳ (Terot Tzigane : Tarot of the Roms)ରେ ଭାଗ ନେଇଥାଂତି “ରୋମ” (Rom) ବା ବାହାଚୂରା ରୋମାନୀ ମରଦମାନେ । ସେମାନଂକ ଗୀତରେ ଜୀବଂତ ହୋଇଉଠେ ଜିପ୍‌ସୀର ଜିଜୀବିଷା, ନୃତ୍ୟରେ ବି ନିଜକୁ ନିଗାଡ଼ିଯିବାର ନିଧୂର୍ମ୍‌ ନିଶା ! ଜୋସୀ ନୋଏଲ୍‌ (Josee Noel)କ ଦ୍ୱାରା ୧୯୮୪ ମସିହାରେ ଅନୂଦିତ ଏଇ କେତୋଟି ଇଂରାଜୀ ପଙ୍‌କ୍ତିରେ ଜିପ୍‌ସୀ ଜୀବନବୋଧ ସମେତ ବାରବୁଲା ରୋମାନୀ ଚରିତ୍ରର ଚିତ୍ରକଳ୍ପ ଚମତ୍କାର :

 

“We pass like the wind on the lake of the world

without leaving a mark.

And yet, without us nothing would be the same

Always thrown out, always hunted.

Despised and envied. And always unknown...”

 

ଓଡ଼ିଆଭାଷାରେ ଏହାର ଛାୟାନୁବାଦ କରାଯାଇପାରେ ଏଇଭଳି –

 

“ଆମେ ପବନର ପଟୁଆର ଅବା ମର୍ତ୍ୟହ୍ରଦରେ ହେୟ

ଚିରଦୁର୍ଭାଗା ଚାଲିଯାଉ ଗୋଟେ ଚିହ୍ନ ନ ଛାଡ଼ି ସିନା

ଚିରବର୍ଜିତ ଚିରବଂଚିତ ଆମେ ତ ଅନାମଧେୟ

ମାତ୍ର କିଛି ବି ମାଲୁମ୍‌ ହେବନି ଏକାଭଳି ଆମ ବିନା !”

 

ପଟୁଆରମାର୍କା ପରିବାର ନେଇ ଜିପ୍‌ସୀ ପାରିହୁଏ କେତେ ପଡ଼ାର ପଡ଼ିଆ, ସହରତଳିର ସଡ଼କ, ଘଂଚବସତିର ଘୂରାଣି ବି । ବର୍ଷାଧିକ ବାଟଚଲା - ମଝିରେ ମାସକେଇଟାର ରହଣି କଟାଏ ସେ କେଉଁଠିନାକେଉଁଠି । ବିଶେଷତଃ ଶୀତଋତୁବେଳେ ଏ ସାମୟିକ ବିରତିର ପର୍ବ- ତା' ଯାଯାବର ଯାତ୍ରାର ଯତ୍‌ସାମାନ୍ୟ ଯବନିକା ମାତ୍ର । ଏତିକିବେଳେ ବି କିଛି କାରବାର କରେ ସିଏ - ତଂବା ଜିନିଷରୁ ତାବିଜ୍‌ ପର୍ଯଂତ କିଛି ଖୁଚୁରା ବେପାର ।

 

ଭାରବାହୀ ପଶୁ ଆଉ ଦୂରାଂତରୀ ଦୁର୍ଗତ ମଣିଷର ଦଳ କାହିଁ କେଉଁ କାଳୁ ବାଟ ବାଛିନେଇଚି କବାଟ ବାହାରେ । ଆମ ପରି ସେ ଝର୍କାବାଟେ ଜହ୍ନ ଦେଖେନା କି ତାରା । ଏ ଆକାଶ ତା' ଅଂଧାର ଆଲୁଅର ଆଲ୍‌ବମ୍‌ । ଭାବିଷ୍ୟିକ ଭାଗ୍ୟର ରହସ୍ୟ ପ୍ରତି ଅପରିସୀମ ଆଗ୍ରହକୁ ସେ ପୁଣି ଅଗ୍ରାଧିକାର ଦେଇଥାଏ ସାରାଜୀବନ। ବିଡ଼ଂବିତ ବିଚିତ୍ରା ପରି ତା' ବାସ୍ତବତା, ଯେଉଁଠି ସଂଗୀତରେ ସ୍ୱପ୍ନ ଆଉ ନୃତ୍ୟରେ ନିଦ୍ରାଭଂଗ । ଜହ୍ନରାତିର ଜୁଇରେ ଜଳୁଥିବା ଜଳକାଟିଏ ସେ ଜିପ୍‌ସୀ !

 

ରୋମା ଜିପ୍‌ସୀର ସମାଜରେ ଧର୍ମଠୁ ବେଶି ଗୁରୁତ୍ୱପୂର୍ଣ ବିଶ୍ୱାସ । କାନୁନ୍‌ ଅପେକ୍ଷା ଅଧିକ ଓଜନଦାର୍‌ ତା' ପକ୍ଷରେ ନୀତି ଆଉ ନୈତିକତାର କଡ଼ା କଟକଣା । ମୁଲକ କି ମାନଚିତ୍ର ମାନିପାରିନଥିବା ରୋମା ଯାଯାବର ମଣିଷଟି ମାନିନେଇଥାଏ କିଂତୁ ମୁଖିଆକୁ । ଏ ମୁଖିଆ ତା' ଆଖିରେ ବଡ଼ ମଣିଷଟେ - ରୋମା ଅଭିଧାନରେ ସେ “ରୋମ୍‌ ବରୋ” (Rom Baro) । ତା' କୁଳକୁଟୁଂବର ମୂଳଟିଏ ସେ - ଶୀର୍ଷନାୟକ । ରୋମ୍‌ ବରୋ ନିୟମିତ ନେତୃତ୍ୱ ଦେଇଥାଏ ରୋମାବର୍ଗକୁ । ସେ ରୋମା ସମାଜର ନିର୍ବାଚିତ ନେତୃପୁରୁଷ । ବିଚକ୍ଷଣତା, ଅଭିଜ୍ଞତା, ବ୍ୟକ୍ତିତ୍ୱର ଅଭିବ୍ୟକ୍ତି ଭିତ୍ତିରେ ରୋମ୍‌ ବରୋ ବଛାହୁଏ ବୟସ୍କ ବିଚାରଶୀଳ ରୋମାବର୍ଗ ଦ୍ୱାରା । ରୋମ୍‌ ବରୋ ପୁଣି ମାନିଥାଏ “ଫୁରୀ ଦେଈ”ର ମହାର୍ଘ ପରାମର୍ଶ । ଏ “ଫୁରୀ ଦେଈ” ପୃଥକ୍‌ ପୃଥକ୍‌ ରୋମାସମୂହର ଜ୍ଞାନବତୀ ମାତୃକା ମହିଳା - ଧର୍ମକର୍ମଧୂରୀଣା ଧନସଂଚୟିତ୍ରୀ । ସ୍ୱକୀୟ ସମୂହର ସଂଗୃହୀତ ସଂପଦକୁ ସାଇତିରଖେ ସେ । ଉପାର୍ଜିତ ଅର୍ଥକୁ ସଦୁପଯୋଗ କରେ ଆବଶ୍ୟକତାର ଆହ୍ୱାନରେ । ଫୁରୀଦେଈ ଏବଂ ଆଉ କେତେଜଣ ସୁଜ୍ଞାନସଂପନ୍ନାଙ୍କ ହିତୋପଦେଶ ମାନି ରୋମ୍‌ ବରୋ ନେଇଥାଏ ବହୁ ଗୁରୁତର ନିଷ୍ପତ୍ତି ବି । ଏ ଚଳଣି ଆମକୁ କେଉଁ ପ୍ରନିସଭ୍ୟତାର ସେଇ ମାତୃକୈଂଦ୍ରିକ ସାମାଜିକତାଆଡ଼କୁ ମୁହାଁଇନେଉନି କି ଟିକିଏ ?

 

ସରଳରୈଖିକ ରୋମା ଜିପ୍‌ସୀର ଏ ଜୀବନଯାତ୍ରା ଏକ ଅଂତହୀନ ଅଦୃଷ୍ଟର ଅଭିସାର । ତାର ଅଛି କ'ଣ ? ଅତି ଅଳ୍ପ ଅର୍ଜନରେ ଅନେକ ଅଧିକ ଆତ୍ମତୃପ୍ତି । ଅଜସ୍ର ଅଭାବ - ଅଥଚ ଅନିର୍ବଚନୀୟ ଭାବରେ ହିଁ ଆଦ୍ର ତାର ଅଂତରାତ୍ମା । ଅତୀତର ଅପଘାତ, ବର୍ତମାନର ବ୍ୟାଘାତ ଓ ଭବିଷ୍ୟତର ଭୟାବର୍ତ - ସବୁ ଅତିକ୍ରମ କରିଯିବାର ଅଭିଯାତ୍ରାରେ ଅକୁତୋଭୟ ଅକୁଂଠ ଅକ୍ନର ସେ ।

 

“ଅଛି କଣ ଆମର” (What we have) ଶୀର୍ଷକ ଇଂରାଜୀ ଅନୂଦିତ ଗୋଟିଏ ଜିପ୍‌ସୀ କବିତାରେ ଜୀବନ ପ୍ରତି ଦୃଷ୍ଟିଭଂଗୀଟି ସରଳ ବିଶ୍ୱାସର ସୃଷ୍ଟିଛଂଦରେ ଛଳଛଳ :

 

“I open my eyes the sun warms my face

You are by my side

We hang onto our thoughts how it use to be

Are happy with what we got

Would others only see what they have

Then there wouldn't be so much envy and hate

Fortunately we can feel and see it

We go our ways even if we find it hard at times

We have the strength

Do what we set out to do

We look around and can see the fruits of our work

And are happy with what we've achieved so far.”

 

“ଆଖି ଫିଟାଇଲେ ଉଇଁଲା ସୂର୍ଯ ଉଷୁମ୍‌ କରେ ମୋ ମୁହଁ

ମୋ କଡ଼ରେ ତମେ ରୁହ ।

ଆମେ ଆମର ଏ ଭାବକଳ୍ପର ସାଧନାରେ ସମାହିତ

ଆମ ପ୍ରାପ୍ତିରେ ପ୍ରୀତ ।

 

ଅନ୍ୟସକଳେ ଆକଳନ କଲେ ଆପଣାର ଅଧିକାର

ପ୍ରଶ୍ନ ଉଠୁନି ଈର୍ଷା ଅସୂୟା ଏତେଟା ଉପୁଜିବାର ।

ଭାଗ୍ୟକ୍ରମରେ ଅବଗତ ଆମେ ଏଇସବୁ ବାବଦରେ

ଆମେ କେବେକେବେ ଗତିଚଂଚଳ ଦୁର୍ଗମ ପଥ ପରେ ।

 

ଚିଂତୁ ଯା ତାକୁ ଚିତ୍ରିବା ପାଇଁ ରହିଚି ଆମର ବଳ

ଚାରିଆଡ଼େ ଚାହିଁ ବାରିପାରୁ ଆମେ ଆମରି କର୍ମଫଳ ।

ଏଯାବତ ଯେଉଁ ପାଇବା ପାଖରେ ହୋଇଲୁଣି ଉପନୀତ

ସେଇ ପ୍ରାପ୍ତିରେ ପ୍ରୀତ ।”

 

ଜିପ୍‌ସୀ ଜୀବନ କେବେକେବେ ଦ୍ୱିଧାର ଦୋଛକି ରାସ୍ତାରେ ଦୁଃଖୀଦୁଃଖୀ । ତା'ଭାଷା, ତା' ସଂସ୍କୃତି, ତା'ନୃତ୍ୟ, ତା' ଗୀତରେ ଫୁଟିଉଠୁଥିବା ଏ ଦୁଃଖ ଓଦା କରିଦିଏ ଆତ୍ମା । ଆଖି ଆଗେ ଦୁଇଟା ରାସ୍ତା । ଅତିଦୂର ନୁହେଁ କି ଅତିପାଖ - ଏମିତି ଏ ରାସ୍ତା ଦି'ଟାଯାକ। ଏ ଦି'ରାସ୍ତାରେ ପାଦ ପକାଇଲେ ଜିପ୍‌ସୀକୁ ମିଳେ କ'ଣ ? ବଖରାଏ ବଂଦୀଶାଳା - ଅଂଧମୁହାଣିର ବଂଧଟାଏ ମାତ୍ର। “ମୋ ଆଗରେ ଦୁଇରାସ୍ତା” (Before me two roads) ଶୀର୍ଷକ ଗୋଟିଏ ଜିପ୍‌ସୀ କବିତାର ଏ ଇଂରାଜୀ କାୟାଂତରରେ କଳନା କରାଯାଇପାରେ ଏଭଳି କୌଳିକ କାରୁଣ୍ୟ :

I was having a wild party all night long

Until tomorrow morning

I was getting drunk with friends

I was wasting my life

I made up my mind, Mother, and departed

I arrived at two roads

One not far, one not near

To arrive at

I looked up, I looked down

I didn't see anybody (nobody)

I saw a little bird

But that wasn't a little bird

That was my dear mother

And she was crying tears

All tears of blood

And she was crying all tears

With all her hair open (hanging down loose)

 

Two roads before me

And I don't know which to take

Either the Romani road

Or the non-Romani road

I took the non-Romani road

Not far, not near, I went

I fell into big trouble

I fell into big trouble

I ate a leg of a goose

I spent time (stayed) in jail

I ate a drumstic of a gander

I spent time in the dungeon.

 

ଓଡ଼ିଆ ରୂପାଂତରରେ ଜିପ୍‌ସୀ-ଜୀବନକୁ ନେଇ ଏମିତି ଏ ଯୁଗଯଂତ୍ରଣାର ଯୁକ୍ତାକ୍ଷର -

 

“ମୁଁ ଥିଲି ଲଂବା ରାତିସାରା ଗୋଟେ ଆସରରେ ମସ୍‌ଗୁଲ୍‌

ଭୋର୍‌ଯାଏଁ ବିଲ୍‌କୁଲ୍‌ ।

ମିତ୍ର ମେଳରେ ମାତାଲ୍‌ ବି ଥିଲି ମୁହିଁ

କରିଚାଲୁଥିଲି ନଷ୍ଟ ମୋ ନିଜକୁ ହିଁ !

 

ମନ ମଣ କରି ମେଲାଣି ନେଲି ସେ ମଜ୍‌ଲିସ୍‌ରୁ ମୁଁ ମାଆ,

ସାମନାରେ ଜନ-ମାନବଶୂନ୍ୟ ରାସ୍ତାଦୁଇଟା ଆହା !

 

ଏକଇ ରାସ୍ତା ଦୂର ନୁହେଁ ଆଉ ଆରେକ ନିକଟ ନୁହେଁ

ଉପରତଳ ମୁଁ ଅନାଇ ଆସ୍ତେ ଆଗେଇଲି ଏକାମୁହେଁ ।

ଟିକିଚଢ଼େଇଟେ ଦେଖିଲି ମୁଁ ହେଲେ ନୁହେଁ ସେ ଚଢ଼େଇ ଟିକି

ସିଏ ଥିଲା ମୋର ସୋହାଗିନୀ ମାୟୀଟି କି !

 

ଲୁହରେ ଉଛୁଳି କାଂଦୁଥିଲା ସେ। ଲୁହତକ ଲୁଣି ଲହୁ

ବାଳମୁକୁଳା ତା ବିଶ୍ରୀବେଶରେ ବାହୁନୁଥିଲା ବି ବହୁ ।

ସାମନାରେ ମୋର ଦୁଇଟା ରାସ୍ତା - ବାଛିଜାଣେନି ମୁଁ ମୋଟେ

ରୋମାନୀ ରାସ୍ତା ଗୋଟେ ହେଲେ ଅଣ-ରୋମାନୀ ତ ଆଉଗୋଟେ ।

 

ମୁଁ ଧରିଲି ଅଣ-ରୋମାନୀମାର୍ଗ - ଦୂର କି ନିକଟ ନୁହେଁ

ପଡ଼ିଗଲି ବଡ଼ ବିପଜ୍ଜନକ ବିଷମ ଚକ୍ରବ୍ୟୂହେ ।

କଲି ଚର୍ବଣ ହଂସୀଚରଣ ଏକ

ହାଜିରା ଦେଲି ମୁଁ ହାଜତରେ ହାୟ ଦେଖ

ପାତିହଂସର ନଳିଗୋଡ଼ କଲି ଗ୍ରାସ

ବରିନେଲି ମୁଇଁ ବଂଦୀଶାଳାରେ ବାସ ।”

 

ଇଏ ଆତ୍ମାର ଆର୍ତନାଦ । ନିଜଠାରୁ ନିଜେ ନିର୍ବାସନ ନିଏ ଜଣେ ଜିପ୍‌ସୀ ଠିକ୍‌ ସେତିକିବେଳେ, ତା' ଧାରାବଦ୍ଧ ଧାରଣା ବାହାରେ ସେ ଯେତେବେଳେ ଭେଟେ ଏକପ୍ରକାର ଭିନ୍ନ ସାମାଜିକତା । ସୌଖିନ୍‌ ସମାଜର ଆଦିମ ଆସର ତାକୁ ଆଶ୍ରୟ ଦେଇପାରେନା କି ଚର୍ବ୍ୟଚୋଷ୍ୟଲେହ୍ୟପେୟର ଆଧୁନିକ ଆରଣ୍ୟକତା ତା' ପାଇଁ ଶେଷପର୍ଯଂତ ପାଲଟିପାରେନା ଆକର୍ଷଣ । ରୋମାନୀ ଜିପ୍‌ସୀ କେବେ ବି ନିଜକୁ ଖାପ୍‌ ଖୁଆଇପାରେନା ଅଣରୋମାନୀ ଆଭିମୁଖ୍ୟ ସହିତ । ସେ ହୁଏତ ନିଜ ଭାଷା, ନୃତ୍ୟ, ସଂଗୀତରେ ସଂଯୋଜିତ କରିଦେଇପାରେ ଭିନ୍ନ ଭିନ୍ନ ଭୂଚିତ୍ରର ବିରଳ ବିବିଧତା, ମାତ୍ର ନିଜ ସାମାଜିକତା ଓ ସାଂସ୍କୃତିକତାକୁ କୌଣସି ସାମଂତ କି ସୌଦାଗରର ବିଳାସ କି ବୈଷୟିକତା ହେବାକୁ ଆତ୍ମାରେ ଅନୁମୋଦନ କରିପାରେନା କଦାଚ-

 

🟋🟋🟋🟋🟋🟋

 

ଜିପ୍‌ସୀର ଯାଯାବର ଯାତ୍ରାସଂଗୀତ ବା ଚାରଣଚର୍ଯା ମରୁମାନବର ହାର୍ଦିକ ହାହାକାର - ଅଧାଜହ୍ନର ଅଂଧାରରେ ବେପରୁଆ ବୟସର ବତାସୀ ବାଲିଝଡ଼ ... ଡହଳବିକଳ ମରୁମର୍ମର...ଅତୃପ୍ତ ଆତ୍ମସତ୍ତାର ଅଂତରହିତ ଅଂତଃସ୍ୱର... ପ୍ରବହମାନ ପ୍ରେମ ସହିତ ପ୍ରସ୍ତାବିତ ପ୍ରବାସର ପ୍ରକ୍ଷିପ୍ତ ପ୍ରଳାପନୀ ! କୃଷ୍ଣକାୟ ବେଦୁଇନ୍‌ ବାହିନୀର ବୈକ୍ତିକ ବୈରାଗ୍ୟ - ନିଃସଂଗ ନିଃଶବ୍ଦ ଦୀର୍ଘନିଃଶ୍ୱାସ ସହିତ ସଂଘବଦ୍ଧ ସଂଗୀତର ସଂଘାତରେ ଯେତିକି ବ୍ୟଥାବିଧୁର, ସେତିକି ବି ସ୍ପର୍ଶକାତର !

 

ଏ ଚାରଣଚର୍ଯାର ଚେର ହୁଏତ ମିଶର୍‌ର ମରୁମୃତ୍ତିକାରେ ମଧ୍ୟ ସଂଚିରଖିଥାଇପାରେ ଖ୍ରୀଷ୍ଟପୂର୍ବର ଖଂଡିତ ଖେଦ । ଏସିଆରୁ ଆଫ୍ରିକା, ଆଫ୍ରିକାରୁ ଆମେରିକା ଓ ଆମେରିକାରୁ ଅଷ୍ଟ୍ରେଲିଆର ଅଜସ୍ର ମରୁପ୍ରାଂତରକୁ ହୁଏତ ସଂକ୍ରମିତ ହୋଇଥିବ ଜିପ୍‌ସୀ ଜୀବନଶୈଳୀର ଏ ଯାବତୀୟ ଜ୍ୱାଳାମୟତା... ମରୁମାୟାର ମେଘମଲ୍ଲାର ... ମୃଗତୃଷ୍ଣାର ମୃଦୁ ମୂର୍ଛନା ... ଅପହୃତ ଅଜସ୍ର ଅର୍ଧସ୍ୱପ୍ନର ସଂଗୀତୋଚ୍ଛଳ ସ୍ପଂଦନ । ମାତ୍ର ମରୁଭୂମିର ଏ ମୃଦୁମଦିର ମୂର୍ଛନାକୁ, ଶତ ଶୋଣିତସ୍ରାବ ସତ୍ତ୍ୱେ, ମରୁଶୂନ୍ୟ ମହାଦେଶ ୟୁରୋପରେ ହିଁ ମିଳିପାରିଛି ମର୍ଯାଦାବଂତ ମାନ୍ୟତା - ଗତସହସ୍ରାବ୍ଦ ପୂର୍ବର ଏକ ଗୈରିକ ଗଣସଂଗୀତକଳା ବା ପଳାତକ ପଥସଂସ୍କୃତିର ପୁନରୁଦ୍ଧୃତ ପ୍ରନିତତ୍ତ୍ୱ ଭାବରେ ।

 

ଯାଯାବର ଜିପ୍‌ସୀ ସମୁଦାୟ ପ୍ରତି ଅତୀତର ଅକଥନୀୟ ତାଡ଼ନା ଓ ତିରସ୍କାର ସତ୍ତ୍ୱେ, ଆଧୁନିକ ୟୁରୋପୀୟ ତର୍ଜମା ତେଣୁ, ଜିପ୍‌ସୀ ଜୀବନବୋଧର ବିପନ୍ନ ବର୍ଣମାଳାକୁ, ମରୁବାଲୁକା ମଧ୍ୟରୁ ମୁକ୍ତ କରି, ସମର୍ପଣ କରିପାରିଛି ଏକ ସ୍ୱତଂତ୍ର ସ୍ୱକୀୟତା ।

 

ଲୋକଗୀତିର ଅତଳ ଅବଚେତନରେ ଆମେ ଯେପରି ପତ୍ରରେ ଶୁଣିପାରୁ ପବନର ପାଦଶବ୍ଦ, ମରୁଗାଥାର ନିଭୃତ ନେପଥ୍ୟରେ ସେହିପରି ଅନୁଭବ କରିପାରୁ ବାଲିରେ ବତାସର ବଳାତ୍କାର ! ସେଥିପାଇଁ ଲୋକଗୀତିରେ ସ୍ୱର ଓ ଶବ୍ଦର ଶାଂତ ଶୀତଳତା ସଂଚରିତ ହେଉଥିବାବେଳେ, ମରୁଗାଥାରେ ମର୍ମରିତ ହୋଇଥାଏ ଧ୍ୱନି ଓ ଧାତୁର ଉଷ୍ଣ ଆତୁରତା ! ଲୋକଗୀତିଗୁଡ଼ିକ ସ୍ଥିତିନିବିଷ୍ଟ, ମାତ୍ର ମରୁଗାଥା ଗତିନିଷ୍ଠ ।

 

ମରୁଭୂମିର ସଂଗୀତରେ ପ୍ରେମ ଓ ପ୍ରବାସ, ମୃଗୟା ଓ ମୃତ୍ୟୁ, ମୈଥୁନ ଓ ମୈତ୍ରାୟଣ, ମୋହ ଓ ମୋକ୍ଷ ସମେତ ସମ୍ମିଳିତ ହୋଇଥାଏ ଏକପ୍ରକାର ଐକତାନିକ ଔଦାସ୍ୟ । ଏହାର ସ୍ପଂଦନଶୀଳ ସମ୍ମୋହନ ସତରେ ସୃଷ୍ଟି କରିଥାଏ ଯାତନାକ୍ଳିଷ୍ଟ ଯୌବନର ଯୌଥ ଯାଦୁକାରିତା ! ଏପରିକି ରାଜସ୍ଥାନର ମରୁ ମହକୁମାରେ ମଧ୍ୟ ସଂଗୀ-ସଂଗୀତର ସକରୁଣ ସ୍ୱରସଂଗତିରେ ରୁପାଲି ରାତି ଯେତେବେଳେ ରୁଦାଲି ରୂପ ନିଏ, ସେତେବେଳେ ଜହ୍ନ ପାଲଟିଯାଏ ଜମାଟବଂଧା ନୀଳଜହର ଆଉ ତାରା ଥୋପାଥୋପା ଶୁଭ୍ର ତୁଷାରବିଂଦୁ - କେବେ କେମିତି ଏହା ପୁଣି କୃଷ୍ଣାଭ ରକ୍ତ ଓ ଶ୍ୱେତାଭ ଅଶ୍ରୁ ହୋଇ ଆଧୁନିକ ପ୍ରେମକବିତାରେ ସୁଦ୍ଧା ସୃଷ୍ଟି କରିପାରେ କାତର କାୟାପ୍ରବେଶର କରୁଣ କୁହୁକ !

 

ଜିପ୍‌ସୀ ବୃତ୍ତ ବା ଚାରଣଚର୍ଯା ଚିରପଥିକର ଚିତ୍ତ-ଚରିତ... ପରିବର୍ତାୟମାନ ସ୍ଥାନ-କାଳ-ପାତ୍ରର ପୁରୁଷପୁରୁଷବ୍ୟାପୀ ଯାଯାବର ଯାତ୍ରାସଂଗୀତ । ଜିପ୍‌ସୀ ସଂଗୀତର ପ୍ରତ୍ୟାବର୍ତିତ ପ୍ରତିଧ୍ୱନିରେ ଜୀବନ୍ୟାସ ପ୍ରାପ୍ତ ହୁଏ ମୃତସଭ୍ୟତାର ଶତସହସ୍ର ଶୋକଗାଥା ... ମରୁମଂଡଳର ମହାନିଦ୍ରିତ ମଗ୍ନମୌନତା !

 

ଓଡ଼ିଆ ଭାଷାରେ ଚର୍ଯାପଦର ପରିଭାଷା ଓ ନାଥସଂଗୀତର ବିଷାଦବୃତ୍ତରୁ ଆରଂଭ କରି ଯୋଗୀକେଂଦରାର କାରୁକାରୁଣ୍ୟ ସମେତ ଆଦିବାସୀ ଗୀତର ଆରଣ୍ୟକ ଆବହ ପର୍ଯଂତ - ହୁଏତ କଦବା କେଉଁଠି ପଦ ପ୍ରକ୍ଷେପ କରିଥାଇପାରେ ଶ୍ୟାମଘନ ମରୁମାନବାମିାର ସତୃଷ୍ଣ ସଂବେଦନ !

 

“ଚାରଣଚର୍ଯା”ରେ ସନ୍ନିବିଷ୍ଟ ଏସବୁ ସାଂଧ୍ୟରୀତିସଂପନ୍ନ ସର୍ଗର କତିପୟ କାୟାଂଶ ହୁଏତ ସେଇ ସଂଗୀତାପ୍ଳୁତ ସଂବେଦନାର ସ୍ୱତଃ ସ୍ପୁରଣ ବା ମୂର୍ଛନାମୟ ମାନସିକତାର ମୃଦୁ ମୂର୍ତନ - ନୁହେଁ ତ ସ୍ୱପ୍ନଘନ ଗୈରିକ ଗୋତ୍ରସଂଗୀତର ସଗୋତ୍ର ସ୍ୱରସୃଜନ ! ବୋଧହୁଏ, ହଜାର ହଜାର ବର୍ଷର ସ୍ପଂଦନମୟ ସ୍ପର୍ଶକାତରତା କେଉଁ ଅତଳ ଅତୃପ୍ତିରୁ ଉଦ୍ଧାର ଆଶା କରୁଥାଏ ଏଇଭଳି । ଏହାକୁ କୁହାଯାଇପାରେ - ଏକ କାବ୍ୟିକ କାକତାଳୀୟତା, ଯାହା ଅପ୍ରତ୍ୟାଶିତ ଅତୀତକୁ ଅଂତଃରୋପିତ କରାଇଦେଇଥାଏ ଭବିଷ୍ୟମାଣ ବାର୍ତମାନିକତାରେ । ସମକାଳୀନ ଶବ୍ଦରେ ଚିରକାଳୀନ ଚିତ୍କାର ଏସବୁ, ଯାହା କେବେକେବେ କବିତାକୁ କାୟାଂତରିତ କରାଇଦେଇଥାଏ ଏକପ୍ରକାର ବିଷଣ୍ଣ ବଶଂବଦତାରେ । ଆକୃତିମନସ୍କ ଆଧୁନିକତାକୁ ପ୍ରକୃତିପ୍ରବଣ ପ୍ରାକ୍ତନିକତାର ଏଭଳି ଅଯାଚିତ ଉତ୍ତରାଧିକାର - ପ୍ରକାରାଂତରେ ପ୍ରନିପୁରୁଷର ପ୍ରଗାଢ଼ ପୀଡ଼ାକୁ ପରବର୍ତୀକାଳୀନ କାବ୍ୟପୁରୁଷର ପ୍ରାରବ୍ଧପ୍ରାୟ ପ୍ରାପ୍ତିସ୍ୱୀକାର । ଅଧିକଂତୁ, ଏହା ହୁଏତ ସେଇ ଅସମାହିତ ଆଧିଭୌତିକ ଉଦାସ ଉଷ୍ଣତାର ଉତ୍ତାଳ ଉପସଂହାର...

ଗିରିଜା କୁମାର ବଳୀୟାରସିଂହ